Home ଓଡ଼ିଶା ୩୦ଟି ଗଣମାଧ୍ୟମ ସଂସ୍ଥାକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ

୩୦ଟି ଗଣମାଧ୍ୟମ ସଂସ୍ଥାକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ

217

ଓଡ଼ିଶାରୁ ଦୈନିକ ‘ଓଡ଼ିଶା ଏକ୍ସପ୍ରେସ’ ଏବଂ ‘ଓଡ଼ିଶା ଟିଭି ଲିମିଟେଡ’ ସମ୍ମାନିତସମାଜର ବ୍ୟାପକ କଲ୍ୟାଣ ଲକ୍ଷ୍ୟ ନେଇ କାର୍ଯ୍ୟ କରିଥିବା ଗଣମାଧ୍ୟମ ସଂସ୍ଥାକୁ ସମ୍ମାନିତ କରିବା ପୁରସ୍କାରର ଉଦ୍ଦେଶ୍ୟ : ପ୍ରକାଶ ଜାଭଡେକର

ନୂଆ ଦିଲ୍ଲୀ ୭-୧ (ଓଡ଼ିଆ ପୁଅ) ଆଜି ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ମିଡିଆ ସେଂଟରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ୩୦ଟି ମନୋନିତ ଗଣମାଧ୍ୟମ ସଂସ୍ଥାକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନରେ ପୁରସ୍କୃତ କରିଛନ୍ତି।

ଓଡ଼ିଶାରୁ ଛାପା ଗଣମାଧ୍ୟମ ବର୍ଗରେ ଦୈନିକ ‘ଓଡ଼ିଶା ଏକ୍ସପ୍ରେସ’ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ବର୍ଗରେ ‘ଓଡ଼ିଶା ଟେଲିଭିଜନ ଲିମିଟେଡ’କୁ ଯୋଗର ପ୍ରଚାରପ୍ରସାର ଲାଗି ପୁରସ୍କୃତ କରାଯାଇଛି।

ସମାରୋହକୁ ସମ୍ବୋଧିତ କରି ଶ୍ରୀ ଜାଭଡେକର ଏହି ପୁରସ୍କାର ସମାଜର କଲ୍ୟାଣ ପାଇଁ ଯୋଗର ପ୍ରସାର ଦିଗରେ ପ୍ରମୁଖ ଭୂମିକା ତୁଲାଇଥିବା ଗଣମାଧ୍ୟମ ସଂସ୍ଥା ଲାଗି ଏକ ଅଦ୍ୱିତୀୟ ସମ୍ମାନ ବୋଲି ବର୍ଣ୍ଣନା କରିଥିଲେ। ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରୟାସକୁ ପ୍ରଶଂସା କରି ଶ୍ରୀ ଜାଭଡେକର କହିଥିଲେ ଯେ ମନ୍ତ୍ରଣାଳୟ ତରଫରୁ ଏହା ପ୍ରଥମ ଆୟୋଜନ ଯାହାକି ସମାଚାର, ବିଚାର ଏବଂ ବିଜ୍ଞାପନ ଠାରୁ ଊର୍ଦ୍ଧ୍ୱରେ। ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପ୍ରୟାସକୁ ମାନ୍ୟତା ଦେବାର ଏକ ନୂତନ ପ୍ରବୃତିକୁ ଏହା ଚିହ୍ନଟ କରୁଛି। ଏମାନେ ସମାଜର ଲାଭ ନିମନ୍ତେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାମ କରୁଛନ୍ତି।

ଶ୍ରୀ ଜାଭଡେକର ଲୋକମାନ୍ୟ ତିଳକଙ୍କୁ ସ୍ମରଣ କରି କହିଥିଲେ ଯେ ସେ ‘ସ୍ୱରାଜ୍ୟ’ ପ୍ରତି ସଚେତନତା ସୃଷ୍ଟି କରିବା ଲାଗି ‘କେଶରୀ’ ସମ୍ବାଦପତ୍ରକୁ ଏକ ମାଧ୍ୟମ ଭାବେ ଉପଯୋଗ କରିଥିଲେ। ସେ କହିଥିଲେ ଯେ ଆଜି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ‘ସୁରାଜ’ ପ୍ରତି ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରୁଛନ୍ତି, ଯେଉଁଠି ସମସ୍ତଙ୍କ ଲାଗି ଭଲ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ନାଗରିକ ସୁବିଧା ଉପଲବ୍ଧ ରହିଛି। ସେ ଏହାକୁ ଭାରତର ଦୃଢ଼ ଗଣତନ୍ତ୍ରର ପ୍ରତୀକ ବୋଲି କହିଥିଲେ।

ଶ୍ରୀ ଜାଭଡେକର ଯୋଗକୁ ରୋଗମୁକ୍ତ ସ୍ୱାସ୍ଥ୍ୟର ସବୁଠୁ ବଡ଼ ପୁଞ୍ଜି ବୋଲି କହିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଏବଂ ପ୍ରୟାସ କାରଣରୁ ଭାରତର ପରିଚୟ ଯୋଗକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି। ମିଳିତ ଜାତିସଂଘରେ ସ୍ପଷ୍ଟ ବହୁମତ ସହିତ ଭାରତର ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସକୁ ସମର୍ଥନ କରାଯାଇଥିଲା। ସେ ପୁରସ୍କାର ଲାଭ କରିଥିବା ସଂସ୍ଥା ଏବଂ ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଶ୍ରୀପଦ ୟେସୋ ନାଇକ ଯୋଗ ଦିବସ ମିଡିଆ ସମ୍ମାନର ଏହି ନୂତନ ପ୍ରୟାସର ସଫଳ ଆୟୋଜନ ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଯୋଗକୁ ଆମ ସଭ୍ୟତାର ଏକ ପ୍ରାଚୀନ ଐତିହ୍ୟ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ମାଧ୍ୟମରେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ସୁଖୀ ହୋଇପାରିବ।

ନିଜ ଉଦବୋଧନରେ ବିଚାରକ ମଣ୍ଡଳୀ ତଥା ପ୍ରେସ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ବିଚାରପତି ସି.କେ ପ୍ରସାଦ ଯୋଗକୁ ବିପଦମୁକ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ଲାଭ ପାଇଁ ନିବେଶ ଭାବେ ବର୍ଣ୍ଣନା କରିଥିଲେ। ଏଥିପୂର୍ବରୁ ନିଜର ସ୍ୱାଗତ ଭାଷଣରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟ କହିଥିଲେ ଯେ ଏହି ପୁରସ୍କାର ଗଣମାଧ୍ୟମ ସ୍ୱାଧୀନତାରେ ସୁଦୃଢ଼ ବିଶ୍ୱାସ ଏବଂ ସୂଚନା ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ସେ କହିଥିଲେ ଯେ ଗଣମାଧ୍ୟମ ସାମାଜିକ ଓ ସାର୍ବଜନୀନ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥାଏ।

ଏହି ଅବସରରେ ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ ରବି ମିତଲ, ଉପସଚିବ ଅତୁଲ ତିୱାରୀ ଓ ବରିଷ୍ଠ ଅଧିକାରୀଗଣଙ୍କ ସମେତ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.