ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଁଚିଛି । ଯାହା ଫଳରେ ପ୍ରଶାସନର ଚିନ୍ତା ବଢିଯାଇଛି । ପୁର୍ବରୁ ରଣପୁର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ବେଳେ ସେ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇ ଫେରିଥିବା ରଣପୁର ଡାକ୍ତର ବୈଦ୍ୟନାଥ ନନ୍ଦ ସୁଚନା ଦେଇଛନ୍ତି । କିନ୍ତୁ ଗତ ଜୁନ୍ ୧୧ ତାରିଖ ସଂଧ୍ୟା ରିପୋର୍ଟ ଅନୁଯାୟୀ ପୁଣି ୨ଜଣ ଗୁଜୁରାଟ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣା ପଡିଛି । ସେହି ୨ଜଣ କାସନ୍ଦା ଗ୍ରାମ ପଂଚାୟତ ଜାମ୍ମୁସାହି କ୍ୱାରେଣ୍ଟାଇନ୍ ହଲରେ ଥିଲେ । ତାଙ୍କର ଜୁନ୍ ୧୧ ତାରିଖକୁ ୧୪ଦିନ ହୋଇଥିବାରୁ ସକାଳୁ ତାଙ୍କୁ ଛାଡି ଦିଆଯାଇଥିଲା ।
କିନ୍ତୁ ସଂଧ୍ୟାରେ କରୋନା ପଜେଟିଭ୍ ରିପୋର୍ଟ ପାଇବା ପରେ ପ୍ରଶାସନର ଚିନ୍ତା ବଢିଯାଇଥିବା ଜଣା ପଡିଛି । ସେହି ୨ଜଣ ହେଉଛନ୍ତି ଗୌରାଙ୍ଗପୁର ଗ୍ରାମ ପଂଚାୟତ ବରମୁଳ ଗ୍ରାମର ଜଣେ, ଅନ୍ୟ ଜଣେ ହେଉଛନ୍ତି ସୁର୍କାବାଡି ଗ୍ରାମ ପଂଚାୟତ ଠଣାପଲ୍ଲୀ ପାଟଣାର । କିନ୍ତୁ ବରମୁଳର ଆକ୍ରାନ୍ତ ଯୁବକ କ୍ୱାରେଣ୍ଟାଇନ୍ ହଲ୍ ରୁ ଫେରିବା ପରେ ତାଙ୍କ ସ୍ତ୍ରୀଙ୍କୁ ସ୍କୁଟି ଗାଡିରେ ଧରି ଗୌରାଙ୍ଗପୁର ଗ୍ରାମ ପଂଚାୟତକୁ ଆସିଥିଲେ । ଘରକୁ ଫେରିବା ପରେ ପ୍ରଶାସନିକ ଅଧିକାରୀମାନେ ତାଙ୍କ ଦୁଆରେ ପହଁଚିବା ପରେ ତାଙ୍କର ପଜେଟିଭ୍ ରିପୋର୍ଟକୁ ସେ ବିଶ୍ୱାସ ନକରି ରିପୋର୍ଟ ମାଗିଥିଲେ । ପ୍ରଶାସନିକ ଅଧିକାରୀ ତାଙ୍କୁ ରିପୋର୍ଟ ଦେଖାଇବା ପରେ ତାଙ୍କୁ ଭୁବନେଶ୍ୱର କୋଭିଡ୍ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣା ପଡିଛି । ତାଙ୍କ ସ୍ତ୍ରୀଙ୍କୁ କ୍ୱାରେଣ୍ଟାଇନ୍ କୁ ନିଆଯାଇନାହିଁ କି ସେ ଚଳାଇଥିବା ସ୍କୁଟି ସାନିଟାଇଜ୍ କରାଯାଇନାହିଁ । ଯାହା ଫଳରେ ଅଧିକ ସଂକ୍ରମଣ ବ୍ୟାପିବା ନେଇ ସନ୍ଦେହ ପ୍ରକଟ ହୋଇଛି ।