Home ଜିଲ୍ଲା ପରିକ୍ରମା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଂଟନ କାର୍ଯ୍ୟ କାଗଜ କଲମରେ ଚାଲିଛି, ସରକାରୀ ଅନୁଦାନ ମିଳିନଥିବାରୁ ଯୋଗାଣ...

ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଂଟନ କାର୍ଯ୍ୟ କାଗଜ କଲମରେ ଚାଲିଛି, ସରକାରୀ ଅନୁଦାନ ମିଳିନଥିବାରୁ ଯୋଗାଣ ବିଳମ୍ବ

3

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ବଂଟନ (ୟୁନିଫର୍ମ) କାର୍ଯ୍ୟ ଜିଲାରେ କାଗଜ କଲମରେ ଚାଲିଛି। ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଏପ୍ରିଲ ୨୭ ରୁ ପୋଷାକ ବଂଟନ ଆରମ୍ଭ କରି ମଇ ୬ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଛି। ବିଭାଗୀୟ ରିପୋର୍ଟରୁ ଜଣାଯାଇଛି। ଗତ ତା ୦୫.୦୫.୨୬ ରିଖ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୋଷାକ ବଂଟନ କ୍ଷେତ୍ରରେ ୩୧୭ ରୁ ୮୨ ଟି ବିଦ୍ୟାଳୟରେ ପୋଷାକ ବଂଟନ ହୋଇଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ହିସାବକୁ ନେଲେ ସମୁଦାୟ ୪୩ ହଜାର ୨୦୮ ପିଲାଙ୍କ ମଧ୍ୟରୁ ୯ ହଜାର ୩୫୬ ଜଣଙ୍କୁ ପୋଷାକ ବଂଟାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ସ୍କୁଲ ଅଫ୍ ରାଇଜିଂ ଇଣ୍ଡିଆନ (ପିଏମ୍‌ଶ୍ରୀ) ୨୨ଟି ବିଦ୍ୟାଳୟରୁ ୮ ଟି ବିଦ୍ୟାଳୟରେ ପୋଷାକ ବଂଟାଯାଇଛି। ୬୦୮୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୫୪ ଜଣଙ୍କୁ ପୋଷାକ ଦିଆଯାଇଛି। ଜିଲାର ୧୫୦୭ ଶିଶୁ ବାଟିକା ମଧ୍ୟରୁ ୪୨୫ ଟି ରେ ବଂଟାଯାଇଛି। ୧୧ ହଜାର ୭୯୧ ପିଲାଙ୍କ ମଧ୍ୟରୁ ୩୪୬୧ ଜଣଙ୍କୁ ପୋଷାକ ଦିଆଯାଇଛି। ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ୬୦୧ ବିଦ୍ୟାଳୟ ମଧ୍ୟରୁ ୫୫୭ ଟି ବିଦ୍ୟାଳୟରେ ହାଉସ୍ ଡ୍ରେସ୍ (ଘରୋଇ ପୋଷାକ) ବଂଟାଯାଇଛି। ଜିଲାର ୭ଟି ବ୍ଲକ୍ ଓ ୪ଟି ସହରାଂଚଳରେ ୪୦ ହଜାର ୯୦୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧ ଲକ୍ଷ ୩୮ ହଜାର ୭୨୫ ପିଲାଙ୍କୁ ପୋଷାକ ବାଂଟିବାର କାର୍ଯ୍ୟକ୍ରମ ରହିଛି। ଡ୍ରେସ୍ ଯୋଗାଣ କ୍ଷେତ୍ରରେ ମାଧ୍ୟମିକ ବିଦ୍ୟାଳୟ ପାଇଁ ୩୩୦ ଟି ଡବ୍ଲ୍ୟୁଏସଜି ଓ ୧୦୪ ଟି କ୍ଷୁଦ୍ର ଶିଳ୍ପ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ସେହିପରି ଉଚ୍ଚ ପ୍ରାଥମିକ ଓ ଶିଶୁ ବାଟିକା ପାଇଁ ୧୦୮୩ ଡବ୍ଲ୍ୟୁଏସଏଚଜି ଓ ୧୫୨ ଟି କ୍ଷୁଦ୍ର ଶିଳ୍ପ ସଂସ୍ଥାକୁ ଦିଆଯାଇଛି। ସରକାରୀ ରିପୋର୍ଟରେ ଏଭଳି ତଥ୍ୟ ଦିଆଯାଇଥିବା ବେଳେ କ୍ଷେତ୍ରୀୟ ରିପୋର୍ଟ ସଂପୂର୍ଣ୍ଣ ଓଲଟା। କେତେକ ବିଦ୍ୟାଳୟର ଶିକ୍ଷକମାନଙ୍କ କହିବା ଅନୁଯାୟୀ ଯୋଗାଣକାରୀ ସଂସ୍ଥା ଗୁଡିକ ନିଜର ପୁଂଜି ଅଭାବରୁ ଟ୍ୟାଗିଂ ହୋଇଥିବା ସ୍କୁଲକୁ ମାତ୍ର ୧୦-୧୫ ଖଣ୍ଡ ଡ୍ରେସ୍ ଯୋଗାଇ ଫଟୋ ଉଠାଇ ଯୋଗାଣ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି ବୋଲି ଦର୍ଶାଯାଇଥିବାର ଜଣାଯାଇଛି। ଯୋଗାଣକାରୀ ସଂସ୍ଥାର ଏଭଳି ଅବ୍ୟବସ୍ଥିତ କାର୍ଯ୍ୟକ୍ରମକୁ କେତେକ ପ୍ରଧାନ ଶିକ୍ଷକ ପ୍ରୋତ୍ସାହନ ଦେଉନଥିବାରୁ ବଂଟନ କାର୍ଯ୍ୟ ହୋଇପାରୁନଥିବାର ଅନୁସନ୍ଧାନରୁ ଜଣାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଷାକ ବଂଟନ ସକାଶେ ଆବଶ୍ୟକ ସରକାରୀ ଅନୁଦାନ ଆଜିଜାଏ ମିଳିନଥିବାରୁ ଆର୍ଥିକ ସ୍ୱଚ୍ଛଳତା ନଥିବା ଯୋଗାଣକାରୀ ସଂସ୍ଥା ଗୁଡିକ ପୋଷାକ ବଂଟନ ପାଇଁ ଅସକ୍ଷମ ହୋଇପଡିଥିବାର ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.