ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କେଶପୁର ହରିବୋଲ କ୍ଷେତ୍ରରୁ ତିହିଡ଼ି ବ୍ଲକ ଗୁଆମାଳ ପଂଚାୟତ ଅଧୀନ ମୋଡ଼ସାହିସ୍ଥିତ ମାଉସୀ ମା ମନ୍ଦିରକୁ ତିନି ଠାକୁରଙ୍କ ରଥ ଗଡ଼ିଛି। ପବିତ୍ର ଘୋଷଯାତ୍ରାରେ ହରିବୋଲ କ୍ଷେତ୍ରରୁ ତିନୋଟି ରଥରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା । ଜିଲ୍ଲାପାଳ ଡ଼. ଦିଲୀପ ରାଉତରାଏ ତିନି ରଥର ଛେରା ପହଁରା କରିଥିଲେ। ପୂର୍ବ ପରମ୍ପରା ଅନୁସାରେ ମା ସୁଭଦ୍ରା ରଥକୁ ମହିଳାମାନେ ଟାଣି ଟାଣି ନେଇଥିଲେ।ରଥ ଯାତ୍ରାରେ ଭକ୍ତ ଭଗବାନ ଏକାକାର ହୋଇଥିବା ବେଳେ ଘଂଟଘଂଟା ସହିତ ସହସ୍ରାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ହରିବୋଲ କ୍ଷେତ୍ର ପ୍ରକମ୍ପିତ ହୋଇଥିଲା । ଗୁରୁବାର ସକାଳ ୬ଟାରେ ଶ୍ରୀମନ୍ଦିରରେ ଦ୍ୱାରପାଳ ପୂଜା ପରେ ସୂର୍ଯ୍ୟପୂଜା, ରଥ ସଂସ୍କାର, ଧ୍ୱଜା ରୋପଣ ଅନୁଷ୍ଠିତ ହୋଇଥିଲା । ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ରଥକୁ ନିଆଯାଇଥିଲା । ପୂର୍ବାହ୍ନ ୧୧ରେ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ମୁଖ୍ୟ ପୂଜକ ଜଗନ୍ନାଥ ପଣ୍ଡାଙ୍କ ସମେତ କଳ୍ପତରୁ ଉଦଗାତା, କେଶବ ପଣ୍ଡା, ଭାଗବତ ପଣ୍ଡା, ପ୍ରଶାନ୍ତ ମିଶ୍ର, ନିରଞ୍ଜନ ପଣ୍ଡା ପ୍ରମୁଖ ପହଣ୍ଡି କରିଥିଲେ । ପରେ ଭକ୍ତମାନେ ୩ ଠାକୁରଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ମଧ୍ୟାହ୍ନରେ ଜିଲାପାଳ ଶ୍ରୀ ରାଉତରାଏଙ୍କୁ ଶୋଭାଯାତ୍ରାରେ ରଥ ପାଖକୁ ନିଆଯିବା ପରେ ସେ ୩ ରଥରେ ଛେରାପହଁରା କରିଥିଲେ । ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ରଥ ପରିଚାଳନା କମିଟି ସଭାପତି ନଗେନ୍ଦ୍ର ପ୍ରସାଦ ଦାସ, ସମ୍ପାଦକ ପତିତପାବନ ପଣ୍ଡା, ସରୋଜ କୁମାର ପଣ୍ଡା, ଶ୍ରୀଧର ପୁହାଣ, ରବିନ୍ଦ୍ର ସାହୁ, ସନ୍ତୋଷ ନାୟକ, ସଞ୍ଜୟ ସାହୁ ଏବଂ ମୋଡସାହି ଶ୍ରୀଗୁଣ୍ଡିଚା ମନ୍ଦିର କମିଟି ସଭାପତି ଲକ୍ଷ୍ମୀକାନ୍ତ ଖୁଂଟିଆ, ସମ୍ପାଦକ ସନାତନ ଜେନା, କାର୍ଯ୍ୟକାରୀ ସଦସ୍ୟ ମନୋରଞ୍ଜନ ଖୁଂଟିଆ, ରବୀନ୍ଦ୍ର ପୃଷ୍ଟି, ଭରତ ଚନ୍ଦ୍ର ସାହୁ,ରବିନାରାୟଣ ସାମଲ, ପ୍ରମୋଦ କୁମାର ନାୟକ ପ୍ରମୁଖ ରଥ ଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର କମିଟିର ଆବାହକ ଶରତ କୁନାର ସାହୁଙ୍କ ସମେତ ପ୍ରବଚିକା ବିଶ୍ୱମୈତ୍ରୀ ନାୟକ,ସୁଶ୍ରୀ ତପସ୍ୱିନୀ ପାଢ଼ୀ,ଅନିତା କର, ପ୍ରବଚକ ଲଳିତ ମୋହନ ମିଶ୍ର, ସୁବାଷ ବଳ ,ରାଜେନ୍ଦ୍ର ଅଗସ୍ତି,ଲଷ୍ମୀଧର ଖଟୁଆ,ହରିହର ଦାସ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ସଂକୀର୍ତନ ମଣ୍ଡଳୀ ସଂକୀର୍ତନ ପରିବେଷଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ହରିବୋଲ କ୍ଷେତ୍ରରୁ ମୋଡସାହି ମାଉସୀ ମା’ ମନ୍ଦିରକୁ ଗଡ଼ିଲା ତିନି ରଥ, ଛେରାପହଁରା କଲେ ଜିଲ୍ଲାପାଳ,...








