ଭୁବନେଶ୍ୱର:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ସାପ୍ତାହିକ ରାଷ୍ଟ୍ରଦୀପର ପ୍ରଥମ ସଂପାଦକ ହରିହର ନନ୍ଦଙ୍କର ସୋମବାର ଭୋର ୩ଟା ୧୫ ମିନିଟ ସମୟରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।ସେ ଲିଭର୍ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।ସୋମବାର ଦିନ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଶ୍ରୀ ନନ୍ଦ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତମାନଙ୍କ ମଧ୍ୟରେ ହରିହର ଦା” ଭାବେ ବେଶ୍ ଲୋକପ୍ରିୟ ଥିଲେ।କୋଲକାତାଠାରେ ବିଏସ୍ସି ପଢ଼ୁଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂପର୍କରେ ଆସିଥିଲେ ହରିହର ଦା”।ତା’ ପରେ ପଶ୍ଚିମବଙ୍ଗର ନକସଲବାଡ଼ିରେ ପ୍ରଥମେ ବିସ୍ତାରକଭାବେ କାର୍ଯ୍ୟ କରିଥିଲେ।ଏହାପରେ ୧୯୬୪ ମସିହାରୁ ୧୯୭୫ ମସିହା ଯାଏଁ ସାପ୍ତାହିକ ରାଷ୍ଟ୍ରଦୀପର ପ୍ରତିଷ୍ଠାତା ସଂପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।ପରେ ହରିହର ନନ୍ଦ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ,ପ୍ରାନ୍ତ ପ୍ରଚାରକ ଏବଂ କ୍ଷେତ୍ରୀୟ ପ୍ରଚାର ପ୍ରମୁଖ ତଥା ଅଖିଳ ଭାରତୀୟ ହିନ୍ଦୁ ଜାଗରଣ ପ୍ରମୁଖ ଆଦି ଦାୟିତ୍ୱ ନିର୍ବାହ କରିଥିଲେ।ତାଙ୍କର ବିୟୋଗରେ ସଂଘ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ମରଶରୀରକୁ ଭୁବନେଶ୍ୱର ଉକ୍ରଳ ବିପନ୍ନ ସହାୟତା ସମିତି ପରିସରକୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା।ସେଠାରୁ କଟକ ସଂଘ କାର୍ଯ୍ୟାଳୟକୁ ନିଆଯାଇଥିଲା।ସଂଘର ପ୍ରାୟ ସମସ୍ତ ବରିଷ୍ଠ ଅଧିକାରୀ,ସ୍ୱୟଂସେବକ,ଶୁଭେଚ୍ଛୁ ଏବଂ ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।
ଶ୍ରୀ ନନ୍ଦ ୧୯୩୬ ମସିହା ଜୁଲାଇ ୧୭ ତାରିଖରେ ବାଲେଶ୍ୱର ଲଙ୍ଗଳେଶ୍ୱର ନିକଟସ୍ଥ ବାଳିଆପାଟିରେ ଜନ୍ମ ନେଇଥିଲେ।ସେ କଲିକତା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ଓ ଆଇନରେ ସ୍ନାତକ କରିଥିଲେ।ସେଠାରୁ ଆସି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।ଓଡ଼ିଶା ସେ ସମୟରେ ସଂଘ ଦୃଷ୍ଟିରୁ ଏକ ବିକଶିତ ପ୍ରାନ୍ତ ନ ଥିଲା।୧୯୭୪ରେ ଶ୍ରୀ ନନ୍ଦ ପ୍ରାନ୍ତ କାର୍ଯ୍ୟବାହ ଦାୟିତ୍ୱ ବହନ କରିଥିଲେ।ସେହି ସମୟରେ ପ୍ରାନ୍ତ ସଂଘଚାଳକ ସ୍ୱର୍ଗତ ଭୂପେନ କୁମାର ବସୁ ଏବଂ ସ୍ୱର୍ଗତ ବାବୁରାଓ ପାଲଧିକର ପ୍ରାନ୍ତ ପ୍ରଚାରକ ଥାଇ ବିଧିବଦ୍ଧ ଭାବରେ ପ୍ରାନ୍ତ କାର୍ଯ୍ୟକାରିଣୀ ଗଠିତ ହୋଇଥିଲା।ଏହା ପରେ ୧୯୭୫, ଜୁନ୍ ୨୬ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପରେ ସଂଘକୁ ବେଆଇନ ଘୋଷଣା କରାଗଲା । ସେ ସମୟରେ ସଂଘର ସ୍ୱୟଂସେବକମାନେ ଭୂମିଗତ ରହି ଯେଉଁ ଆନ୍ଦୋଳନ ଚଲାଇଥିଲେ ତାକୁ ଓଡ଼ିଶାରେ ନେତୃତ୍ୱ ଦେଇଥିଲେ ଶ୍ରୀ ନନ୍ଦ ।
ଜରୁରୀକାଳୀନ ପରିସ୍ଥିତି ପରେ ସ୍ୱର୍ଗତ ପାଲଧିକର କ୍ଷେତ୍ର ପ୍ରଚାରକ ହୋଇ କଲିକତାକୁ ଯିବା ପରେ ଶ୍ରୀ ନନ୍ଦ ଓଡ଼ିଶାର ପ୍ରାନ୍ତ ପ୍ରଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।ଏହି ଦାୟିତ୍ୱ ଅନେକ ବର୍ଷ ତୁଲାଇବା ପରେ ସେ ଓଡ଼ିଶା ଓ ଅବିଭକ୍ତ ଆନ୍ଧ୍ରକୁ ନେଇ ଗଠିତ ଆଗ୍ନେୟ କ୍ଷେତ୍ରର କ୍ଷେତ୍ରୀୟ ବୌଦ୍ଧିକ ପ୍ରମୁଖ ଓ ପ୍ରଚାର ପ୍ରମୁଖ ଏବଂ ପରେ ହିନ୍ଦୁ ଜାଗରଣ ସାମୁଖ୍ୟର ଅଖିଳ ଭାରତୀୟ ସଂଯୋଜକ ଦାୟିତ୍ୱ ନିର୍ବାହ କରିଥିଲେ।ବୟସ ଦୃଷ୍ଟିରୁ ଦାୟିତ୍ୱ ମୁକ୍ତ ହେବା ପରେ ସଂଘର କଟକ କାର୍ଯ୍ୟାଳୟରେ ରହି ଓଡ଼ିଶାରେ ସଂଘ କାର୍ଯ୍ୟକୁ ମାର୍ଗଦର୍ଶନ ଦେଇଆସୁଥିଲେ।ସେ ସଂଘର ପୂର୍ବତନ ସରକାର୍ଯ୍ୟବାହ ଏଚ୍.ଭି. ଶେଷାଦ୍ରିଙ୍କ ଲିଖିତ ବହୁ ଚର୍ଚ୍ଚିତ ପୁସ୍ତକ ବଂଚ ଅଫ୍ ଥଟ୍ସର ଚିନ୍ତା ଚୟନ (୧ମ ଓ୨ୟ ଭାଗ)ନାଁ ରେ ଓଡ଼ିଆ ଅନୁବାଦ କରିଥିଲେ ।
ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟରେ ସଂଘର ସ୍ୱୟଂସେବକମାନଙ୍କ ସାଧନା ଓ ବଳିଦାନକୁ ନେଇ ‘ନ ଫୁଲ୍ ଚଢ଼େ ନ ଦୀପ୍ ଜଲେ’ ପୁସ୍ତକର ଓଡ଼ିଆ ଅନୁବାଦ ‘ଅପୂଜା ଦିଅଁ’ ଅନ୍ୟତମ।ଏହା ବ୍ୟତୀତ ‘ଦେଶର ହତ୍ୟା’, ‘ମୋପଲା’, ‘ସଂଘ ପରିଚୟ’, ବାବାସାହେବ ଆପତେ୍ଙ୍କ ଲିଖିତ ଦଶାବତାର, ଭାଓ ସାହେବ ଭୁସ୍କୁଟେଙ୍କ ଲିଖିତ ‘ଲୋକ ସଂଗ୍ରହ’, ଦତୋପନ୍ତ ଠେଙ୍ଗଡୀଙ୍କ ଲିଖିତ ‘ସଂଘ, ବିବିଧ କ୍ଷେତ୍ର ଏବଂ ତ୍ରିିବିଧ ପଥ୍ୟ’, ମାନନୀୟ ରଙ୍ଗାହରିଙ୍କ ଦ୍ୱାରା ଲିଖିତ ‘ଶ୍ରୀ ଗୁରୁଜୀ ଚରିତ’ ଆଦି ଅନେକ ପୁସ୍ତକର ଅନୁବାଦ କରିଛନ୍ତି।‘ସନ୍ଥବାଣୀ’ ପୁସ୍ତକର ମଧ୍ୟ ସେ ସଂକଳନ କରିଛନ୍ତି।ତାଙ୍କର ଅପ୍ରକାଶିତ କୃତିଗୁଡ଼ିକ ମଧ୍ୟରେ ରହିଛି ‘ମା’ ନର୍ମଦା’।//ଦେବଦତ୍ତ ରଥ