Home ଜିଲ୍ଲା ପରିକ୍ରମା ୮୯ ତମ ଓଡ଼ିଶା ଦିବସ ଭଦ୍ରକ ଜିଲ୍ଲାସ୍ତରରେ ପାଳିତ

୮୯ ତମ ଓଡ଼ିଶା ଦିବସ ଭଦ୍ରକ ଜିଲ୍ଲାସ୍ତରରେ ପାଳିତ

10

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳରେ ପ୍ରାତଃ ଉତ୍କଳ ବନ୍ଦନା ଡାକବାଜି ଯନ୍ତ୍ର ଦ୍ୱାରା ପରିବେଷଣ ପୂର୍ବକ ପରିକ୍ରମା କାର୍ଯ୍ୟକ୍ରମରୁ ଭଦ୍ରକ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ଆରମ୍ଭ କରାଯାଇଥିଲା । ସକାଳେ ଭଦ୍ରକ ସହର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଆଧାରରେ ସରକାରୀ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଏହି ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଭବନରେ ପୂର୍ବାହ୍ନରେ ଉକ୍ତ ଦିବସ ପାଳନ ଉପଲକ୍ଷେ ଏକ ସାଧାରଣ ସଭା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସଭା କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲା । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗଦେଇ ଓଡ଼ିଶା ପ୍ରଦେଶ ଗଠନରେ ବିଶେଷ ଅବଦାନ ରଖିଥିବା ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆମ ଦେଶରେ ଅନନ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ରାମଦାସ ଟୁଡ଼ୁ ମୁଖ୍ୟ ବକ୍ତା, ଉପଜିଲ୍ଲାପାଳ ମନୋଜ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଇତିହାସ, ଓଡ଼ିଆ ଭାଷାର ମହତ୍ତ୍ୱ ଓ କଳାସଂସ୍କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ଏହି କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୋଜକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ । ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରାନଯିବା ଆଧାରରେ ୧୮ ବର୍ଷ ବୟସରୁ କମ୍ କେବଳ ସ୍କୁଲ ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସକାଳେ ମାଲ୍ୟାର୍ପଣ କରାଯାଇଥିବା ସମସ୍ତ ପ୍ରତିମୂର୍ତ୍ତି ଓ ଜିଲ୍ଲା କାର୍ଯ୍ୟାଳୟ କୋଠା କୁ ସୁନ୍ଦର ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ସଂପୃକ୍ତ ବିଭାଗୀୟ କର୍ମଚାରୀ ମୀନାକ୍ଷୀ ଗରାବଡ଼ୁ, ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.