Home ଜିଲ୍ଲା ପରିକ୍ରମା କ୍ୱାରେଣ୍ଟାଇନ୍ ସେଣ୍ଟର ପରିଚାଳନାରେ ପଞ୍ଜିବାଗ ଆଗରେ ‘ପ୍ରବାସୀ ଆମର ଭାଇ-ରହିବେ ଆମର ହୋଇ’ପ୍ରମାଣିତ

କ୍ୱାରେଣ୍ଟାଇନ୍ ସେଣ୍ଟର ପରିଚାଳନାରେ ପଞ୍ଜିବାଗ ଆଗରେ ‘ପ୍ରବାସୀ ଆମର ଭାଇ-ରହିବେ ଆମର ହୋଇ’ପ୍ରମାଣିତ

74

ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) – କରୋନା ପାଇଁ ଦୀର୍ଘ ୧୪ ଦିନର ଏକାନ୍ତବାସ ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଅନ୍ତେବାସୀଙ୍କ ବିଦାୟ ବେଳର ଅବେଗଭରା ମୁହୂର୍ତ୍ତ ସରକାରଙ୍କ ‘ପ୍ରବାସୀ ଆମର ଭାଇ, ରହିବେ ଆମର ହୋଇ’ ବାର୍ତ୍ତା ବେଶ ସାର୍ଥକ ହୋଇପାରିଛି। ଏହି ଭଳି ବିଦାୟ ବେଳର ଆତ୍ମୀୟତାପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାତ୍ରପଡ଼ା ପଞ୍ଚାୟତର ପଞ୍ଜିବାଗ ନୋଡାଲ ସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମସି)ରେ। ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ଗୁଜରାଟ ପ୍ରଭୃତି ରାଜ୍ୟରୁ ଗତ ୧ ତାରିଖରେ ଟ୍ରେନ୍ ଓ ବସ୍ ଯୋଗେ ବାଲେଶ୍ୱରକୁ ଫେରିଥିବା ୩୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଏହି ଟିଏମସିରେ ସଂଙ୍ଗରୋଧରେ ରଖାଯାଇଥିଲା। ଦୁଇ ସପ୍ତାହ ଧରି ସେମାନେ ଏହି କେନ୍ଦ୍ରରେ ରହିଥିଲେ। ସ୍ଥାନୀୟ ସରପଞ୍ଚ ଅଞ୍ଜନା ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟିଏମସିର ନୋଡାଲ ଅଫିସର ରଶ୍ମି ସିଂ, ଏଏନଏମ ଅମୃତି ମହାରଣା, ସ୍ୱାସ୍ଥ୍ୟକର୍ମୀ ଅରୁଣ କୁମାର ଗିରି ପ୍ରମୁଖ ନିୟମିତ ଉପସ୍ଥିତ ରହି ପ୍ରବାସୀ ଓଡ଼ିଆଙ୍କର ସଂଗରୋଧ ବ୍ୟବସ୍ଥାକୁ ପରିଚାଳନା କରିଥିଲେ। ଏହି ସମୟ ମଧ୍ୟରେ ସମସ୍ତଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହିତ କରୋନା ମୁକାବିଲା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିଲା। ତେବେ ୧୪ ଦିନର ରହଣି ପରେ ଆଜି ପ୍ରମାଣପତ୍ର ପ୍ରଦାନ ସହ ସମସ୍ତଙ୍କୁ ଟିଏମସିରୁ ବିଦାୟ ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗଦେଇ ଅନ୍ତେବାସୀମାନଙ୍କୁ ସାନିଟାଇଜର, ମାସ୍କ ଓ ଉତ୍ତରୀୟ ପ୍ରଭୃତି ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପଞ୍ଚାୟତ ପକ୍ଷରୁ ଏହି କେନ୍ଦ୍ରରେ ସ୍ୱଳ୍ପ ସ୍ଥାନରେ ବି ୩୬ ଜଣକୁ ଦୀର୍ଘ ୧୪ ଦିନ ଧରି ଉତ୍ତମ ସେବା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିଛି ବୋଲି ଶ୍ରୀ ପ୍ରଧାନ ମତ ଦେଇଥିଲେ। ପ୍ରବାସୀ ହେଲେ ମଧ୍ୟ ଅନ୍ତେବାସୀମାନେ ସମସ୍ତେ ଆମର ଓଡ଼ିଆ ଭାଇଭଉଣୀ ହୋଇଥିବା ବେଳେ ସେମାନଙ୍କ ରହିବା ଓ ଖାଇବା ପ୍ରତି ପ୍ରତ୍ୟେକ କେନ୍ଦ୍ରର କର୍ମକର୍ତ୍ତା ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସରପଞ୍ଚ ଶ୍ରୀମତୀ ଦାସ କହିଛନ୍ତି। ପ୍ରବାସୀ ଅନ୍ତେବାସୀଙ୍କୁ ଉଚିତ୍ ଖାଦପେୟ ପ୍ରଦାନ କରି ସେମାନେ ବେଶ୍ ଆତ୍ମସନ୍ତୋଷ ଲାଭ କରିଛନ୍ତି ବୋଲି‘ବିଶ୍ୱ ବାଟମଙ୍ଗଳା’ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ମୀନତି ପାତ୍ର କହିଛନ୍ତି। ତେବେ ଏହି କେନ୍ଦ୍ରରୁ ବିଦାୟ ନେଉଥିବା ପ୍ରବାସୀ ଓଡ଼ିଆମାନେ ସରପଞ୍ଚ ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ବ୍ୟବହାର ଓ ପରିଚାଳନାଗତ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଆଜିର ଏହି ବିଦାୟ ବେଳର ଆବେଗପୂର୍ଣ୍ଣ ମୁହୂର୍ତ୍ତ ଉଭୟ କେନ୍ଦ୍ରର କର୍ମକର୍ତ୍ତା ଓ ପ୍ରବାସୀଙ୍କୁ କିଛିସମୟ ପାଇଁ ସ୍ତବ୍ଧ କରି ଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.