Home ଜିଲ୍ଲା ପରିକ୍ରମା ସଂପାଦକ ନୁର୍ ମହମ୍ମଦ୍‌ଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୟୁନାଇଟେଡ୍ କ୍ଲବ୍‌ର ପ୍ରାର୍ଥନା ସଭା

ସଂପାଦକ ନୁର୍ ମହମ୍ମଦ୍‌ଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୟୁନାଇଟେଡ୍ କ୍ଲବ୍‌ର ପ୍ରାର୍ଥନା ସଭା

6

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ୟୁନାଇଟେଡ୍ କ୍ଲବ୍‌ର ସାଧାରଣ ସମ୍ପାଦକ ନୁର୍ ମହମ୍ମଦ୍ ଖାନ୍ ଗତ୨୦ ତାରିଖ ରାତିରେ ହୃଦ୍‌ଘାତ ହେତୁ ୫୩ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ । ଏହି ଅସମୟ ମୃତ୍ୟୁ କ୍ଲବ୍ ପ୍ରତି ଏକ ଅପ୍ରତ୍ୟାଶିତ ବଜ୍ରାଘାତ ସଦୃଶ ଥିଲା । ନୁର୍ ମହମ୍ମଦ୍ ରାମଚନ୍ଦ୍ର ବିହାରୀ ଲାଲ୍ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ସମୟରେ କ୍ଲବ୍ ସଂସ୍ପର୍ଶରେ ଆସିଥିଲେ । ତାଙ୍କର ନମ୍ର ବ୍ୟବହାର କ୍ଲବ୍‌ର ସମସ୍ତ ବରିଷ୍ଠ ଓ କନିଷ୍ଠଙ୍କ ହୃଦୟ ଜିଣିଥିଲା । ସମ୍ମାନ ଜନକ ବୀରେନ୍ ପଲାଇ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ହେଉ ଅଥବା କ୍ଲବ୍‌ର ଅଟ୍ଟାଳିକା ନିର୍ମାଣ ହେଉ, ସବୁ ଘଟଣାରେ ତାଙ୍କ ହାତର ସ୍ପର୍ଶ ଥିଲା । ଜଣେ ଇସଲାମ୍ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ, ତାଙ୍କଠି ଧାର୍ମିକ ସଂକୀର୍ଣ୍ଣତା ନଥିଲା । କ୍ଲବ୍ ଦ୍ୱାରା ଆୟୋଜିତ ହୋଇ ଆସୁଥିବା ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ତାଙ୍କର ମୁଖ୍ୟ ଭୂମିକା ଥିଲା । କହିବା ବାହୁଲ୍ୟ, ଯେ ସେ ଚରମ୍ପାରେ ନୁର୍ ମହମ୍ମଦ୍ ନାମରେ କମ୍‌, କାଳନ୍ଦୀ ପାଣିଗ୍ରାହୀ ନାମରେ ଅଧିକ ପରିଚିତ ଥିଲେ । ସ୍କୁଲ୍ ରୋଡ଼ ପୂଜା କମିଟିର ଯୁଗ୍ମ ସମ୍ପାଦକ ଭାବେ ଐତିହାସିକ କାଳିପୂଜା ଆୟୋଜନ ବେଳେ ତାଙ୍କର ଭୂମିକା, ତାଙ୍କ ସର୍ବଧର୍ମ ପ୍ରୀତିର ଆଉ ଗୋଟିଏ ନଜିର । ତାଙ୍କ ଅମୃତ ଆତ୍ମାର ମୋକ୍ଷପ୍ରାପ୍ତି ନିମନ୍ତେ ଏକ ପ୍ରାର୍ଥନା ସଭା ୟୁନାଇଟେଡ୍ କ୍ଲବ୍ ତରଫରୁ ରବିବାର ସନ୍ଧ୍ୟାରେ ହେପ୍ପୀ ହୋମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ସଭାପତି ବିଶାଲ୍ ଗୋପାଲ୍ ଲଖାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ପୂର୍ବତନ ସାଧାରଣ ସମ୍ପାଦକ, ଅଧ୍ୟାପକ ବିଜୟ କୁମାର ଜେନା, କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ସଭାରେ ଉପସ୍ଥିତ ଥିବା କ୍ଲବ୍‌ର ଶତାଧିକ ସଦସ୍ୟ ପ୍ରଥମେ ନୁର୍ ମହମ୍ମଦ୍‌ଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ, ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

ଏହାପରେ କ୍ଲବ୍‌ର ଅନେକ ସଦସ୍ୟ ତଥା ଭଦ୍ରକର ମାନ୍ୟଗଣ୍ୟ ବ୍ୟକ୍ତି ଦିବଂଗତ ନୁର୍ ମହମ୍ମଦ୍‌ଙ୍କ ସହିତ ସେମାନଙ୍କର ବ୍ୟକ୍ତିଗତ ଓ ସାମାଜିକ ସମ୍ପର୍କର ସ୍ମୃତିଚାରଣ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ : ଭଦ୍ରକର ପୁର୍ବତନ ବିଧାୟକ ନରେନ୍ ପଲାଇ, ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ଉପେନ୍ଦ୍ର କୁମାର ବାରିକ, କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତି, ବିଶିଷ୍ଟ ଭଲିବଲ୍ କ୍ରୀଡାବିତ୍ ହିମାଂଶୁ ଶେଖର ଦାସ, ଭଦ୍ରକର ସ୍ୱତନ୍ତ୍ର ପିପି, ଆଇନଜୀବୀ ପବନ କୁମାର ଶର୍ମା, ପୌରପାଳିକା ପାରିଷଦ ଦିଲ୍ଲୀପ ନାୟକ, ପୂର୍ବତନ ଉପସଭାପତି ପାର୍ଥସାରଥୀ ରାୟ, ଓଡିଶା କ୍ରିକେଟ୍ ଆସୋସିଏସନ୍‌ର ପୂର୍ବତନ ଅଧ୍ୟକ୍ଷ ଧୀରେନ୍ ପଲାଇ, ଓଡିଶା କୋଚ୍ କେ.ଭି. ପ୍ରସାଦ, ଅମ୍ପାୟାର୍ ଲଲାଟ କେଶରୀ ନନ୍ଦ, ସ୍କୁଲ୍ ରୋଡ୍ କାଳିପୂଜା କମିଟିର ସଂପାଦକ ମଦନ ମହାନ୍ତି, ୟୁନାଇଟେଡ୍ କ୍ଲବ୍ ଫୁଟବଲ୍ ଟିମ୍ ସଂଗଠକ ରୁସ୍ତମ୍ ଖାନ୍‌, ସହସମ୍ପାଦକ ସୁରେଶ ପଲାଇ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଜେନା ଓ ଉପସଭାପତି ଅନୁପ ନାୟକ । ଏହି ସଭାରେ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ଲକ୍ଷ୍ମୀଧର ଜେନା, ବିଜୟ ଲଖାନୀ, ରତିକାନ୍ତ ପରିଡା, ସୁଶୀଲ ପଟ୍ଟନାୟକ, କ୍ରୀଡାବିତ୍ ଦିଲ୍ଲୀପ ନାୟକ, ଚନ୍ଦ୍ରଭାନୁ ପଲାଇ, ସୁମିଲନ୍ ବାରିକ, ଉତ୍ତମ ବାରିକ, ରବିନାରାୟଣ ଓଝା, ଚନ୍ଦନ ନାୟକ, ରୁଦ୍ରନାରାୟଣ ବାରିକ, ସୁରେଶ ଦାସ, ଅମ୍ପାୟାର୍ ଦେବଦତ୍ତ ରାଉତରାୟ ଆଦି ବରିଷ୍ଠ ସଦସ୍ୟ ମାନଙ୍କ ସହିତ ସାମାଜିକ କର୍ମୀ ବିଦ୍ୟାଧର ବାରିକ, ସବୁଜ କ୍ଲବ୍ ସମ୍ପାଦକ ଅଜୟ କୁମାର ଧଳ, ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡିଶା ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, ଓଡିଶା ପୋଲିସ୍‌ର ଫୁଟବଲ୍ କ୍ରୀଡାବିତ୍ ମହେନ୍ଦ୍ର ନାୟକ, ରୋଭର୍ସ କ୍ଲବ ତଥା ୟୁନାଇଟେଡ୍ କ୍ଲବ୍‌ର ଫୁଟବଲ୍‌, କ୍ରିକେଟ୍‌, ଭଲିବଲ୍ ଓ ଆଥଲେଟିକ୍ ଟିମ୍‌ର କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବତନ ସାଧାରଣ ସଂପାଦକ ବିଜୟ କୁମାର ଜେନା ସହମତି ଭିତ୍ତିରେ କ୍ଲବର କାର୍ଯ୍ୟକାରିଣୀର ପୁନର୍ଗଠିତ ପଦାଧିକାରୀଙ୍କ ନାମ ଘୋଷଣା କରିଥିଲେ । ଏହି ନବଗଠିତ କାର୍ଯ୍ୟକାରିଣୀରେ ହେମନ୍ତ କୁମାର ମିଶ୍ର (ବବି)ଙ୍କୁ ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିବା ବେଳେ ସଭାପତି ପଦରେ କାର୍ଯ୍ୟରତ ବିଶାଲ୍ ଗୋପାଲ୍ ଲଖାନୀ ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ । ଅନୁପ ନାୟକ ଉପସଭାପତି ରୂପେ, ସୁରେଶ ପଲାଇ ସହସମ୍ପାଦକ ରୂପେ ଓ ସନ୍ତୋଷ କୁମାର ଜେନା କୋଷାଧ୍ୟକ୍ଷ ରୂପେ ଅପରିବର୍ତ୍ତିତ ରହିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.