ଭୁବନେଶ୍ୱର, ୦୭ ଜାନୁୟାରୀ (ଓଡ଼ିଆ ପୁଅ) – ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ହେଉଛି ବିଶ୍ୱର ଏକ ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର। ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କର ବିଶ୍ୱାସର ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀ। ପୁରୀର ବଡଦାଣ୍ଡ ହେଉଛି ଏକ ପବିତ୍ର ସ୍ଥାନ। ବର୍ଷକୁ ଥରେ ମହାପ୍ରଭୁ ଜଗନ୍ନାଥ ସେହି ପବିତ୍ର ବଡଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ପବିତ୍ର ବଡଦାଣ୍ଡକୁ ଆମିଷମୁକ୍ତ, ସେଠାରେ ମଦ ବିକ୍ରିକୁ ସମ୍ପୃର୍ଣ୍ଣ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳରେ ନେତା ପ୍ରଦୀପ୍ତ ନାଏକ।
ଶ୍ରୀ ନାଏକ ଚିଠିରେ ଲେଖିଛନ୍ତି ଯେ ବଦଦାଣ୍ଡରେ ଥିବା ଅନେକ ହୋଟେଲ ଓ ରେଷ୍ଟୁରାଂଟରେ ମଦ, ଆମିଷ ବିକ୍ରି କରାଯାଉଛି। ବିଳମ୍ବିତ ରାତ୍ରିରେ ଏପରିକି ଦିନବେଳେ ବି ମଦ ପିଇ ବଡଦାଣ୍ଡରେ ବିଶୃଙ୍ଖଳା କରୁଥିବାର ନଜିର ଅଛି। ଏହା ହେବାଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ମନରେ ଓଡିଶା ପ୍ରତି ଏକ ନକରାତ୍ମକ ଭାବନା ଆସୁଛି। ଏହାକୁ ତୁରନ୍ତ ବନ୍ଦ କରିବା ଦରକାର। ଆଗରୁ ଅନେକ ସାଧୁ ସନ୍ଥ ମାନେ ଏହି ଦାବି ଉଠାଇଛନ୍ତି। ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିରର ଚାରିପଟକୁ ସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏହା ସ୍ୱାଗତଯୋଗ୍ୟ। ଏହା ସହିତ ବଡଦାଣ୍ଡକୁ ମଦମୁକ୍ତ ଓ ଆମିଷମୁକ୍ତ କରିବାର ବି ଆବଶ୍ୟକତା ଅଛି। ଆଶାକରୁଛି ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବେ।