Home ଜିଲ୍ଲା ପରିକ୍ରମା ସ୍ୱର୍ଗତଃ ପରମାନନ୍ଦ ଦାସ ଥିଲେ ଜଣେ ନିର୍ଭୀକ ସାମ୍ବାଦିକ ଓ ସଚ୍ଚୋଟ ସମାଜସେବୀ

ସ୍ୱର୍ଗତଃ ପରମାନନ୍ଦ ଦାସ ଥିଲେ ଜଣେ ନିର୍ଭୀକ ସାମ୍ବାଦିକ ଓ ସଚ୍ଚୋଟ ସମାଜସେବୀ

34

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ସାମ୍ବାଦିକ, ଭଦ୍ରକ ମ୍ୟୁନସିପାଲଟିର ପୂର୍ବତନ କାଉନ୍‌ସିଲର ସମାଜସେବୀ, ସଂସଂଗଠକ ପରମାନନ୍ଦ ଦାସଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରଜାତନ୍ତ୍ରର ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସଙ୍କ ବିଭିନ୍ନ ଦିଗ ଦିଗନ୍ତକୁ ମନେ ପକାଇ ସ୍ୱର୍ଗତଃ ପ୍ରାଣକୃଷ୍ଣ ବିଶ୍ୱାଳ ସ୍ମୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠନାର ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସଭାପତିତ୍ୱରେ ଭଦ୍ରକ ନରିପୁରସ୍ଥିତ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଏହି ଶୋକସଭାରେ ପରିଷଦର ଆବାହକ ଦୁର୍ଗା ଶଙ୍କର ବିଶ୍ୱାଳ, ଉପସଭାପତି ମୃତ୍ୟୁଞ୍ଜୟ ମହାପାତ୍ର, କାର୍ଯ୍ୟନିର୍ବାହୀ ସଦସ୍ୟ ଦିବାକର ବାରିକ, ଅଭୟ କୁମାର ଷେଣ୍ଢ, ପ୍ରମୋଦ ରାୟ, ସତ୍ୟଭୂଷଣ ସ୍ୱାମୀ, ରାକେଶ ଦାସ, ରଶ୍ମିତା ଦାଶ, ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା, ସମାଜସେବୀ ଗୋପାଳ ସାହୁ, ଶ୍ରଦ୍ଧାଞ୍ଜଳି ମିଶ୍ର, ଶିବ ପ୍ରସାଦ ରାୟ, ଅଧିବକ୍ତା ଯତିକାନ୍ତ ନାୟକ ପ୍ରମୁଖ ବକ୍ତାମାନେ ଆଲୋଚନା ପ୍ରସଙ୍ଗରେ କହିଥିଲେ ସ୍ୱର୍ଗତଃ ଦାସଙ୍କ ପିତା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ କପିଳ ଚରଣ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୬୭ ମସିହାରୁ ଉତ୍କଳ ସର୍ବୋଦୟ ମଣ୍ଡଳର ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମରେ ବ୍ରତୀ ହୋଇ ସେ ନିଜକୁ ସଂପୂର୍ଣ୍ଣ ଭାବେ ସମାଜସେବା, ମାନବ ସେବା ଓ ଦାରିଦ୍ର‌୍ୟ ଦୂରୀକରଣ ଉପରେ ପ୍ରାଧାନ୍ୟ ଦେଇ ଜାତିପ୍ରଥାକୁ ଗୁରୁତ୍ୱ ଦେଇ ମାନବୀୟ ଚେତନକୁ ପ୍ରାଧାନ୍ୟ ଦେଉଥିଲେ।

ଏତଦ୍‌ବ୍ୟତୀତ ଭଦ୍ରକ ଗରଦପୁର ଠାରେ ପ୍ରତିଷ୍ଠିତ ଗାନ୍ଧି ବାଳାଶ୍ରମ ଏବଂ ସୋରୋସ୍ଥିତ ପୁରୁବାଈ କନ୍ୟାଶ୍ରମ ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ରହି ନିଜ ପିତା କପିଳ ଚରଣଙ୍କ ସୁପରିଚାଳନାରେ ସହାୟତା କରୁଥିଲେ। ଭଦ୍ରକ ପୌରପାଳିକାରୁ ପାରିଷଦ ଭାବେ ସେ ନିର୍ବାଚିତ ହୋଇ ଅଂଚଳର ବହୁ ଗଠନ ମୂଳକ କାର୍ଯ୍ୟରେ ସୁନାମ ଅର୍ଜନ କରିଛନ୍ତି। ୧୯୭୯ ମସିହାରୁ ଜଣେ ଉଚ୍ଚକୋଟୀର ଓ ନିର୍ଭୀକ ସାମ୍ବାଦିକ ଭାବେ ପ୍ରଜାତନ୍ତ୍ରରେ କାର୍ଯ୍ୟ କରି ଖଣ୍ଡ ମଣ୍ଡଳର ବହୁ ଖ୍ୟାତି ଲାଭ କରିଥିଲେ। ଏହାବ୍ୟତୀତ ଭଦ୍ରକ ସହୀଦ ସ୍ମୃତି ଭବନ ଠାରେ ପ୍ରେସ୍ କ୍ଲବ୍ ଗଠନ, ଉତ୍କଳ ଖଦି ମଣ୍ଡଳର ସକ୍ରୀୟ ସଦସ୍ୟତା, ଓଡ଼ିଶା ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟର ପୁନ ଉଦ୍ଧାର, ସଂଗ୍ରାମୀ ମହମ୍ମଦ ହନିଫଙ୍କ ସ୍ମୃତି କମିଟିର ସଭାପତି, ମଧୁସୂଦନ ଜେନା ସ୍ମୃତି କମିଟିର ସଂପାଦକ, ନାରାୟଣ ଚନ୍ଦ୍ର ହାଇସ୍କୁଲର ପୁରାତନ ଛାତ୍ର ସଂସଦର ସଭାପତି ଏବଂ ସ୍ୱର୍ଗତଃ ପ୍ରାଣକୃଷ୍ଣ ବିଶ୍ୱାଳ ସ୍ମୃତି ପରିଷଦର ସାଧାରଣ ସଂପାଦକ ଭାବେ ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ବହୁ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିଥିବାବେଳେ ତାଙ୍କ ଜୀବନର ବିଭିନ୍ନ କାର୍ଯ୍ୟ ଓ ବିଶେଷ ଭାବେ ସମାଜସେବା ଉପରେ ଆଲୋଚନା କରାଯାଇଥିଲା। ସଭା ପ୍ରାରମ୍ଭରେ ସ୍ୱର୍ଗତଃ ଦାସଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସେ ନିଜ ଦକ୍ଷତା, ନିିଭିୀକତା ଓ ସାହିତିକତା ପାଇଁ ଭଦ୍ରକ ମାଟିରେ ଚିର ଅମର ହୋଇ ରହିବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ଉପସ୍ଥିତ ବକ୍ତାମାନେ ନିଜ ନିଜର ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.