Home ଜିଲ୍ଲା ପରିକ୍ରମା ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ‘ସାଳନ୍ଦୀ ସତ୍ୟାଗ୍ରହ’, ପ୍ରଦୂଷଣମୁକ୍ତ ସାଳନ୍ଦୀ ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ‘ସାଳନ୍ଦୀ ସତ୍ୟାଗ୍ରହ’, ପ୍ରଦୂଷଣମୁକ୍ତ ସାଳନ୍ଦୀ ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

81

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶରେ ନଦୀକୂଳିଆ ରାଜ୍ୟଗୁଡିକ ଅଧିକ ବିକଶିତ ହୋଇଥାଏ । ସେହିଭଳି ଏକଦା ଚିରସ୍ରୋତା ଥାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ପରିପୂର୍ଣ୍ଣ କରୁଥିବା ଭଦ୍ରକ ଜିଲାର ଜୀବନରେଖା ସାଳନ୍ଦୀ ଆଜି ପ୍ରଦୂଷଣପୂର୍ଣ୍ଣ ହୋଇପଡିଛି । ଏହାର ନଦୀପାଶ୍ୱର୍ ଏବେ ଅବରୋଧ । ଇଟାଭାଟି ଜନିତ ମୃତ୍ତିକା ଖନନ ଫଳରେ ଏହାର କାୟା ଏବେ ବିଲୁପ୍ତ ହେବାକୁ ଯାଉଛି । ଫଳରେ ଏହି ନଦୀ ଉପରେ ଜୀବିକା ନିର୍ବାହ କରୁଥିବା ବହୁ ଚାଷୀ ଓ ଜନସାଧାରଣ ଏବେ ‘ହା ଅନ୍ନ ହା ଅନ୍ନ’ ଚିତ୍କାର କରିବାରେ ଲାଗିଛନ୍ତି । କିନ୍ତୁ ଏକଦା ଚିରସ୍ରୋତା ଥିବା ଏହି ନଦୀର ପୂର୍ବାବସ୍ଥା ଫେରାଇ ଆଣିବା ନେଇ ନା କୌଣସି ଜନନେତା ନା ଜିଲା ପ୍ରଶାସନ କାହାରି ନିଦ ଭାଙ୍ଗୁନାହିଁ । କେବଳ ଯାହା ସାଳନ୍ଦୀ ସଂସ୍କାର ନାମରେ କୋଟି କୋଟି ଟଙ୍କା ହରିଲୁଟ୍ ହେବା ପରେ ଏବେ ଏହାର ପୁନରୁଦ୍ଧାର ଦିଗରେ କୁମ୍ଭକର୍ଣ୍ଣ ଭଳି ଶୋଇ ରହିଛନ୍ତି । ଏଣୁ କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ କେନ୍ଦୁଝର, ବାଲେଶ୍ୱର ଜିଲାର ଜୀବନରେଖା କୁହାଯାଉଥିବା ଏହି ନଦୀକୁ ‘ନର୍ମଦା’ ଭଳି ଏକ ବିକଶିତ ନଦୀଶଯ୍ୟାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡା ବୋଲି ଆଜି ‘ଭଦ୍ରକ ବିକାଶ ମଂଚ’ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ‘ସାଳନ୍ଦୀ ସତ୍ୟାଗ୍ରହ’ ଧାରଣାସ୍ଥଳରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଦିନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସାଳନ୍ଦୀ ସତ୍ୟାଗ୍ରହରେ ମଂଚର ସଭାପତି ପ୍ରଫେସର ଡ. ବଳରାମ ମିଶ୍ର ଅଧ୍ୟକ୍ଷତା କରିଥିଲେ ।

ଏଥିରେ ମହାନଦୀ ସୁରକ୍ଷା ମଂଚର ଆବାହକ ସୁଦର୍ଶନ ଦାସ ଓ ଦିଲ୍ଲୀସ୍ଥିତ ରାଜୀବ ଗାନ୍ଧି ଫାଉଣ୍ଡେସନର ସଦସ୍ୟ କୁନାଲ ବାର୍ନାଜୀ ଯୋଗଦେଇ ପ୍ରଦୂଷଣଯୁକ୍ତ ସାଳନ୍ଦୀର ପୂର୍ବବସ୍ଥା ଫେରାଇ ଆଣିବା ଦିଗରେ କେବଳ ଜନସାଧାରଣ ନୁହେଁ, ଜିଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି କହିଥିଲେ । ମଂଚର ସାଧାରଣ ସଂପାଦକ ପ୍ରତାପ ପାଢୀ ଏହି ମଂଚ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଉପସଭାପତି ତଥା ଅଧିବକ୍ତା ତୁଷାର ମହାନ୍ତି, ଅଶୋକ ମହାନ୍ତି, ଅନୁପ ମହାନ୍ତି, ସାଙ୍ଗଠନିକ ସଂପାଦକ ଅମ୍ବିକା ଦାସ, ସଦସ୍ୟ ସଂଜୀବ ମହାନ୍ତି ପ୍ରମୁଖ ସତ୍ୟାଗ୍ରହର ମୌଳିକତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାଳନ୍ଦୀକୁ ନେଇ ଏକ କବିତା ଆସର ଆୟୋଜିତ ହୋଇଥିଲା । ମଂଚର ଉପସଭାପତି ତଥା କବି ପ୍ରମୋଦ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କବିତା ଆସରରେ କବୟିତ୍ରୀ ଗୀତାରାଣୀ ଆଇଚ, ଅଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟାପକ ଅବନୀ ପ୍ରଧାନ, ନବକିଶୋର ପଣ୍ଡା, ଶିକ୍ଷୟିତ୍ରୀ ଶକୁନ୍ତଳା ନାୟକ, କାଳନ୍ଦୀ ମଲ୍ଲିକ, ଅରୁପାନନ୍ଦ ନାୟକ, ଭାନୁମତି ମାଟିଆ ପ୍ରମୁଖ ସାଳନ୍ଦୀକୁ ନେଇ ନିଜ ନିଜର ସ୍ୱରଚିତ ରଚନା ଆବୃତ୍ତି କରିଥିଲେ । ମଂଚର ସଦସ୍ୟ ବୈଲୋଚନ ବେହୁରିଆ, ବିପ୍ଳବ ହୋତା, ଗୋବର୍ଦ୍ଧନ ସାମଲ, କାଳୀପଦ ରାୟ, ଅସରଫ ଅଲ୍ଲୀ, ନିରୁପମା ମହାନ୍ତି, ରଘୁନାଥ ସାହୁ ପ୍ରମୁଖଙ୍କ ସଂଚାଳନରେ ଅନୁଷ୍ଠିତ ଏହି ସତ୍ୟାଗ୍ରହରେ ଚାନ୍ଦବାଲିରୁ ବିଶ୍ୱରଂଜନ ମହାନ୍ତି, ଆରଡି ସ୍ୱଦେଶ ପଣ୍ଡା, ତିହିଡିରୁ ଉଦ୍ଧବ ନାୟକ, ଆଗରପଡାରୁ ରଥ ଦାସ, ବାସୁଦେବପୁରର ଶକୁନ୍ତଳା ଦାସ, କାଁପଡା ସରପଞ୍ଚ ପ୍ରତିନିଧି ପ୍ରମୁଖ ଯୋଗଦେଇ ନିଜ ନିଜ ଅଂଚଳରେ ସାଳନ୍ଦୀ କିଭଳି ଅବହେଳିତ ଅବସ୍ଥାରେ ରହିଛି, ତାହା ବଖାଣିଥିଲେ । ଶେଷରେ ମଂଚର ଏକ ପ୍ରତିନିଧି ଦଳ ସାଳନ୍ଦୀ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଇଟାଭାଟି, ମୃତ୍ତିକା ଉତ୍ତୋଳନ ଓ ବିଭିନ୍ନ ଶିଳ୍ପ ଶୋଷି ନେଉଥିବା ଭୂତଳ ଜଳକୁ ରୋକିବା ଦିଗରେ ସରକାର ବିହିତ ପଦକ୍ଷେପ ନେବାପାଇଁ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.