ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ଟାଉନଥାନା ଅନ୍ତର୍ଗତ ଡିଗିରହଣିଆ ଅଞ୍ଚଳର ଜନୈକ ଅସାମାଜିକ ଯୁବକଙ୍କ ତେଲେଙ୍ଗା କଟୁରୀ ଚୋଟରେ ମେଡିସିନ୍ ଷ୍ଟୋର ମାଲିକଙ୍କ ଗରୁତର ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁନହଟ ଅଞ୍ଚଳର ପ୍ରଣତ ପଣ୍ଡାଙ୍କ ଡିଗିରହଣିଆ ଛକସ୍ଥିତ ଅନ୍ଧାରୀ ମଙ୍ଗଳା ମେଡିସିନ ଷ୍ଟୋରରେ ଶ୍ରୀ ପଣ୍ଡା ଓ ତାଙ୍କ ପୁଅ ପିୟଙ୍କ ପଣ୍ଡା ଥିବା ବେଳେ ସକାଳେ ଏହି ଆକ୍ରମଣ ହୋଇଥିଲା। ସେହିଅଞ୍ଚଳର ଅଜିତ୍ କୁମାର ପଣ୍ଡାଙ୍କ ପୁତ୍ର ଅକ୍ଷାଂଶୁ କୁମାର ପଣ୍ଡା ତା’ର ଜଣେ ସାଙ୍ଗଙ୍କ ସହ ଦୋକାନରେ ପହଞ୍ଚି ପିୟଙ୍କଙ୍କୁ ଟଙ୍କା ମାଗିଥିଲେ। ପିୟଙ୍କ ଟଙ୍କା ନଦେବାରୁ ଅକ୍ଷାଂଶୁ ପଛ ପାଖରେ ଲୁଚାଇ ରଖିଥିବା ଏକ ତେଲେଙ୍ଗା କଟୁରୀରେ ତାଙ୍କୁ ୪ ଚୋଟ ପକାଇ ସେଠାରୁ ଫେରାର ହୋଇଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଅ ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ଶ୍ରୀ ପଣ୍ଡା ଟାଉନଥାନାରେ ଏକ ଏତଲା ଦାୟର କରିଛନ୍ତି। ପୁଲିସ ଅଭିଯୁକ୍ତ ଅକ୍ଷାଂଶୁକୁ ଖୋଜୁଥିବା ଜଣାପଡ଼ିଛି। ସର୍ବଦା ନିଶାଶକ୍ତ ଅବସ୍ଥାରେ ରହୁଥିବା ଅକ୍ଷାଂଶ ଏହିଭଳି ଲୋକଙ୍କୁ ଧମକାଇ ଅର୍ଥ ଆଦାୟ କରିଥାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।






