ବାଲିଗୁଡା, ୫/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗତ ୨୦୦୮ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣନନ୍ଦ ସରସ୍ବତୀ ହତ୍ୟା ମାମଲାରେ ପାଞ୍ଚ ଜଣ ଆଜୀବନ କାରାଗାରରେ ଦଣ୍ଡିତ ବନ୍ଦୀଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି। ଏମାନେ ହତ୍ୟା ମାମଲା ରେ ଆଜୀବନ ସଜ୍ଜା କାଟୁଥିବା ବେଳେ ରାଜ୍ୟ ମିଥ୍ୟା ମକଦମା ବିରୋଧୀ ଅଭିଯାନ ଓ ସାମ୍ବାଦିକଙ୍କ ପକ୍ଷରୁ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଏମାନଙ୍କୁ ମୁକ୍ତି ଦେବା ପାଇଁ ପ୍ରୟାସ ଚଳାଇଥିଲେ। ଗତ ୨୬ ତାରିଖ ସମ୍ବିଧାନ ଦିବସରେ ସୁପ୍ରୀମ କୋର୍ଟ ପାଞ୍ଚ ଜଣ ଦୋଷୀକୁ ଜାମିନ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଜାମିନ ବଳରେ ଗୁରୁବାର ବାଲିଗୁଡା ଉପଖଣ୍ଡ କାରାଗାରରେ ଆଜୀବନ ସଜ୍ଜା କାଟୁଥିବା ଦୁର୍ଯ୍ୟୋଧାନ ସୁନା ମାଝି, ଭାସ୍କର ସୁନା ମାଝି ଓ ମୁଣ୍ଡା ବଡ ମାଝି, ତିନିଜଣଙ୍କୁ ସୁପ୍ରିମ କୋର୍ଟଙ୍କ ଜାମିନ ବଳରେ କାରାଗାରରୁ ବାହାରିଛନ୍ତି। ଅନ୍ୟ ଦୁଇ ଜଣ ବୁଦ୍ଧଦେବ ନାୟକ ଭଞ୍ଜନଗର ଜେଲ ଓ ସନାତନ ବଡ଼ ମାଝୀ ଏମ. ରାମପୁର ଜେଲ ରୁ ଜାମିନ ରେ ବାହାରିବେ ବୋଲି ଜଣାପଡିଛି। ତେବେ ଦୀର୍ଘ ଏଗାର ବର୍ଷ ପରେ ଜାମିନ ପାଇଥିବାରୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ନିଜକୁ ନିର୍ଦୋଷ ପ୍ରମାଣ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।