ହାଟଡିହି-୬ /୬, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରମ୍ପାସ-ବିରିଡି ରାସ୍ତା ନିର୍ମାଣ ହେଉ ନଥିବାରୁ ୬ଟି ଗ୍ରାମର ଲୋକମାନେ ନାହିଁ ନଥିବା ହିନସ୍ତା ହେଉଛନ୍ତି । ଖବରରୁ ଜଣାଯାଇଛି ଯେ ରମ୍ପାସ-ବିରିଡି ୪କିଲୋମିଟର ରାସ୍ତାଟି ଗତ ୯ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହୋଇଥିଲା । ଏହି ରାସ୍ତାଦେଇ ବିରିଡି, ଅଣତିରା, ଆମ୍ବୋ, ଲଇଛଣପୁର, ସରଳ, କୋଳିପଦି ପ୍ରଭୃତି ଗ୍ରାମର ଲୋକମାନେ ଯାତାୟତ କରିଥାନ୍ତି । କିନ୍ତୁ ରାସ୍ତା ନିର୍ମାଣର ୫ବର୍ଷ ପରେ ରାସ୍ତାଟି ଧିରେଧିରେ ନଷ୍ଟ ହେବାକୁ ଲାଗିଥିଲା । ଏହି ରାସ୍ତାଦେଇ ବାଲିଗାଡି ଯାତାୟତ କରିବାରୁ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଲା । ଏବେ ବିରାଟ ବିରାଟ ଖାଲଖମା ସୃଷ୍ଟି ହେବାସହ ରାସ୍ତାଟି ଯାତାୟତ ଅନୁପଯୋଗୀ ହୋଇପଡିଛି । ରାସ୍ତାରେ ପାଣି ଜମିରହିବାରୁ ଲୋକମାନେ ଯିବାକୁ ଉଚିତ ମଣୁ ନାହାନ୍ତି । ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତୁରନ୍ତ ଉକ୍ତ ରାସ୍ତାକୁ ପୁନଃ ନିର୍ମାଣ କରିବାକୁ ବ୍ରହ୍ମାନନ୍ଦ ବେହେରା, ପ୍ରଶାନ୍ତ ବାରିକ, ଖଗେଶ୍ୱର ପରିଡା, ନିତ୍ୟାନନ୍ଦ ବେହେରା, ମଦନ ଘଡେଇ, ମଦନ ବାରିକ, ପ୍ରଭାସ ପଟ୍ଟନାୟକ, ରଶ୍ମୀରଞ୍ଜନ ରାଉତ, ଗଜେନ୍ଦ୍ର ପାତ୍ର, କୋହ୍ନ ଜେନା, ରବି ଜେନା, ଭଗବାନ ଜେନା, ଜିତେନ୍ଦ୍ର ରାଉତ, ପ୍ରେମାନନ୍ଦ ପଣ୍ଡା ପ୍ରମୁଖ ଅଣତିରା, ବିରିଡି, ଆମ୍ବୋ, ଲଇଛଣପୁର ପ୍ରଭୃତି ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି ।