Home ଭଦ୍ରକ ଚାଷ ଜମି ଜଳମଗ୍ନ, ଜଳ ନିଷ୍କାସନ ପାଇଁ ପ୍ରଶାସନ ଶୁଣିଲାନି, ନିଜେ ନାଳ ସଫା କଲେ...

ଚାଷ ଜମି ଜଳମଗ୍ନ, ଜଳ ନିଷ୍କାସନ ପାଇଁ ପ୍ରଶାସନ ଶୁଣିଲାନି, ନିଜେ ନାଳ ସଫା କଲେ ଚାଷୀ

170

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ତହସିଲ ଆପଣ୍ଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ବନ୍ତ ମୌଜାର ପ୍ରାୟ ୩ ଶହ ଏକର ଚାଷ ଜମି ଲଘୁଚାପ ବର୍ଷାରେ ବୁଡି ରହିଥିବା ବେଳେ ଧାନଗଛ ସବୁ ପଚି ନଷ୍ଟ ହେବାକୁ ବସିଛି । ଜମିରୁ ପାଣି ନିଷ୍କାସନ ପାଇଁ ଚାଷୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଟାଇନଥିବାର ଅଭିଯୋଗ କରିଛନ୍ତି । ଫଳରେ ଚାଷୀ ମାନେ ନିଜସ୍ୱ ଅର୍ଥ ରେି ଜେସିବି ମେସିନ୍ ଆଣି ବନ୍ତ ହାଇସ୍କୁଲ ଛକ ଠାରୁ ଶ୍ରୀବନ୍ତପୁର ଛକ ପର୍ଯ୍ୟନ୍ତ (ନାଳ)କୁ ସଫା କରିଛନ୍ତି ଚାଷୀ । ପ୍ରକାଶ ଯେ, ଉକ୍ତ ରାଜ୍ୟ ରାଜପଥର ଉତ୍ତର ପାଶ୍ୱର୍ରେ ବନ୍ତ ମୌଜାର ଶତାଧିକ ଚାଷୀ ମାନଙ୍କର ପ୍ରାୟ ୩ ଶହରୁ ଅଧିକ ଏକର ଚାଷଜମି ରହିଛି । ଜଳନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ଏହି ଚାଷ ଜମି ସବୁ ଜଳମଗ୍ନ ହୋଇ ଏହି ସମସ୍ୟା ଦେଖାଯାଉଛି । ପ୍ରାୟ ୫ କିମି ଦୂର ବସନ୍ତିଆ ଠାରୁ ରାସ୍ତା ପାଶ୍ୱର୍ ନୟନଜୋରୀରେ ପାଣି ଆସି ବନ୍ତ ହାଇସ୍କୁଲ ଛକ ସମ୍ମୁଖ ନାଳ ଦେଇ ସାଳଙ୍ଗ ଠାରେ ନିଷ୍କାସିତ ହୋଇଥାଏ । ମାତ୍ର ରାଜ୍ୟ ରାଜପଥ ନିର୍ମାଣ ସମୟରେ ଉକ୍ତ ନୟନଜୋରୀକୁ ସଫା କରାଯାଇନଥିଲା । ଫଳରେ ଉକ୍ତ ନୟନଜୋରୀ ପୋତି ହେବାସହ ସେଥିରେ ବିଲାତି କଳମ ହୋଇ ପାଣି ସଠିକ୍ ଭାବେ ନିଷ୍କାସିତ ନହୋଇ ଚାଷ ଜମିରେ ଅଟକି ରହୁଛି । ଯାହାଫଳରେ ଚାଷ ଜମି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ସମସ୍ୟାର ସମାଧାନ ପାଇଁ ଚାଷୀ ମାନେ ଗତ ୩ ବର୍ଷ ଧରି ପ୍ରଶାସନ ଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ ତାହାର ସୁଫଳ ମିଳିନି । ଫଳରେ ବର୍ଷା ଦିନେ ଚାଷୀ ମାନଙ୍କ ଦୁର୍ଦ୍ଦଶା ବଢି ଯାଉଛି । ଚଳିତ ଲଘୁଚାପ ବର୍ଷାରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଏନେଇ ଚାଷୀ ମାନେ ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି । ମାତ୍ର ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆନଯିବାରୁ ଚାଷୀ ମାନେ ବାଧ୍ୟ ହୋଇ ନିଜେ ଅଣ୍ଟା ଭିଡିଛନ୍ତି । ଉକ୍ତ ମୌଜାର ଲମ୍ବୋଦର ମିଶ୍ର, କିଶୋର କୁମାର ସାହୁ, ଶୁକଦେବ ସାହୁ, ଚିନ୍ତାମଣି ମିଶ୍ର, ଜଗବନ୍ଧୁ ଶତପଥି, ମଣି ଚରଣ ପାଢୀ, ମଦନମୋହନ ପାଢୀ, ପୂର୍ଣ୍ଣ ଚନ୍ଦ୍ର ନାୟକ, ନଟବର ସାହୁଙ୍କ ସମେତ ବହୁ ଚାଷୀ ମିଳିତ ହୋଇ ନିଜସ୍ୱ ଅର୍ଥରେ ଜେସିବି ମେସିନ୍ ସହାୟତାରେ ବନ୍ତ ହାଇସ୍କୁଲ ଛକ ଠାରୁ ଶ୍ରୀବନ୍ତପୁର ଛକ ପର୍ଯ୍ୟନ୍ତ ନାଳକୁ ସଫା କରାଇଥିବା ଦେଖିବାକୁ ମିଳିଛି । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.