ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସରକାରୀ ସ୍ଥରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲା ବ୍ୟାପି ସମୁଦାୟ ୧୨୦ଟି ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଭଦ୍ରକ ଟାଉନ ଥାନା, ପୁରୁଣାବଜାର ଅଂଚଳ, ଗ୍ରମାଂଚଳ ଥାନା ଅଧିନ, ବାସୁଦେବପୁର, ନାୟକାଣିଡ଼ିହ, ଆଗରପଡ଼ା, ବନ୍ତ , ଧାମନଗର, ଧୁଷୁରୀ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ବାଂଶଡ଼ା ଓ ତିହିଡ଼ି ଥାନା ଅଧିନ, ଧାମରା, ଧାମରା ମେରାଇନ , କଶିଆ ମେରାଇନ୍ ଥାନା ଭଳି ୬୦ଟି ପ୍ରମୁଖ ସ୍ଥାନରେ ଏହା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ଏଥିପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିବା ବିଷୟ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଏ ପ୍ରତିନିଧିଙ୍କୁ କହିଛନ୍ତି । ବିଶେଷକରି ଚଳିତବର୍ଷ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ରମ୍ଭିଳା ଓ କେଶପୁର ହରିବୋଲ୍ କ୍ଷେତ୍ରଠାରେ ଅବସ୍ଥିତ ୧୫୬ବର୍ଷର ପୁରାତନ ମନ୍ଦିରରେ ଶ୍ରୀ ଜଗନ୍ନାଥ ମନ୍ଦିର ସେବାସଂଘ ତଥା ରଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ସଦସ୍ୟଙ୍କ ମିଳିତ ଉଦ୍ୟମରେ ୩ଟି ରଥ ନିର୍ମାଣ ହୋଇ ଏହି ଘୋଷଯାତ୍ରା ସମ୍ପନ୍ନ ହୋଇଛି। ପ୍ରଥମେ ପାରମ୍ପରିକ ରୀତିରେ ପ୍ରଭୂଙ୍କ ଆଜ୍ଞାମାଳ ରଥରେ ଅର୍ପଣ, ମହା ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ହୋଇଥିଲା । ଏହାପରେ ରଥ ପରିଚାଳନା କମିଟିର ସଭାପତି ନଗେନ୍ଦ୍ର ପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ରଥଯାତ୍ରା ଶୃଙ୍ଖଳାର ସହ ଆରମ୍ଭ ହୋଇଥିଲା । ଭଦ୍ରକର ଜିଲାପାଳ ଦିଲ୍ଲୀପ ରାଉତରାଏ ଏକ ଭାବ ଗମ୍ଭୀର ଓ ଆଧ୍ୟାତ୍ମିକ ପରିବେଶରେ ଛେରାପହଁରା କରିବାପରେ ରଥଟଣା କାର୍ଯ୍ୟ ହଜାରହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା। ଅନୁରୂପ ସହରର ଚାନ୍ଦବାଲି ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର, କୁଆଁସ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ମନ୍ଦିର, କଦମବେଡ଼ା, କଦମବେଡା ହରିହାଟ, ଜଗନ୍ନାଥପୁର, ସନ୍ଥିଆ ନିଳକଣ୍ଠପୁର ଗୌଡ଼ିୟ ମଠ, ସଦାବର୍ତ ମଠ, ଦେବଭୂମି ଗବସାହି, ଅପର୍ତିବିନ୍ଧା (ନ୍ୟୁ କଲୋନୀ), ବାଗୁରାଇ ଭଳି ସ୍ଥାନରେ ଏହି ପର୍ବ ବେଶ୍ ବର୍ଣ୍ଣାଢ୍ୟଭାବେ ଅନୁଷ୍ଠିତ ହୋଇଥିବାବେଳେ ଉତରବାହିନୀରେ ସଦାବର୍ତ ମଠର ଟ୍ରଷ୍ଟି ତଥା ଅତିରିକ୍ତ ଜିଲାପାଳଙ୍କ ଦ୍ୱାରା ଛେରା ପହଁରା ଏବଂ ଭଦ୍ରକାଳୀ ମନ୍ଦିର ପରିସରରେ ଥିବା ୩ ବିଗ୍ରହଙ୍କ ପହଣ୍ଡି ବିଜେ ଓ ରଥଯାତ୍ରା ବେଶ୍ ଚିତାକର୍ଷକ ହୋଇଥିଲା। ଅନୁରୂପ କୁଁଆସ ଠାରେ ରଥଟଣା ହୋଇନଥିଲେ ମଧ୍ୟ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ରୀତିନିତୀ ପାରମ୍ପରିକ ଭାବେ ସମ୍ପନ୍ନ ହୋଇଛି । ସେହିପରି ତିହିଡି ବ୍ଲକ୍ ଅଧୀନସ୍ଥ ନୟାନନ୍ଦ ଠାରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତିକ ମଣ୍ଡଳ ରଥରେ ଛେରା ପହଁରା କରିଥିଲେ। ଚାନ୍ଦବାଲି ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧାମୂର୍ତିଙ୍କୁ ସୁରେନ୍ଦ୍ର ପାଣୀ, ପିତବାସ ନାୟକ ରଥାରୁଢ଼ କରିବାପରେ ସାଳନ୍ଦୀ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ହିତେଶ ସାହୁ ରାଜା ବେଶରେ ଛେରାପହଁରା କରିଥିଲେ। ଏହି ଉତ୍ସବକୁ ସାଳନ୍ଦୀ ଜଳସେଚନ ବିଭାଗର ଅଧିକାରୀ ଓ କର୍ମଚାରୀ ପରିଚାଳନା କରିଥିଲେ। ଜିଲାରେ ଏହି ଘୋଷଯାତ୍ରା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।








