Home ଜିଲ୍ଲା ପରିକ୍ରମା ସୁପ୍ତ ଅବସ୍ଥାରେ ନୟାଗଡ଼ ପର୍ଯ୍ୟଟନ କ୍ଷେତ୍ର

ସୁପ୍ତ ଅବସ୍ଥାରେ ନୟାଗଡ଼ ପର୍ଯ୍ୟଟନ କ୍ଷେତ୍ର

157

ନୟାଗଡ଼, ୨୯-୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନିଜର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଓ ପ୍ରାକୃତିକ ଶୋଭାରାଜିକୁ ନେଇ ଗର୍ବ ଅନୁଭବ କରିବା ସହ ଏହାର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ପାଇଁ ସମଗ୍ର ରାଜ୍ୟରେ ସ୍ୱତନ୍ତ୍ରତା ବହନ କରୁଥିବାବେଳେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ବିକାଶତ ଦୂରର କଥା ଜିଲ୍ଲାରେ ସୁପ୍ତ ଏବଂ ଜାଗ୍ରତ ପର୍ଯ୍ୟଟନସ୍ଥଳୀର ଅବକ୍ଷୟ ପ୍ରତି ରାଜ୍ୟ ପର୍ଯ୍ୟଟନ ବିଭାଗ ସାମାନ୍ୟତମ ଆଡ଼ଆଖି ନପକାଇବା ଜିଲ୍ଲାର ପର୍ଯ୍ୟଟନ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଜିଲ୍ଲାରେ ଅନେକ ପର୍ଯ୍ୟଟନ କ୍ଷେତ୍ର ଥିଲେବି ଯେଉଁ ୧୩ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛି ସେହି ସବୁକୁ ମଧ୍ୟ ଉପଯୁକ୍ତ ଯୋଜନା, ପ୍ରଚାର ଓ ପ୍ରସାର ଏପରିକି ଏହାର ବିକାଶରେ ଅନ୍ତରାୟ ଯୋଗୁଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁ ନାହିଁ। ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ଏକ ସମୀକ୍ଷା ବୈଠକ ଗତ ସରକାରର ମନ୍ତ୍ରୀ ମଣ୍ଡଳରେ ଥିବା ପଂଚାୟତରାଜ ଓ ଆଇନ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଅଧ୍ୟକ୍ଷତାରେ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ବସିଥିଲା। ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ସମୀକ୍ଷା କରିଥିଲେ। ଏହି ବୈଠକରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଦଶପଲ୍ଲା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ତକ୍ରାଳୀନ ଜିଲ୍ଲାପାଳ ହେମନ୍ତ କୁମାର ପାଢୀ, ଟୁରିଷ୍ଟ ଅଫିସର ସୁଜାତା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ନୟାଗଡ଼ ଜିଳ୍ଲାର ପର୍ଯ୍ୟଟନ କ୍ଷେତ୍ର ଗୁଡିକ ଅବହେଳିତ ଅବସ୍ଥାରେ ରହିଥିବା ମତପ୍ରକାଶ ପାଇଥିଲା। ନୟାଗଡ଼ ଜିଲ୍ଲାରେ ବହୁ ସଂଖ୍ୟାରେ ପର୍ଯ୍ୟଟନ କ୍ଷେତ୍ର ଥିଲେ ମଧ୍ୟ ତାହାର ବିକାଶ ହେବା ଉପରେ ନଜର ଦିଆଯାଉନଥିବା ନେଇ କ୍ଷୋଭ କରାଯାଇଥିଲା। ଫଳରେ ଏହାର ବିକାଶ ନହେବାରୁ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବା ଅନୁଭବ କରାଯାଇଥିଲା। ଫଳରେ ପର୍ଯ୍ୟଟନ ମାନଚିତ୍ରରେ ନୟାଗଡ଼ର ସ୍ଥାନ ଯେଉଁଠି ରହିବା କଥା ସେଠାରେ ରହିପାରୁନାହିଁ। ଓଡ଼ଗାଁର ରଘୁନାଥ ମନ୍ଦିର, ଶରଣକୁଳର ଲଡ଼ୁବାବା, ଜାମୁପାଟଣାର ଦୁତିକେଶ୍ୱର, କଂଟିଲୋର ନୀଳମାଧବ, ସିଦ୍ଧାମୂଳାର ଗୋକୁଳାନନ୍ଦ, ଗଣିଆର କୁତୁରୀ ଓ ବରମୂଳ, ପଂଚୁପଲ୍ଲୀ ପ୍ରଗଣାର କଳାପାଟ ଠାକୁରାଣୀ, ନବଗୁଞ୍ଜର ମନ୍ଦିର, ଗୁପ୍ତେଶ୍ୱର ମନ୍ଦିର, ଦଶପଲ୍ଲାର କୁଆଁରିଆ ଡ୍ୟାମ, ନୟାଗଡ଼ର ଦକ୍ଷିଣକାଳୀ, ଜଗନ୍ନାଥ ମନ୍ଦିର, ବଲାଙ୍ଗୀବନ୍ଧ, ଗୋପୀନାଥ ମନ୍ଦିର, ରଣପୁରର ମଣିନାଗ ମନ୍ଦିର, ନୂଆଗାଁ ଉଦୟପୁରର ଦାଶୀଆ ପୀଠ, ଭାପୁର ତରବାଲୋର ଉଷ୍ମପ୍ରସବଣ ଆଦି ୧୩ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛି। ଏସିଆ ମହାଦେଶର ସର୍ବବୃହତ ତରବାଲୋ-ନୀଳକଣ୍ଠପ୍ରସାଦ ଉଷ୍ମପ୍ରସବଣ ସ୍ଥାନଟି କେବଳ ମାନଚିତ୍ରରେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ସ୍ଥାନ ପାଇଥିବାବେଳେ କେବଳ କାହଁ କେଉଁ ଅମଳରୁ ସେଠାରେ ହୋଇଥିବା ୩ଟି କୂଅ ବ୍ୟତୀତ ଆଉ ମାଟି ମୁଠାଏ ବି ପଡ଼ିନଥିବା ଅନେକଙ୍କୁ ବ୍ୟଥିତ କରିଛି। କେବଳ ତରବାଲୋ ନୂହେଁ କଂଟିଲୋ ନୀଳମାଧବ ନିକଟ ଶବର ରାଜା ବିଶ୍ୱାବସୁ ପୀଠ ଲଳିତ ମାଧବ କ୍ଷେତ୍ର, ହନୁମନ୍ତ ପ୍ରସାଦ ଠାରେ ଶ୍ରୀରାମଙ୍କ ପାଦଚିହ୍ନ ଥିବା ଝରଣା କ୍ଷେତ୍ର, ରଣପୁରର ପିକ୍ନିକ୍ ସ୍ପଟ୍ ଅସୁରକୁମାରୀ ଆଦି ଅନେକ ସ୍ଥାନ ଜନମନ ବେଶ୍ ହରଣ କରିପାରୁଥିବାବେଳେ ଏଥିପ୍ରତି ବିଭାଗର ଦୃଷ୍ଟି ଆଢୁଆଳ ରହିଯାଉଛି। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଂଟିଲୋର ନୀଳମାଧବ ମନ୍ଦିର, ଓଡ଼ଗାଁର ରଘୁନାଥ ମନ୍ଦିର ଓ କଟକ ଜିଲ୍ଳା ଅନ୍ତର୍ଗତ ଭଟ୍ଟାରିକା ମନ୍ଦିରକୁ ମିଶାଇ ଏକ ପର୍ଯ୍ୟଟନ ସ୍ୱର୍ଣ୍ଣ ତ୍ରିଭୁଜର ପରିକଳ୍କନା କରାଯାଇ ଏହାର ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଇ ଏପରିକି ଉକ୍ତ ପର୍ଯ୍ୟଟନ କ୍ଷେତ୍ର ପ୍ରତି ଅଧିକ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ପର୍ଯ୍ୟଟନ ବିଭାଗର ଏକ ଆରାମଦାୟକ ବସ୍ କିଛିଦିନ ପାଇଁ ଚଳାଚଳ କରୁଯାଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ବସ୍ଟିକୁ ବନ୍ଦ କରାଯାଇଥିଲା। ତେବେ ଏସବୁ ପୀଠ କିପରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ, ନୟାଗଡ଼ ଜିଲ୍ଳା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିବ ଏହାକୁ ନେଇ ସେତେବେଳେ ମନ୍ତ୍ରୀ ଅରୁଣ କୁମାର ସାହୁ ସେତେବେଳର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସବୁ ଜିଳ୍ଲା ଅପେକ୍ଷା ନୟାଗଡ଼ ଜିଳ୍ଲାରେ ଏତେ ସଂଖ୍ୟକ ପର୍ଯ୍ୟଟନ ସ୍ଥଳୀ ଭରପୁର ଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସେତେଟା ସହାୟକ ହୋଇପାରୁନାହିଁ। ତେବେ ଏହାର ବିକାଶ ସହ ପ୍ରଚାର ପ୍ରସାରରେ ବିଭାଗ ଗୁରୁତ୍ୱ ଦେଲେ ଏଠାକୁ ଅଧିକରୁ ଅଧିକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଆକୃଷ୍ଟ ହୋଇ ଆସି ପାରିବେ ବୋଲି ମନ୍ତ୍ରୀ ଶ୍ରୀସାହୁ କହିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କହିଥିଲେ ୨୦୧୩ ରାଜ୍ୟ ପର୍ଯ୍ୟଟନ ନୀତି ଅନୁଯାୟୀ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକର ଚିହ୍ନଟ କରି ଭିତି ଭୂମି ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି। କଂଟିଲୋ ନୀଳମାଧବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ୨୦୧୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଏହାକୁ ଠିକ୍ ସମୟ ସୀମା ମଧ୍ୟରେ ଶେଷ ହୋଇ ପାରିନାହଁ ବୋଲି ଅଭିଯୋଗ ହୁଏ। କେବଳ ଯାହା ନୟାଗଡ଼ ଖଣ୍ଡପଡ଼ାରୋଡ଼ ପାଶ୍ୱର୍ରେ ଥିବା ବଲାଙ୍ଗବନ୍ଧ ପାର୍କର କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଅନ୍ୟକିଛି ସେମିତି ଆଖି ଦୃଶିଆ ହୋଇପାରିନଥିବା ଦେଖାଦେଇଛି। ଉଦୟପୁରର ଦାଶୀଆ ଅଜା ପୀଠ ଲାଇବ୍ରେରୀରେ ଫଟୋ ଗ୍ୟାଲେରୀ କରିବାକାୁ ପ୍ରଚେଷ୍ଟା ରହିବ ବୋଲି ପ୍ରତିଶୃତି ଦେଇଥିଲେ। ପର୍ଯ୍ୟଟନ ସ୍ଥଳୀର ବିକାଶ ସହ ସବୁଦିନିଆ ରାସ୍ତା, ଜଳଯୋଗାଣ, ରହିବା ପାଇଁ ସ୍ଥାନ ଆଦି ସମସ୍ତ ଭିତି ଭୂମି ରହିଲେ ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହୋଇପାରିବେ ବୋଲି କହିଥିଲେ। କଂଟିଲୋ ଓ ପଂଚୁପଲ୍ଲୀ ପ୍ରଗଣାକୁ ରୁରାଲ ଟ୍ୟୁରିଜିମ୍ରେ ରଖାଯିବା ସହିତ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀକୁ ନେଇ ସର୍କିଟ୍ ଗଠନ କରାଯାଇ ଏକ ଡେଷ୍ଟିନେସନ ପଏଂଟ ରଖାଯିବ ବୋଲି କହିଥିଲେ। ତେବେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ଚିହ୍ନଟ ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପାଇଁ କେଉଁ କ୍ଷେତ୍ର ଉପଯୁକ୍ତ ସେ ନେଇ ପ୍ରସ୍ତାବ ରହିଥିବାବେଳେ ଅଦ୍ୟାବଧି ସେମିତି ପର୍ଯ୍ୟଟନ କ୍ଷେତ୍ର ସୁପ୍ତ ଅବସ୍ଥାରେ ପଡ଼ିରହିବା ଅନେକଙ୍କୁ ବ୍ୟଥିତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.