Home ଅପରାଧ ୪ଘଣ୍ଟାର ଅପରେସନ ପରେ ଗିରଫ କୁଖ୍ୟାତ ଅପରାଧୀ ଈଶ୍ୱର – ହାତବୋମା-ପଥର ମାଡ଼ରେ ଆହତ ପୁଲିସ

୪ଘଣ୍ଟାର ଅପରେସନ ପରେ ଗିରଫ କୁଖ୍ୟାତ ଅପରାଧୀ ଈଶ୍ୱର – ହାତବୋମା-ପଥର ମାଡ଼ରେ ଆହତ ପୁଲିସ

159

ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ଦୀର୍ଘ ସାଢ଼େ ୪ଘଣ୍ଟାର ଅପରେସନ ପରେ ବାଲେଶ୍ୱରର ଅନ୍ୟତମ କୁଖ୍ୟାତ ଅପରାଧୀ ତଥା ହାଇୱେ ଲୁଟେରା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗ୍ରାମର ଲକ୍ଷ୍ମଣ ମହାଳିକଙ୍କ ପୁତ୍ର ଈଶ୍ୱର ମହାଳିକ(୫୧)କୁ କାବୁ କରିବାରେ ସଫଳ ହୋଇଛି ଜିଲ୍ଲା ପୁଲିସ। ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଅଭିଯୁକ୍ତ ଈଶ୍ୱରକୁ ଆଜି ଧରିବା ପାଇଁ ସହଦେବଖୁଣ୍ଟା ଥାନା ଓ ରେମୁଣା ଥାନାର ପୁଲିସ ଟିମ୍ ସମେତ ଏକ ପ୍ଲାଟୁନ୍ ଫୋର୍ସ ଓ ଓଡ୍ରାଫ ଟିମ୍ ପ୍ରାୟ ଭୋର ୪ ଟା ବେଳେ ପହଞ୍ଚି ସାମୁରାଇପୁରସ୍ଥିତ ତା’ର ଘରକୁ ଘେରାଓ କରିଥିଲେ। ମାତ୍ର ଈଶ୍ୱର ଓ ତାର ପରିବାର ଲୋକେ ଘରର ଫାଟକ କିମ୍ବା କବାଟ ଖୋଲି ନଥିଲେ। ଅପରନ୍ତୁ ପୂର୍ବପରି ପୁଲିସକୁ ଘଉଡ଼ାଇବା ପାଇଁ ଈଶ୍ୱର ଓ ତାର ପରିବାର ଲୋକେ ଘରର ଉପର ମହଲାରୁ କାଚ ବୋତଲ, ପଥର, ବୋମାର ସାହାଯ୍ୟ ନେଇଥିଲେ। ସେମାନେ ଆତଙ୍କ ଖେଳାଇବାକୁ ପୁଲିସ ଉପରକୁ ୪ଗୋଟି ହାତ ବୋମା ସହ ପଥର ଓ କାଚଆଦି ଫିଙ୍ଗିଥିଲେ। ଏଥିରେ କେତେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ବି ଅପରେସନରୁ ହଟି ନଥିଲେ। ଏମିତିକି ଘର ଉପରୁ ଗ୍ୟାସ ଟାଙ୍କିରେ ନିଆଁ ଲଗାଇ ପୁଲିସ ଉପରକୁ ଫିଙ୍ଗିବା ନେଇ ଈଶ୍ୱର ଧମକ ମଧ୍ୟ ଦେଇଥିଲା। ଖବର ପାଇ ୩ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସେଠାରେ ପହଞ୍ଚି ଈଶ୍ୱରଙ୍କ ପରିବାର ଲୋକଙ୍କୁ ବାଝାସୁଝା କରିବା ପରେ ଶେଷରେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସଦର ଏଡିସନାଲ ତହସିଲଦାର ଶତ୍ରୁଘ୍ନ ସଠୀଙ୍କ ଉପସ୍ଥିତିରେ ଈଶ୍ୱର ଆତ୍ମ ସମର୍ପଣ ବେଳେ କରିଥିଲା। ଈଶ୍ୱରଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଗାଡ଼ିଚୋରୀ, ଛିନ୍‌ତାଇ, ରାହାଜାନୀ, ହାଇୱେରେ ଲୁଟ୍ ପ୍ରଭୃତି ବହୁ ମାମଲା ରହିଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ପୂର୍ବରୁ ମଧ୍ୟ ଉଦ୍ୟମ କରିଥିଲା। ମାତ୍ର ସେତେବେଳେ ଈଶ୍ୱର ଓ ତାର ପରିବାର ଲୋକେ ପୁଲିସ ଉପରକୁ ଗରମ ପାଣି ଓ ଗରମ ତେଲ ଫିଙ୍ଗିଥିଲେ। ତେବେ ଗତ ଦୁଇଦିନ ପୂର୍ବରୁ କୋଲକାତା ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଲୁଟ୍ କରିବା ସହ ତାର ବୁଲେଟ୍ ଗାଡ଼ିକୁ ବି ଈଶ୍ୱର ନେଇ ଚମ୍ପଟ୍ ମାରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଆଧାରେ ତଦନ୍ତ ସହ ଈଶ୍ୱର ଏଥିରେ ମୁଖ୍ୟ ଅଭିଯୁକ୍ତ ଜାଣିବା ପରେ ପୁଲିିସ ଆଜି ଭୋରରୁ ଏହି ଉଦ୍ୟମ କରିଥିଲା ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ସିଟି ଡିଏସପି ମନୋଜ କୁମାର ରାଉତ, ରେମୁଣା ଥାନାଧିକାରୀ, ସହଦେବଖୁଣ୍ଟା ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଅପରେସନରେ ବହୁ ପୁଲିସ କର୍ମଚାରୀଙ୍କ ଓ ୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.