Home ଆମ ସଂସ୍କୃତି, କଳା ଓ ଐତିହ୍ୟ କିଣା ଜିନିଷ ପାଇଁ ବୁଣା ଜିନିଷ ହଜିଲାଣି, ପଟି, ହେଁସ ଆଉ ମିଳୁନି

କିଣା ଜିନିଷ ପାଇଁ ବୁଣା ଜିନିଷ ହଜିଲାଣି, ପଟି, ହେଁସ ଆଉ ମିଳୁନି

481

ନୟାଗଡ଼, ୩୧ା୭ : (ଓନିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଗାଁ ଗହଳିରେ ଆଉ ଦେଖିବାକୁ ମିଳୁନି ହାତବୁଣା ପଟି, ହେଁସ ଓ ମଶିଣା। ବାହ୍ୟ ଚାକଚକ୍ୟରେ କବଳିତ ହୋଇ କିଣା ଜିନିଷ ପ୍ରତି ଆକୃଷ୍ଟ ହୋଇ ଗାଁ ଲୋକେ ପାଶୋରି ଦେଲେଣି ସେ ସବୁ ବୁଣା ଜିନିଷକୁ। ବିନା ପରିଶ୍ରମରେ ଯେଉଁଠି ଯୁଗପୋଯୋଗୀ ମନପସନ୍ଦର ଜିନିଷ ମିଳି ପାରୁଛି ଆଉ ବା କିଏ କାହିଁକି କିଣା ଛାଡ଼ି ବୁଣାକୁ ପସନ୍ଦ କରିବ। ଗାଁ ଲୋକେ ସେତେବେଳେ ଘରର ବାରଣ୍ଡା ଦୁଆରରେ ଟିକେ ଫୁରସତ ପାଇଲେ ବସିପଡ଼ୁଥିଲେ ହେଁସ, ପଟି, ମଶିଣା ବୁଣିବାକୁ। ବିଭିନ୍ନ ଜଳଭର୍ତ୍ତୀ ଅନାବଶ୍ୟକ ସ୍ଥାନରୁ ବେଁରୁଆ ସଂଗ୍ରହ କରାଯାଇ ତାକୁ ଖରାରେ ଶୁଖାଇଲାପରେ ତାକୁ ବିଅଁରେ ବୁଣାଯାଇଥାଏ। ତେବେ ବିଅଁରେ ବୁଣିବା ପୂର୍ବରୁ ବାଣୀ ଟାକୁଆ ସାହାର୍ଯ୍ୟରେ ଝୋଟର ବଳିତା କରାଯାଇ ତାକୁ ସରୁ ସରୁ ଦଉଡ଼ି କରାଯାଇଥାଏ। ବାଣି ପଥରରେ ସେହି ସରୁ ଦଉଡ଼ିକୁ ଗୁଡ଼ାଇ ବିଅଁରେ ପକାଇ ହେଁସ ଓ ମଶିଣା ବୁଣାଯାଇଥାଏ। ଗାଁ ଗହଳିର ଚାଷୀ ପରିବାରରେ ଏମିତି ହାତ ତିଆରୀ ଉପକରଣରେ ଏସବୁ ବୁଣାଯାଇଥିବାବେଳେ ଏହାକୁ ମଧ୍ୟ ବୁଣିବାକୁ ବହୁତ ପରିଶ୍ରମ ପଡ଼ିଥାଏ। ବାଣୀ ଟାକୁଆରେ ହେଁସ, ମଶିଣା ବୁଣିବା ପାଇଁ ସେତେବେଳେ ଏହିସବୁ ବୁଣା ଜିନିଷକୁ ଲୋକମାନେ ବେଶୀ ପସନ୍ଦ କରୁଥିଳେ। ଏବେ ମଧ୍ୟ ଏହାର ବେଶୀ ପସନ୍ଦ ରହିଛି। ହେଲେ ହେଁସ, ମଶିଣା ବୁଣିବା ପାଇଁ ଆବଶ୍ୟକ ସମୟର ଅଭାବ ଓ ଏଥିପାଇଁ କଂଚାମାଲ ଭାବେ ବ୍ୟବହାର ହେଉଥିବା ବେରୁଆଁ ଆଉ ସେମିତି ପର୍ଯ୍ୟାପ୍ତ ଭାବେ ମିଳୁନଥିବାରୁ ଗାଁ ଗହଳିରେ ବ୍ୟବହାର ହେଉଥିବା ହେଁସ, ମଶିଣା ଏବେ ଦୁଷ୍ପ୍ରାପ୍ୟ ହୋଇଗଲାଣି। ଚାଷୀ ଘରର ଲୋକେ ଶୀତଦିନ ପାଇଁ ହେଁସକୁ ବେଶୀ ବ୍ୟବହାର କରନ୍ତି। ବେଶୀ ଶୀତ ହେଲେ ହେଁସକୁ ଘୋଡ଼େଇ ହୋଇ ଶୁଅନ୍ତି ଏବଂ ମଶିଣାକୁ ତଳେ ପାରନ୍ତି। ସେହିପରି ଖଜୁରି ପତ୍ରରେ ବୁଣା ଯାଇଥିବା ପଟିରେ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଖରାରେ ଶୁଖାନ୍ତି। ହେଲେ ସେ ପଟି ନାହିଁ କି ଶୀତର ଆଦର ହେଁସ ମଶିଣା ନାହିଁ। ପଟିର ସ୍ଥାନକୁ ବିଭିନ୍ନ ପ୍ରକାର ପାଲ, ଜରି ଦଖଲ କରିଥିବାବେଳେ ହେଁସ ସ୍ଥାନକୁ ସୌଖୀନ କମଳ, ଚଦର ଏବଂ ବେରୁଆଁ ମଶିଣା ସ୍ଥାନକୁ ପ୍ଲାଷ୍ଟିକ ମଶିଣା କବଳିତ କରିସାରିଲାଣି। ଏଭଳି ସ୍ଥିତିରେ ଉପଭୋକ୍ତାଙ୍କର ବି ସେ ସବୁ ବ୍ୟବହାର କରିବାକୁ ଆଗ୍ରହ କମିଗଲାଣି। ଅତୀତର ଏହି ପାରମ୍ପରିକ ଲୋକପ୍ରିୟ ସାମଗ୍ରୀ ଆଉ ଦେଖିବାକୁ ମିଳୁନଥିବାବେଳେ ବୁଣା ଛାଡ଼ି କିଣା ପ୍ରତି ଉପଭୋକ୍ତା ଅଧିକ ମନୋନିବେଶ କଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.