ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୪୯୦ ବର୍ଷର ତପସ୍ୟାର ଅନ୍ତ ଘଟିଲା ପରେ ଆଜି ପବିତ୍ର ଅଯୋଧ୍ୟା ଧାମରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଉପଲକ୍ଷେ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଐତିହାସିକ ଭୂମିପୂଜନ କାର୍ଯ୍ୟଟିକୁ ଅଧିକ ସ୍ମରଣୀୟ କରିବା ଏବଂ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଭଦ୍ରକର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସ୍ଥାନୀୟ ଗାନ୍ଧିପଡିଆରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ଚରଣରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଦୀପଦାନ କାର୍ଯ୍ୟରେ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁଙ୍କ ସମେତ ବିରୋଧୀ ଦଳର ଉପନେତ ତଥା ଧମାନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭଦ୍ରକ ଲୋକସଭା ସାଂସ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଉପସ୍ଥିତ ଥିଲେ । ଏହି ଅବସରରେ ଗାନ୍ଧିପଡିଆରେ ଏକ ସୁଦୃଶ୍ୟ ଓ ଭବ୍ୟ ‘ଶ୍ରୀରାମ ମନ୍ଦିର’ ନର୍ମିାଣ ପାଇଁ ଭୂମିପୂଜନ କରାଯାଇଥିଲା । ବେଦବିଦ୍ ବୀରେନ୍ଦ୍ର ପଣ୍ଡା ଏବଂ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମନ୍ତ୍ର ପାଠ କରି ଭୂମିପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଭଗବାନ ପଣ୍ଡା. ଅମ୍ବିକା ଦାସ, ପ୍ରଦୀପ୍ତ ବିଶ୍ୱାଳ, ତପନ ମହାନ୍ତି, ବିଜୟ ସିନ୍ହା, ବିଜୟ ଭୂଷଣ ନାୟକ, କୈଳାସ ଦାସ, ବଦ୍ରୀ ନାରାୟଣ ଧଳ, ଜଗନ୍ନାଥ ଦାଶ, ହେମନ୍ତ ପାଢୀ, ଡା. ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ଦୀପଦାନ କରିଥିଲେ । ଘରେ ରହି ସନ୍ଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପାଦପଦ୍ମରେ ଦୀପଟିଏ ଜାଳିବା, ହନୁମାନ ଚାଳିଶା ପାଠ କରିବା, ଶଙ୍ଖ ଧ୍ୱନି କରିବା, ଘରେ ଏକ ଗୈରିକ ପତାକା ମାରିବା ପାଇଁ ସମିତି ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଥିଲା ।
ସ୍ୱାଧୀନ ସୁନ୍ଦର ଦାସ, ପ୍ରଦ୍ୟୁମ୍ନ ଶତପଥି, ସ୍ୱରୂପାନନ୍ଦ ମହାପାତ୍ର, ସରୋଜ ରାଉତ, ଦେବାଂଶୁ ରାଉତ, ସନ୍ତୋଷ ସାହୁ, ଟୁକୁନା ସ୍ୱାଇଁ, କାହ୍ନା ଖୁଣ୍ଟିଆ, ପ୍ରଶାନ୍ତ ମଲ୍ଲିକ, ପୁନିଲ ସାମନ୍ତ, ମହେଶ୍ୱର ବେହେରା, ଦେବାଶିଷ ଗ୍ରହାଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁରୂପ ଆଜି ଭଦ୍ରକର ପୋଷ୍ଟ ଅଫିସ୍ ଛକସ୍ଥିତ ଯୁବ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଜନିତ ଭୂମିପୂଜନ ଅବସରରେ ସହରର ଅପର୍ତ୍ତିବିନ୍ଧା ଛକଠାରେ ଯାତାୟତ କରୁଥିବା ଜନସାଧାରଣଙ୍କୁ ମିଠାଇ ବଣ୍ଟନ ସହ ଶ୍ରୀ ହନୁମାନ ଚାଳିଶା ପୁସ୍ତକ ବଣ୍ଟନ କରାଯାଇଥିଲା । ଏହା ଅମ୍ବିକା ଦାସଙ୍କ ନେତୃତ୍ୱରେ ସଂପାଦନ ହୋଇଥିଲା ।