ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓଏସ୍ଡିଏମ୍ଏ) ପକ୍ଷରୁ ଭଦ୍ରକ ଜିଲ୍ଲାରେ “ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକ୍ରମରେ ଲିଙ୍ଗଗତ ମୁଖ୍ୟଧାରାକରଣ ” କାର୍ଯ୍ୟକ୍ରମ ଆଜି ସକାଳ ୧୦.୦୦ ଘଟିକା ସମୟରେ ଭଦ୍ରକ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହେଇଯାଇଛି। ବିପର୍ଯ୍ୟୟ ସମୟରେ ଲିଙ୍ଗ ଅସମାନତା ଏକ ପକ୍ଷରେ ବିପଦର କାରଣ ହୋଇଥାଏ ଓ ଅନ୍ୟପକ୍ଷରେ ଏହାର ପରିଣାମ ଭାବେ ପ୍ରଭାବ ପକାଇଥାଏ। ଏହି ପରିପ୍ରେକ୍ଷୀରେ ବିପର୍ଯ୍ୟୟ ବିପଦ ନିରାକରଣ (ଡିଆରଆର) କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତିମୂଳକ ଓ ଲିଙ୍ଗ ରୂପାନ୍ତରମୂଳକ ପଦ୍ଧତିକୁ ଆପଣେଇବାକୁ ଏକ ପ୍ରଭାବଶାଳୀ ରଣନୀତି ଭାବେ ଗ୍ରହଣ କରାଯାଇଛି। ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳା, କିଶୋରୀ, ଅନ୍ୟ ଲିଙ୍ଗ ଅଲ୍ପସଂଖ୍ୟକ, ଭିନ୍ନକ୍ଷମ ବ୍ୟକ୍ତି ଓ ବୃଦ୍ଧବୃଦ୍ଧାଙ୍କ ସମେତ ସମସ୍ତ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ଆବଶ୍ୟକତା ଆଧାରିତ ସହାୟତା ଓ ସୁରକ୍ଷା ସୁନିଶ୍ଚିତ କରିବା। ପ୍ରକଳ୍ପ ଅଧୀନରେ ମହିଳାଙ୍କର ସ୍ୱରକୁ ଶକ୍ତିଶାଳୀ କରିବା ସହ ବିପର୍ଯ୍ୟୟ ପରିଚାଳନା, ଉଦ୍ଧାର କାର୍ଯ୍ୟ, ସାମୁଦାୟିକ ସ୍ୱାସ୍ଥ୍ୟ ସେବା ଓ ମନୋସାମାଜିକ ସହାୟତାରେ ସେମାନଙ୍କ ଭୂମିକାକୁ ଅଧିକ ଦୃଶ୍ୟମାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହାସହ ବିପର୍ଯ୍ୟୟ ଓ ପରବର୍ତୀ ସମୟରେ ଲିଙ୍ଗ ଆଧାରିତ ହିଂସା ଓ କ୍ଷତିକାରକ ସାମାଜିକ ପ୍ରଥାକୁ ଦୂର କରିବା ପାଇଁ ସଚେତନତା କରାଯିବ ବୋଲି ଜେଣ୍ଡର ସ୍ପେଶାଲିଷ୍ଟ ଅରଣ୍ୟକ ମିଶ୍ର ସୂଚନା ଦେଇଛନ୍ତି। ମହିଳାଙ୍କ ନେତୃତ୍ୱକୁ ପ୍ରୋତ୍ସାହନ ଦେଇ ସମାଜର ବିପର୍ଯ୍ୟୟ ସହନଶୀଳତା ବୃଦ୍ଧି କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉଦ୍ଦେଶ୍ୟ ବୋଲି ସୂଚନା ମିଳିଛି। ଏହି କର୍ମଶାଳାରେ ଜିଲ୍ଲାପାଳ ଦିଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନାରେ ଲିଙ୍ଗଗତ ସମତା ଓ ସମସ୍ତ ବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବାକୁ ଆହ୍ୱାନ କରିଥିଲେ। ସେ ବିପର୍ଯ୍ୟୟ ସମୟରେ ମହିଳା, ଶିଶୁ, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ସୁରକ୍ଷା ଓ ସମାବେଶୀ ଦୃଷ୍ଟିକୋଣ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ କହିଥିଲେ ଯେ, ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଓ ପରିଚାଳନାରେ ସମାଜର ପ୍ରତ୍ୟେକ ଶ୍ରେଣୀକୁ ସାମିଲ କରିବା ଆବଶ୍ୟକ। ଲିଙ୍ଗଗତ ସଚେତନତା ଓ ସାମାଜିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ବିପର୍ଯ୍ୟୟ ଜନିତ କ୍ଷତିକୁ ହ୍ରାସ କରାଯାଇପାରିବ ବୋଲି ସେ ମତପ୍ରକାଶ କରିଥିଲେ। ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା, ଡେପୁଟି କଲେକ୍ଟର (ଜରୁରୀ) ସାଇଶ୍ରୀ ଲୋକନାଥ ପ୍ରସାଦ ଶେଠୀ, ଓଏସଡିଏମଏର ଡିପିଓ ଅମ୍ଲାନ ଅନୁପମ ସେନାପତି ଓ ଜେଣ୍ଡର ସ୍ପେଶାଲିଷ୍ଟ ଅରଣ୍ୟକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟୟ ଝୁକି ହ୍ରାସରେ ଲିଙ୍ଗଗତ ମୁଖ୍ୟଧାରାକରଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କର୍ମଶାଳାରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏକଦିବସୀୟ ଏହି କର୍ମଶାଳାରେ ବିପର୍ଯ୍ୟୟ ସମୟରେ ସମାବେଶୀ ପଦକ୍ଷେପ, ଲିଙ୍ଗ ସମ୍ବେଦନଶୀଳ ଯୋଜନା ଓ ସମୁଦାୟ ଭିତିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ଭଦ୍ରକରେ “ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକ୍ରମରେ ଲିଙ୍ଗଗତ ଓ ସାମାଜିକ ଅନ୍ତର୍ଭୁକ୍ତିକରଣ” ଜିଲ୍ଲାସ୍ତରୀୟ କର୍ମଶାଳା








