ଭୁବନେଶ୍ୱର: କୋଭିଡ୍ କଟକଣା ନେଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗୁରୁତ୍ୱ ଦିଆଯିବା ସହ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ଜାରି କରାଯାଇ ପାରିବ ଏବଂ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ ସ୍ଥାନୀୟ ପ୍ରଶାସନ ବୋଲି ଗାଇଡ୍ ଲାଇନରେ ଉଲ୍ଲେଖ ରହିଛି। ସେହିପରି ଡିସେମ୍ବର ୩୧ ଯାଏଁ ଦେଶ ବାହାରକୁ ବିମାନରେ ଯାତ୍ରା ଉପରେ କଟକଣା ଲାଗୁ ରହିଥିବା ସହ ସାମାଜିକ, ଧାର୍ମିକ ଏବଂ ରାଜନୈତିକ ଆଦି ସମାବେଶରେ ଅଧିକ ଗହଳିକୁ ବାରଣ କରାଯାଇଛି। ହଲ୍ରେ ୫୦% କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନ, ବାହାଘର ଉତ୍ସବରେ ସର୍ବାଧିକ ଦୁଇ ଶହ ବ୍ୟକ୍ତିଙ୍କୁ ସର୍ତ୍ତମୂଳକ ଅନୁମତି ଏବଂ ଅନ୍ତ୍ୟେଷ୍ଟିକ୍ରୀୟା କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ମିଳିବ ଅନୁମତି। ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ହଲ୍ର ୫୦% କ୍ଷମତାରେ ମିଳିବ ଅନୁମତି। ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ, ସାମାଜିକ ଦୂରତ୍ୱ ବଜାୟ ଅନିର୍ବାଯ୍ୟ ରହିବ।
ସେହିପରି ଶିକ୍ଷା କ୍ଷେତ୍ର କଥା ଦେଖିବାକୁ ଗଲେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲିବା ଉପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି କରାଯିବ। କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ଉଚ୍ଚଶିକ୍ଷା ବିଭାଗ। ସେହିପରି ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ବିଭାଗ। ଡିସେମ୍ବର ୩୧ ଯାଏ କି କେଉଁ ଯାଏ ବନ୍ଦ ରହିବ ତାହା ଉପରେ ବିଭାଗ ନିଷ୍ପତ୍ତି ନେବ। ତେବେ, ସ୍କୁଲ, କଲେଜ ଖୋଲୁନଥିଲେ ମଧ୍ୟ ପରୀକ୍ଷା, ଖାତାଦେଖା ଚାଲୁ ରହିବ। ଅନଲାଇନ୍ ଓ ଦୂରନିରନ୍ତର ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦିଆଯିବ। କିନ୍ତୁ, ଡିସେମ୍ବର ୩୧ ଯାଏ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।ହିତାଧିକାରୀଙ୍କୁ ଘରେ ରାସନ ପହଞ୍ଚାଇବା କାର୍ଯ୍ୟ ଜାରି ରହିବ। ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ପ୍ରବେଶ ଅନୁମତି ଦେଇ ପାରିବ ସ୍ଥାନୀୟ ପ୍ରଶାସନ। ସିନେମା ହଲ୍, ସୁଇମିଂ ପୁଲ୍, ଅଡିଟୋରିୟମ ଗୁଡ଼ିକ ବନ୍ଦ ରହିବ।
/- ଦେବଦତ୍ତ ରଥ