ବଡ଼ବିଲ, ତା ୦୯ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)ଊନବି˚ଶ ଶତାବ୍ଦୀର ଶେଷ ଭାଗରେ ମୁଣ୍ତା ସ˚ପ୍ରଦାୟର ଲୋକଙ୍କୁ ଶୋଷଣ-ଅତ୍ୟାଚାରରୁ ରକ୍ଷାକରିବା ପାଇଁ ଇ˚ରେଜ ସରକାର ବିରୋଧରେ ଲଢ଼ିଥିଲେ ବିରସା ମୁଣ୍ତା । ଏକ ଅବହେଳିତ ସ˚ପ୍ରଦାୟର ନେତୃତ୍ବ ନେଇ ସେ ପାଲଟିଯାଇଥିଲେ ଭଗବାନ୍ । ମହାତ୍ମାଗାନ୍ଧୀଙ୍କ ଭାରତ ଆଗମନର ବହୁ ପୂର୍ବରୁ ଅହି˚ସା ମାଧ୍ୟମରେ ଅନ୍ୟାୟ-ଅତ୍ୟାଚାର ବିରୋଧରେ ଲଢ଼ି, ଅପୂର୍ବ ସାହସର ପରିଚୟ ଦେଇଥିଲେ ବିରସା । ବ୍ରିଟିସ୍ ସରକାର, ଜମିଦାର, କିରସ୍ତାନ ଧର୍ମଯାଜକ, ଠିକାଦାର, ସାହୁକାର- ଏ ସମସ୍ତଙ୍କ କବଳରୁ ସରଳ-ନିରୀହ ମୁଣ୍ତାମାନଙ୍କୁ ରକ୍ଷା କରିବା ପାଇଁ ସେ ଆଜୀବନ ଉଦ୍ୟମ କରିଥିଲେ । ଏଥିସହ ସେ ଥିଲେ ମହାନ୍ ଧର୍ମପ୍ରଚାରକ । ସେ ଅନ୍ଧ-ବିଶ୍ବାସ ଓ କୁ-ସ˚ସ୍କାରକୁ ଆଦୌ ପ୍ରଶ୍ରୟ ଦେଉନଥିଲେ । ଉଭୟ ହିନ୍ଦୁ ଓ କିରସ୍ତାନ ଧର୍ମର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ତେବେ, ସେ ନିଜର ଧର୍ମ ସୃଷ୍ଟି କରିଥିଲେ, ଯାହା ଥିଲା ସରଳ ଏବ˚ସମସ୍ତଙ୍କ ପାଇଁ ଗ୍ରହଣୀୟ । ଊନବି˚ଶ ଶତାବ୍ଦୀର ଶେଷ ଆଡ଼କୁ ସେ ଚଳନ୍ତି ଭଗବାନ୍ରେ ପରିଣତ ହୋଇଥିଲେ । ମୁଣ୍ତା ସ˚ପ୍ରଦାୟର ଲୋକେ ତାଙ୍କୁ ଡାକୁଥିଲେ ‘ଧରତ ଆବା’। ରୋଗ ଭଲକରିବାର ଅଲୌକିକ ଶକ୍ତି ତାଙ୍କ ଠାରେ ଥିଲା । ସେ ଏପରିକି ବସନ୍ତ ଭୋଗୁଥିବା ରୋଗୀକୁ ମଧ୍ୟ ଭଲ କରିପାରୁଥିଲେ । ରୋଗ, ଅନ୍ୟାୟ, ଅବିଚାର ଦୂର କରିବା ପାଇଁ ତାଙ୍କର ଜନ୍ମ ବୋଲି ବିରସା ବିଶ୍ବାସ କରୁଥିଲେ । ବହୁ ଦେବତାଙ୍କୁ ନ ପୂଜି କେବଳ ଜଣେ ଦେବତା ‘ସିଙ୍ଗବୋଙ୍ଗା’ଙ୍କୁ ପୂଜା କରିବାକୁ ସେ ଉପଦେଶ ଦେଉଥିଲେ । ବିରସାଙ୍କ ଜନ୍ମ ସ୍ଥାନକୁ ନେଇ ମତଭେଦ ରହିଛି । ଏକ ମତ ଅନୁଯାୟୀ ୧୮୭୫ ନଭେମ୍ବର୍ ୧୫ରେ ସୁନ୍ଦରଗଡ଼ ଅନ୍ତର୍ଗତ ଉଲିହାଟୁରେ ସେ ଜନ୍ମ ହୋଇଥିଲେ । ସେ ଥିଲେ ସୁଗନା ଓ କରମୀ ମୁଣ୍ତାଙ୍କ ଚତୁର୍ଥ ସନ୍ତାନ । ଅଭାବ-ଅନଟନ ମଧ୍ୟରେ ତାଙ୍କ ବାଲ୍ୟ ଜୀବନ ଅତିବାହିତ ହୋଇଥିଲା । ୧୮୯୫ରେ ଦୁର୍ଭିକ୍ଷ ପଡ଼ିବ ବୋଲି ବିରସା ଭବିଷ୍ୟବାଣୀ କରିଥିଲେ । ତାଙ୍କ କଥା ସତ ହେବାରୁ, ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ତାଙ୍କଠାରେ ବହୁ ଅଲୌକିକ ଗୁଣ ଦେଖିବାକୁ ମିଳିଥିଲା । ହଇଜା ଆକ୍ରାନ୍ତଙ୍କୁ ସେ ଛୁଇଁଦେଲେ, ସେମାନେ ଭଲ ହୋଇଯାଉଥିଲେ । ସେ ଶିକ୍ଷିତ ଥିଲେ । ବଳିପ୍ରଥା ବିରୋଧୀ ଥିଲେ । ଗୋ-ହତ୍ୟା ନକରି ଗୋ-ପୂଜା କରିବାକୁ କହୁଥିଲେ । ସ୍ବଧର୍ମର ପ୍ରଚାର ପାଇଁ ନିୟମିତ ଧର୍ମ ସଭା ବସାଉଥିଲେ । ଖୋଳ-କରତାଳ ଆଦି ବାଦ୍ୟ ଯନ୍ତ୍ର ବାଦନ ସହ ପ୍ରାର୍ଥନା ବୋଲାଯାଉଥିଲା । ସେ ନିଜେ ବହୁ ଭକ୍ତି ସ˚ଗୀତ ରଚନା କରିଯାଇଛନ୍ତି । ବୈଷ୍ଣବମାନଙ୍କ ଭଳି ନୃତ୍ୟ କରୁଥିଲେ । ଆମିଷ ଭୋଜନ ଓ ସୁରା ପାନକୁ ବାରଣ କରୁଥିଲେ । ସରଳ ଓ ପବିତ୍ର ଜୀବନଯାପନ, ତାଙ୍କ ପ୍ରଚାରିତ ଧର୍ମର ମୂଳ ଭିତ୍ତି ଥିଲା । ଘର ଆଗରେ ତୁଳସୀ ଗଛ ଲଗାଇବା ଏବ˚ ବ୍ରାହ୍ମଣମାନଙ୍କ ଭଳି ପଇତା ପକାଇବା ପାଇଁ ଉପଦେଶ ଦେଉଥିଲେ । ସେ ମୁଣ୍ତାମାନଙ୍କୁ ସେମାନଙ୍କ ଅଧିକାର ସ˚ପର୍କରେ ସଚେତନ କରାଇଥିଲେ । ପୁଣି, ମୁଣ୍ତା ରାଜ୍ୟ ଗଢ଼ିବା ପାଇଁ ଆହ୍ବାନ ଦେଇଥିଲେ । ତାଙ୍କ ନେତୃତ୍ବରେ ମୁଣ୍ତାମାନେ ଶକ୍ତିଶାଳୀ ହେବା ସହ ବ୍ରିଟିସ୍ ଶାସନ ବିରୋଧରେ ଯାଇଥିଲେ । କିରସ୍ତାନ ଧର୍ମଯାଜକମାନଙ୍କୁ ବିରୋଧ କରିଥିଲେ । ତାଙ୍କ ବାଣୀ ଅନେକଙ୍କୁ ଆକର୍ଷିତ କରିଥିଲା ଏବ˚ ଅନେକ ତାଙ୍କ ଅନୁଗାମୀ ହୋଇଥିଲେ । ସରକାରୀ ଅତ୍ୟାଚାର, ଶୋଷଣର ତୀବ୍ର ବିରୋଧ କରିବାକୁ ବିରସା କହିଥିଲେ । ନାନା ମିଥ୍ୟା ଅଭିଯୋଗରେ ତାଙ୍କୁ ବନ୍ଦୀ କରାଯାଇଥିଲା । ସେ କାରାଗାରରୁ ମୁକ୍ତ ହେବା ପରେ ‘ଉଲଗୁଲାନ’ ବା ‘ବିଦ୍ରୋହ’ ତୀବ୍ର ରୂପ ନେଇଥିଲା । ରକ୍ତମୁଖା ମୁଣ୍ତାଙ୍କ ହାତରେ ଏକାଧିକ ସରକାରୀ କର୍ମଚାରୀ ନିହତ ହୋଇଥିଲେ । ମୁଣ୍ତା ଓ କିରସ୍ତାନଙ୍କ ମଧ୍ୟରେ ଗୋଷ୍ଠୀ ସ˚ଘର୍ଷ ପାଇଁ ବିରସାଙ୍କୁ ଦାୟୀ କରାଯାଇଥିଲା । ସେ କୌଣସି ସମୟରେ କିରସ୍ତାନଙ୍କ ଉପରେ ଆକ୍ରମଣକୁ ଉତ୍ସାହିତ କରିନଥିଲେ ହେଁ ପ୍ରଶାସନ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିବାରୁ, ସେ ବାଧ୍ୟ ହୋଇ ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ବ୍ରିଟିସ୍ କର୍ମଚାରୀମାନେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ତାଙ୍କୁ ଧରିବା ପାଇଁ ପାଞ୍ଚ ଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ପୁରସ୍କାର ଲୋଭରେ ତାଙ୍କୁ ଧରାପକାଇଥିଲେ ବନଗାଁର ଜମିଦାର ଜଗମୋହନ ସି˚ହ । ଜଣେ ବିଶ୍ବାସଘାତକ ମାଝି ତାମରିଆ ସାହାଯ୍ୟରେ ବିରସାଙ୍କୁ ଗିରଫ କରାଯାଇଥିଲା । ତେବେ, ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରମାଣ ମିଳିନଥିଲା । ରାଁଚୀ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଥିବା ବେଳେ ଅତ୍ୟନ୍ତ ରହସ୍ୟମୟ ଭାବେ ୧୯୦୦ ଜୁନ୍ ୯ ତାରିଖରେ ତାଙ୍କର ପରଲୋକ ହୋଇଥିଲା । ହଇଜାରେ ତାଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କହାଯାଇଥିଲେ ହେଁ ଏହାକୁ ନେଇ ସ˚ଶୟ ରହିଛି । ତାଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା କେହି କେହି ଗ୍ରହଣ କରନ୍ତି । ବଲାଣି ନାଗରିକ ସୁରକ୍ଷା ମଞ୍ଚ ତରଫରୁ ବିରସା ମୁଣ୍ଡାଙ୍କୁ ଆଜି ଭକ୍ତି ପୂର୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସୌମ୍ୟ ପ୍ରକାଶ ସିଂହ, ରାମେଶ ୟାଦବ, ଅରୁଣ କୁମାର ପ୍ରଧାନ, ତ୍ରିନାଥ ମଲ୍ଲିକ, ଗୁରୁ ଚରଣ କୁଙ୍କାଲ, ଲଷ୍ମଣ ପୂର୍ତ୍ତି, ସିଙ୍ଗରାଇ ଚମ୍ପିୟା ପ୍ରମୁଖ ଉପସ୍ଥିତ ରହି ପାର୍ଥନା କରିଥିଲେ ।