Home ଜିଲ୍ଲା ପରିକ୍ରମା ୫୨ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ,ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସର ତୃତୀୟ ବୈଠକ

୫୨ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ,ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସର ତୃତୀୟ ବୈଠକ

1

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆଜି ଭଦ୍ରକ କଲେକ୍ଟରେଟ୍ ସ୍ଥିତ ସଦ୍ଭାବନା ସଭାଗୃହରେ ୫୨ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଦୁର୍ଘଟଣା ହ୍ରାସ, ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ ଏବଂ ବିଭିନ୍ନ ସଡ଼କ ସୁରକ୍ଷା ପଦକ୍ଷେପର ସମୀକ୍ଷା କରାଯାଇଥିଲା। ଏଥିସହ ୫୧ତମ ଡିଆରଏସସି ବୈଠକରେ ନିଆଯାଇଥିବା ନିଷ୍ପତି ଓ ପ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଭଦ୍ରକ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସର ତୃତୀୟ ବୈଠକରେ ଗତ ୧୨.୦୮.୨୦୨୬ରେ ଅନୁଷ୍ଠିତ ଦ୍ୱିତୀୟ ବୈଠକର ନିଷ୍ପତିଗୁଡ଼ିକର ଅଗ୍ରଗତି ଓ ବର୍ତମାନ ସ୍ଥିତି ସମୀକ୍ଷା କରାଯାଇଥିଲା। ବୈଠକରେ ତ୍ରିଶାଳପୁର ଫ୍ଲାଏଓଭରର ଗର୍ତ ମରାମତି ସହ ସର୍ଭିସ୍ ରୋଡ୍‌?କୁ ଯାତାୟାତ ଉପଯୋଗୀ କରିବା, ଏନ୍‌ଏଚ୍‌-୧୬ କଡ଼ରେ ଚିହ୍ନଟ ହୋଇଥିବା ୭୯୬ଟି ଜବରଦଖଲ ମଧ୍ୟରୁ ବକେୟା ୪୬୩ଟି ଜବରଦଖଲ ଉଚ୍ଛେଦ ଏବଂ ଉଚ୍ଛେଦ ହୋଇଥିବା ସ୍ଥାନରେ ସ୍ଥାୟୀ ସୀମା ଖୁଂଟ ସ୍ଥାପନ ନେଇ ଆଲୋଚନା ହୋଇଥିଲା। ଏଥିସହ ଏନ୍‌ଏଚ୍‌ରେ ପାଟ୍ରୋଲିଂ, ଦୁର୍ଘଟଣା ପରବର୍ତୀ ଜରୁରୀକାଳୀନ ପ୍ରତିକ୍ରିୟା, ଉଦ୍ଧାର କାର୍ଯ୍ୟ ଏବଂ ଅନଧିକୃତ ଭାବେ ପାର୍କିଂ ହୋଇଥିବା ଯାନବାହନକୁ କ୍ରେନ୍ ମାଧ୍ୟମରେ ହଟାଇବା ପାଇଁ ସମନ୍ୱିତ ଏସଓପି ପ୍ରସ୍ତୁତ କରାଯାଇଥିବା ସହ ଏନ୍‌ଏଚ୍‌ଏଆଇର ଟୋଲ୍ ଫ୍ରି ନମ୍ବର ୧୦୩୩ ସମ୍ପର୍କରେ ମଧ୍ୟ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜପଥ ପାର୍ଶ୍ୱରେ ଅନଧିକୃତ ଜମି ବ୍ୟବହାର ଓ ନିର୍ମାଣକୁ ରୋକିବା ସହ ନିର୍ଦ୍ଧାରିତ ସେଟ୍‌ବ୍ୟାକ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଇବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏନ୍‌ଏଚ୍‌ର କେନ୍ଦ୍ରରେଖାଠାରୁ ଆବାସିକ ବ୍ୟବହାର ପାଇଁ ୪୦ ମିଟର ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ୭୫ ମିଟର ଦୂରତା ସମ୍ପର୍କିତ ପ୍ରଚଳିତ ନିୟମ ଓ ନିର୍ଦ୍ଦେଶନାମା ପାଳନ ନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା। ଅରାଡ଼ି ଛକଠାରେ ଅବଶିଷ୍ଟ ପ୍ରାୟ ୧୦ ମିଟର ଡ୍ରେନ୍ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଏଚ-୧୬ରେ ସାଇନେଜ୍‌, ସ୍ପିଡ୍ ଲିମିଟ୍ ବୋର୍ଡ, ରୋଡ୍ ମାର୍କିଂ, ଆଲୋକୀକରଣ ଆଦିର ସମଗ୍ର ସୁରକ୍ଷା ଅଡିଟ୍ କରି ଚିହ୍ନଟ ତ୍ରୁଟିଗୁଡ଼ିକର ତୁରନ୍ତ ସୁଧାର କରିବାକୁ ଜାତୀୟ ରାଜପଥ କର୍ତୃପକ୍ଷକୁ କୁହାଯାଇଛି। ଏ ସମ୍ପର୍କିତ ଅନୁପାଳନ ରିପୋର୍ଟ ଜାତୀୟ ରାଜପଥ କର୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ଦାଖଲ କରାଯିବ। ଏନଏଚ-୧୬ରେ ସାଇନେଜ୍ ଉନ୍ନତିକରଣ ପାଇଁ ଚଳିତ ବର୍ଷ ଜାତୀୟ ରାଜପଥ କର୍ତୃପକ୍ଷ ପକ୍ଷରୁ ପୃଥକ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି। ରାଜପଥ ନିର୍ମାଣ କାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପାଦନ ସହ କାର୍ଯ୍ୟସ୍ଥଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତ୍ରିଶଳପୁରଠାରେ ତୁରନ୍ତ ସୁରକ୍ଷାମୂଳକ ପଦକ୍ଷେପ ନେବା ସହ ଫ୍ଲାଏଓଭର କାର୍ଯ୍ୟକୁ ପ୍ରାଥମିକତା ଭିତିରେ ଏକ ମାସ ମଧ୍ୟରେ ସମାପ୍ତ କରିବାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି, ବାସୁଦେବପୁର ହସ୍ପିଟାଲ, ତହସିଲ ଓ ପୌର କାର୍ଯ୍ୟାଳୟ ନିକଟସ୍ଥ ବସ୍ ରହଣୀ ସ୍ଥଳଗୁଡ଼ିକୁ ସ୍ଥାନାନ୍ତର କରି ଯାତାୟାତକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରସ୍ତାବ ଦାଖଲ ହୋଇଥିବା ଏବଂ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି। ଏନଏଚ-୧୬ରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ରୋକିବା ପାଇଁ ପୋଲିସ ଓ ଆରଟିଓର ମିଳିତ ଏନ୍‌ଫୋର୍ସମେଂଟ ଅଭିଯାନ ନିୟମିତ ଭାବେ ଜାରି ରହିଛି। ଜିଲ୍ଲାରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଉକ୍ତ ବୈଠକରେ ଏସ୍‌ପି ମନୋଜ ରାଉତ , ଅତିରିକ୍ତ ଜ଼ିଲ୍ଲାପାଳ ରବି ନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ସୁପରିେଂଟଣ୍ଡିଂ ଇଞ୍ଜିନିୟର, ଆର ଆଣ୍ଡ୍‌ବି, ଆରଡି ବିଭାଗର ଅଧିକାରୀ, ଜାତୀୟ ରାଜପଥ କର୍ତୃପକ୍ଷ ର ଅଧିକାରୀ , ଜିଲ୍ଲା ଶିକ୍ଷାଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଆରଟିଓ ଭଦ୍ରକଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କମିଟି ସଦସ୍ୟ ଅତିସ ବେହେରା, ରବିନାରାୟଣ ଖିଲାର, ଶ୍ରୀନିବାସ ପତି ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.