Home କନ୍ଧମାଳ ପ୍ରଶାସନ ଶୁଣିଲାନି : ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କାଠପୋଲ ନିର୍ମାଣ କଲେ

ପ୍ରଶାସନ ଶୁଣିଲାନି : ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କାଠପୋଲ ନିର୍ମାଣ କଲେ

110

ବାଲିଗୁଡା, ୭/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନବାଡି, ପଞ୍ଚାୟତ। ନାଳ ଏପଟେ ରହିଯାଇଛନ୍ତି ଲୋକେ କିନ୍ତୁ ଯିବାଆସିବା ପାଇଁ ନାଳ ଉପରେ ନାହିଁ ପୋଲଟିଏ। ଖରାଦିନେ ଯେମିତି ସେମିତି ଚଳିଯା’ନ୍ତି କିନ୍ତୁ ବର୍ଷାଦିନ ଆସିଲେ ଏହି ନାଳ ପାଲଟିଯାଏ ଅଭିଶାପ। ଯିବାଆସିବା ପାଇଁ ଭୋଗିବାକୁ ପଡେ ଅନେକ ସମସ୍ୟା। ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ନାହିଁ। କହି କହି ଶୁଣିଲାନି ପ୍ରଶାସନ ତେଣୁ ଯିବାଆସିବା କରିବା ପାଇଁ ନିଜେ ତିଆରି କଲେ ଅସ୍ଥାୟୀ ପୋଲ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ ଲାଞ୍ଜିରମାହା ୱାର୍ଡରେ। ଯୁଗାମୁଣ୍ଡା ନାଳ ଉପରେ ଏକ ବ୍ରିଜ କରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହା ସରକାରଙ୍କ ଦୃଷ୍ଟିଗୋଚର ହୋଇନାହିଁ। କନ୍ଧମାଳ ଲେତିଙ୍ଗିଆ ପଂଚାୟତର ଲାଞ୍ଜିରମାହା ୱାର୍ଡ। ଯେଉଁଠି ବାସ କରନ୍ତି ୩୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର କିନ୍ତୁ ଏହି ଗ୍ରାମକୁ ବିଛିନ୍ନ କରୁଛି ଯୁଗାମୁଣ୍ଡା ନାଳ। ଯାହାକୁ ଅତିକ୍ରମ କଲେହିଁ ସ୍କୁଲ, ପଞ୍ଚାୟତ, ତହସିଲ ଓ ମେଡିକାଲ ଭଳି ଅତ୍ୟାବଶ୍ୟକ ସ୍ଥାନକୁ ଯାଇପାରନ୍ତି ଗ୍ରାମବାସୀ। ଛୋଟ ପିଲାଠୁ ବଡ଼ ସମସ୍ତେ ଏଥିପାଇଁ ପ୍ରଭାବିତ। ତେଣୁ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ଜଙ୍ଗଲରୁ କାଠ ସଂଗ୍ରହ କରି ଏହି କାଠର ପୋଲ ନିର୍ମାଣ କରିଛନ୍ତି। କାରଣ ଆଗକୁ ଆସୁଛି ବର୍ଷାଦିନ। ଯଦି ଏବେଠୁ କିଛି ପ୍ରସ୍ତୁତି ନ କରୁଛନ୍ତି ତାହେଲେ ପ୍ରତିବର୍ଷ ଭଳି ଏବର୍ଷ ବି ହଇରାଣ ହେବାକୁ ପଡିବ। ସେଥିପାଇଁ ଗାଁ ର ପିଲାଠୁ ବଡ଼ ସମସ୍ତେ ଲାଗି ଏହି କାଠର ପୋଲ ଛିଡା କରିପାରିଛନ୍ତି। ତେବେ ଲାଞ୍ଜିରମାହା ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଏମାନେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ସେପଟେ ଏନେଇ ବାଲିଗୁଡା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଙ୍କୁ ଯୋଗାଯୋଗ କରିବାରୁ ଏଥିପାଇଁ ଖୁବ ଶିଘ୍ର ଏକ ସ୍ଥାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.