Home ଜିଲ୍ଲା ପରିକ୍ରମା ସ୍କୁଲ ଖୋଲିନି ଚାଉଳ ବାଂଟିଲେଣି ଠିକାଦାର, ପ୍ରଶାସନର ଠିକାଦାର ପ୍ରୀତି

ସ୍କୁଲ ଖୋଲିନି ଚାଉଳ ବାଂଟିଲେଣି ଠିକାଦାର, ପ୍ରଶାସନର ଠିକାଦାର ପ୍ରୀତି

46

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍କୁଲ ଖୋଲିନି ତେଣେ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ଆରମ୍ଭ କଲେଣି ପରିବହନ ଠିକାଦାର । କୋଭିଡ ଯୋଗୁ ଗତ ବର୍ଷ ମାର୍ଚ ମାସ ଠାରୁ ରାଜ୍ୟବ୍ୟାପି ସ୍କୁଲ କଲେଜ ଗୁଡିକୁ ସରକାର ବନ୍ଦ କରିଦେଇଥିଲେ । ଫଳରେ ସରକାରୀ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ବନ୍ଦ କରି ଦିଆଯାଇଥିଲା । ତେବେ ବିଦ୍ୟାଳୟରେ ପିଲାମାନଙ୍କୁ ରନ୍ଧା ଖାଦ୍ୟ(ମଧ୍ୟାହ୍ନଭୋଜନ) ଯୋଗାଣ ବନ୍ଦ ସତ୍ୱେ ସରକାର ରନ୍ଦା ଖାଦ୍ୟ ବଦଳରେ ସୁଖିଲା ଖାଦ୍ୟ(ଚାଉଳ) ଯୋଗାଣ ଅବ୍ୟାହତ ରଖିଥିଲେ । ଏଥିସକାସେ ଏମଡିଏମ ଚାଉଳ ବଂଟନ ସକାସେ ପରିବହନ ଠିକାଦାର ଥାଇ ମଧ୍ୟ ପିଡିଏସ ଠିକାଦାରଙ୍କ ଜରିଆରେ ସ୍କୁଲ ଗୁଡିକୁ ଚାଉଳ ଯୋଗାଇ ଦିଆଯାଇଥିଲା । ଗତ ବର୍ଷ ପ୍ରଥମ କ୍ୱାଟରରେ ୯୦ ଦିନ ପାଇଁ ୧୭ ହଜାର ୭୫୪ କ୍ୱିଂଟାଲ ଏବଂ ଦ୍ୱିତୀୟ କ୍ୱାଟରରେ ୫୭ ଦିନ ସକାସେ ୪ ହଜାର ୭୧୨ କ୍ୱିଂଟାଲ ଚାଉଳ ଯୋଗାଇ ଦିଆଯାଇଥିଲା । ଏହି ସମୟରେ ଜିଲ୍ଲାରେ ଏମଡିଏମ କଂଟ୍ରାକ୍ଟର ଥାଇ ମଧ୍ୟ ଚାଉଳର ସୁଷମ ବଂଟନ ସକାସେ ପ୍ରଶାସନ ଏମଡିଏମ ଠିକାଦାରଙ୍କ ବଦଳରେ ପିଡିଏସ ଠିକାଦାଙ୍କ ଜରିଆରେ ଏହି ଚାଉଳ ବଂଟନ କରିଥିଲେ । ତେବେ କୋଭିଡ କଟକଣା ହଟିନଥିବା ଏବଂ ସ୍କୁଲ ଗୁଡିକ ଖୋଲାହୋଇ ନଥିଲେ ମଧ୍ୟ ପ୍ରଶାସନ ଚଳିତବର୍ଷ ସକାସେ ଦୁଇ ଦୁଇଥର ଟେଣ୍ଡର ଡାକି ନୂଆ ଏମଡିଏମ ଠିକାଦାର ନିଯୁକ୍ତି ଦେଇ ଗତ ବର୍ଷର ତୃତୀୟ କ୍ୱାଟର(ସେପ୍ଟେମ୍ଭର ଠାରୁ ଡିସେମ୍ଭର) ୪ ମାସ(୮୪ ଦିନ)ର ଏମଡିଏମ କୋଟା ୧୫ ହଜାର ୯୪୩ କ୍ୱିଂଟାଲ ଚାଉଳ ଉଠାଣ ଏବଂ ବଂଟନ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଯାହାକି ପ୍ରଶାସନିକ କାର୍ଯ୍ୟକୁ ସନ୍ଦେହଯୁକ୍ତ କରିଛି । କାରଣ ପିଡିଏସ ଠିକାଦାରଙ୍କ ଜରିଆରେ ସରକାରଙ୍କୁ ଚାଉଳ ପରିବହନ ଖର୍ଚ ବାବଦକୁ କ୍ୱିଂଟାଲ ପିଛା ସର୍ବାଧିକ ୬୦ ରୁ ୭୦ ଟଙ୍କା ଖର୍ଚ ପଡୁଥିବା ବେଳେ ଏବେ ଏମଡିଏମ ଠିକାଦାରଙ୍କ ଜରିଆରେ ଏହି ଖର୍ଚ ଦୁଇଗୁଣରୁ ଅଧିକ ହୋଇଛି ।

କାରଣ ଗତ ଥର ପ୍ରଶାସନ କ୍ୱିଂଟାଲ ପିଛା ସର୍ବାଧିକ ୬୦ ଟଙ୍କା ଦରରେ ପରିବହନ ଠିକାଦାର ନିଯୁକ୍ତି କରିଥିବା ବେଳେ ଚଳିତ ବର୍ଷ ତାହା କ୍ୱିଂଟାଲ ପିଛା ୧୪୯ ଟଙ୍କାକୁ ବୃଦ୍ଧିପାଇଛି । ଚଳିତବର୍ଷ ଜିଲ୍ଲାରେ ଏମଡିଏମ ଚାଉଳ ପରିବହନ କରିବାକୁ ସରକାରୀ ଧାର୍ଯ୍ୟଦର ସର୍ବାଧିକ କ୍ୱିଂଟାଲ ପିଛା ୧୫୦ ଟଙ୍କା ରଖାଯାଇଥିବା ବେଳେ ପ୍ରଶାସନ ୧୪୯ ଟଙ୍କା ଦରରେ ଏହି ଠିକାଦାର ନିଯୁକ୍ତି କରିଛନ୍ତି । କୁହାଯାଇଛି ଜଣେ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଅନୁଗୃହିତ କରିବା ସକାସେ କାରସାଦି କରାଯାଇ ଏହି ଠିକାଦାର ନିଯୁକ୍ତି ଦିଆଯାଇଛି । ଗୋଟିଏ ପଟରେ ସ୍କୁଲ ଖୋଲିନଥିବା ଏବଂ ବିଦ୍ୟାଳୟରେ ଆଜି ସୁଦ୍ଧା ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇନଥିବା ସ୍ତଳେ ପ୍ରଶାସନ ଅଧିକ ପରିବହନ ଖର୍ଚ ଦେଇ ପିଡିଏସ ଠିକାଦାରଙ୍କ ଠାରୁ ରାସନ ଛଡେଇ ଆଣି ଏମଡିଏମ ଠିକାଦାରଙ୍କ ହାତରେ ଜିଲ୍ଲାର ସୁଖିଲା ଖାଦ୍ୟ ବଂଟନ କରିବା ଘଟଣା ସାଧାରଣ ବୁଦ୍ଧିଜିବୀ ମହଲରେ ଚର୍ଚାର ବିଷୟ ହୋଇଛି । ଏଥିନେଇ ଜିଲ୍ଲା ଏମଡିଏମ ନୋଡାଲ ଅ‘ିସର ତଥା ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ କହିଥିଲେ ଯେ ସରକାରୀ ନିର୍ଦ୍ଧେଶମତେ ଆମେ ଏହି କାର୍ଯ୍ୟପନ୍ଥା ଗହଣ କରିଛୁ । ଭଦ୍ରକ ଜିଲ୍ଲାରେ ଏବେ ୧ ହଜାର ୬୭୧ ଗୋଟି ସ୍କୁଲରେ ପାଠ ପଢୁଥିବା ୧ ଲକ୍ଷ ୬୪ ହଜାର ୨୭ ଜଣ ଛାତ୍ର/ଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଏମଡିଏମ ଯୋଗାଇ ଦିଆଯାଉଛି । ଏଥିସକାସେ ସରକାରଙ୍କୁ ଅନ୍ୟାନ୍ୟ ଖର୍ଚ ବାଦ ବାର୍ଷିକ ପ୍ରାୟ ୫୦ ହଜାର କି୍ୱଂଟାଲ ଚାଉଳ ଖର୍ଚ କରିବାକୁ ପଡିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.