Home ଜିଲ୍ଲା ପରିକ୍ରମା କୋବିଡ଼ ଯୋଦ୍ଧଙ୍କ ବଳିଦାନ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ଓ ଶପଥ ପାଠ

କୋବିଡ଼ ଯୋଦ୍ଧଙ୍କ ବଳିଦାନ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ଓ ଶପଥ ପାଠ

101

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ବିଶ୍ୱ ଏକ ସଂକଟମୟ ପରିସ୍ଥିତିରେ ଗତି କରୁଛି । କରୋନା ମହାମାରୀରେ ବିଶ୍ୱ କବଳିତ ହୋଇଛି । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଯଥେଷ୍ଟ ରହିଛି । ଏହି କରୋନାକୁ ମୁକାବିଲା କରିବାରେ ଗତ ୫ ମାସ ଧରି ଓଡ଼ିଶାର ଜନସାଧାରଣ ଲଢେଇ କରିଚାଲିଛନ୍ତି । ତେବେ ଏହି ଲଢେଇ ମଧ୍ୟରେ କିଛି ଜୀବନ ମଧ୍ୟ ଯାଇଛି । ଯାହାକି ମାତ୍ର ୦.୫୭ ପ୍ରତିଶତ । ଏହି ମହାମାରୀରୁ ବହୁ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଯାହା ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଯଥେଷ୍ଟ ଭଲ ସ୍ଥିତି । ଆଜି ରାଜ୍ୟର ସୁସ୍ଥତା ୨୫ ହଜାର ଅତିକ୍ରମ କରିଛି । ଏହି ସଫଳତା ହାସଲ ପାଇଁ କୋବିଡ଼ ଯୋଦ୍ଧାଙ୍କ ଅବଦାନ ଅବର୍ଣ୍ଣନୀୟ । ସେହି ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବା ଏବଂ ସେମାନଙ୍କ ସମ୍ମାନାର୍ଥେ, ଯେଉଁମାନେ ପ୍ରାଣ ହାରିଛନ୍ତି ସେମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ନିଦେଦନ କରିବା ପରେ ଆଜି ସନ୍ଧ୍ୟା ୬ଟାରେ ସମଗ୍ର ରାଜ୍ୟରେ ନିରବ ପ୍ରାର୍ଥନା ଓ ଶପଥପାଠ କରାଯାଇଥିଲା । ଭଦ୍ରକ ଜିଲ୍ଲା ପ୍ରଶାସନ, ଭଦ୍ରକର ନିର୍ବାଚିତ ନେତୃମଣ୍ଡଳୀ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ନିରବ ପ୍ରାର୍ଥନା କରିବା ସହ କୋବିଡ଼ ନିୟମାବଳୀ ପାଳନ କରିବା, କରୋନା ବିରୁଦ୍ଧରେ ଲଢିବାର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଏସ୍‌ପି ରାଜେଶ ପଣ୍ଡିତ, ଏଡିଏମ୍ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ପିଡି ମଧୁସୂଦନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର ପ୍ରମୁଖଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.