Home Top News ଏକ ଅବାସ୍ତବ ପଦବୀ ଜାବୁଡ଼ି ଧରିଛନ୍ତି ବିଜେପି ନେତା: ଗୋଟେ ଖୁସି ଆଉ ..

ଏକ ଅବାସ୍ତବ ପଦବୀ ଜାବୁଡ଼ି ଧରିଛନ୍ତି ବିଜେପି ନେତା: ଗୋଟେ ଖୁସି ଆଉ ..

52

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ହେବାର ପାଖାପାଖି ଦୁଇ ବର୍ଷ ପୁରିବାକୁ ଯାଉଛି। ଚାହୁଁଚାହୁଁ ଆଉ ତିନି ବର୍ଷ ପୁରିଯିବ। ୨୦୨୪ରେ ପୁଣି ହେବ ସାଧାରଣ ନିର୍ବାଚନ। ୨୦୧୯ ନିର୍ବାଚନରେ ଓଡ଼ିଶା ପାଇଁ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରଖିଥିବା ମିଶନ୍- ୧୨୦ ସ୍ୱପ୍ନ ଧୂଳିସାତ ହୋଇଗଲା। ସାଙ୍ଗରେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥିବା ନେତାଙ୍କ ସ୍ୱପ୍ନ ମଧ୍ୟ ଚୁରମାର ହୋଇଗଲା। ଏବେ ୨୦୨୪ ପାଇଁ ସେହି ସ୍ୱପ୍ନ ଆହୁରୀ କଷ୍ଟସାଧ୍ୟ ହୋଇଯାଇଛି। କାରଣ ଯଦି ବା ମିଶନ୍- ୧୨୦ ସ୍ୱପ୍ନ ସଫଳ ହୋଇଯାଏ, ତେବେ ମୁଖ୍ୟମନ୍ତ୍ରୀ ରେସକୁ ଚାଲି ଆସିଛନ୍ତି ଆଉ କିଛି ନେତା ଆଉ ନେତ୍ରୀ। କିନ୍ତୁ, ବିଜେପି ଓଡ଼ିଶା ଏବେ ଯେଉଁ ଗତିରେ ଯାଉଛି ସେଥିରେ ମିଶନ୍- ୧୨୦ କାହିଁ ଏବେ ମଧ୍ୟ ସମ୍ଭବ ଲାଗୁନି। “ମୂଳରୁ ମାଇପ ନାହିଁ ପୁଅ ନାଁ .. ” ପରି ଯେପରି ଏମାନେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି, ତଳ ସ୍ତରରେ ନେତାଙ୍କ ଅବସ୍ଥା ମଧ୍ୟ ସେୟା। ବିଜେପିରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ବିଭିନ୍ନ ମୋର୍ଚ୍ଚା ସଭାପତି, ପ୍ରବକ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଦି ପରି ପଦପଦବୀ ତ’ ରହିଛି। କିନ୍ତୁ, ୨୦୧୯ ନିର୍ବାଚନ ପରେ ଏକ ନୂଆ ଆତ୍ମଘୋଷିତ ପଦବୀ ସୃଷ୍ଟି ହୋଇଛି। ପଦବୀଟି ହେଲା “ବିଧାନସଭା ପାର୍ଥି ବା ସାଂସଦ ପାର୍ଥି”। କେହି କେହି “ବିଧାନସଭା ନେତା” ବୋଲି କହୁଛନ୍ତି। ଭଲା ଏ’ ପଦବୀ ଆସିଲା ବା କୁଆଡ଼ୁ? ନିର୍ବାଚନ ଗଲା ପାର୍ଥି କଥା ଗଲା। ପୁଣି ନିର୍ବାଚନ ଆସିବ, ପୁଣି ନୂଆ ପାର୍ଥି ଘୋଷଣା ହେବ। ୨୦୧୯ ନିର୍ବାଚନର ପାର୍ଥି ଆଜି ୨୦୨୧ ବେଳକୁ ନିଜକୁ ବିଧାନସଭା ପାର୍ଥି ବୋଲାଉଛି କିପରି? ହାସ୍ୟାସ୍ପଦ କଥା। ଏବେ ନିକଟରେ ତିର୍ତ୍ତୋଲ ଉପ ନିର୍ବାଚନ ଗଲା। ୨୦୧୯ରେ ବିଜେପିରେ ପାର୍ଥି ଥିଲେ ଜଣେ। କିନ୍ତୁ, ୨୦୨୧ ଉପନିର୍ବାଚନରେ ପାର୍ଥି ବଦଳିଗଲେ। ତେଣୁ, ୨୦୧୯ର ପାର୍ଥି ଏବେ ବି ସେହି ଅବାସ୍ତବ ପଦବୀକୁ ଜାବୁଡ଼ି ଧରିବା ହାସ୍ୟାସ୍ପଦ କଥା। ନିଜକୁ ନିଜେ ଲୋକହସା କରାଇବା କଥା। ନିଜକୁ “ବିଧାନସଭା ନେତା” ବୋଲାଇବା ମଧ୍ୟ ହାସ୍ୟାସ୍ପଦ। ବିଧାନସଭା ତ’ ଯାଇ ପାରିଲେନି, କିନ୍ତୁ ନିଜକୁ ନିଜେ ବିଧାନସଭା ନେତା ବୋଲାଇ ଗୋଟେ ଆତ୍ମସନ୍ତୋଷ ପାଉଛନ୍ତି ବୋଧେ? ଗୋଟେ ଖୁସି ଆଉ ..

ଏପରି ନେତା ମାନଙ୍କର ଚେଲାଚାମୁଣ୍ଡା ଏବଂ ଚାଟୁକାର ମାନେ ମଧ୍ୟ ତାଙ୍କୁ ଏପରି ନାମରେ ବୋଲାଇ ଥାଆନ୍ତି। ଏଣେ ସଂପୃକ୍ତ ନିର୍ବାଚନ ମଣ୍ଡଳୀ ମାନଙ୍କରେ କଥାର ବାସ୍ତବତା ବୁଝି ପାରୁଥିବା କିଛି ନେତାନେତ୍ରୀ ସମସ୍ତେ କହୁଥିବାରୁ ସେମାନେ ମଧ୍ୟ ସେହି ନେତାଙ୍କୁ ସେପରି ନାମରେ ବୋଲାଇ ଥାଆନ୍ତି। କିନ୍ତୁ, ବାସ୍ତବରେ ୨୦୧୯ ନିର୍ବାଚନରେ ଟିକେଟ ପାଇଥିବା ନେତାନେତ୍ରୀ ମାନଙ୍କ ମଧ୍ୟରୁ ଯିଏ ସେପରି କିଛି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ନପାଇଛି ସେମାନଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ରଖାଯାଇଛି। ସେମାନେ ନିଜ ପରିଚୟ ସେହି ଅନୁଯାୟୀ ରଖିବା କଥା। ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିବା ମଧ୍ୟ ଗୁରୁତ୍ୱ ବହନ କରେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ମଧ୍ୟରୁ ଅନେକ ଟିକେଟ ପାଇ ଥାଆନ୍ତି। ସେଥିରେ ନୂତନ ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମନୋନୀତ ହୋଇଥିବା ନେତାନେତ୍ରୀଙ୍କ ପାଇଁ ମଧ୍ୟ ଏକ ସୁଯୋଗ ଏବଂ ସମ୍ଭାବନା ରହିଥାଏ। ତେଣୁ, ଆଗାମୀ ନିର୍ବାଚନ ବେଳକୁ ଏମାନଙ୍କ ମଧ୍ୟରୁ କିମ୍ବା ହୁଏତ କେହି ଦଳ ଡିଆଁ ନେତାନେତ୍ରୀଙ୍କୁ ମଧ୍ୟ ସୁଯୋଗ ମିଳିଯାଇ ପାରେ। ୨୦୧୯ ନିର୍ବାଚନ ପୂର୍ବରୁ ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏକ ନୂଆ ପଦବୀ ସୃଷ୍ଟି କରାଇଥିଲେ। ତାହା ଥିଲା ବିସ୍ତାରକ। ବିସ୍ତାରକ ନିଯୁକ୍ତି ପ୍ରକ୍ରିୟା ପୂର୍ବରୁ ନଥିଲା। କିଛି ବର୍ଷ ପୂର୍ବେ ରାଜ୍ୟ ସଙ୍ଗଠନ ସମ୍ପାଦକ ପରି ବିଭାଗ ଅନୁଯାୟୀ ବିଭାଗ ସଙ୍ଗଠନ ସମ୍ପାଦକ ଏବଂ କେତେକ ସାଙ୍ଗଠନିକ ଜିଲ୍ଲାରେ ମଧ୍ୟ ସଙ୍ଗଠନ ସମ୍ପାଦକ ରହୁଥିଲେ। ପରବର୍ତ୍ତୀ ସମୟରେ ତାହା ଆଉ ରହିଲା ନାହିଁ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ମିଶନ୍- ୧୨୦ ଲକ୍ଷ୍ୟରେ ଅମିତ ଶାହା ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ବିସ୍ତାରକ ନିଯୁକ୍ତି ଦେଲେ। ସମସ୍ତ ବିସ୍ତାରକଙ୍କ ପାଇଁ ୟୁପିରୁ ଗୋଟେ ଗୋଟେ ଅପାଚି ବାଇକ୍ ଆସି ପହଁଚିଲା। ମିଶନ୍- ୧୨୦ ଲକ୍ଷର ପରିଣାମ ଯାହା ହେଲା। ଏହାପରେ ଅପାଚି ବାଇକ୍ ସବୁ ତ’ କୁଆଡ଼େ ଗଲା, ବିସ୍ତାରକ ପଦବୀଟି ମଧ୍ୟ ଗଲା। କିନ୍ତୁ, ୨୦୧୯ ନିର୍ବାଚନରେ ପାର୍ଥି ହୋଇଥିବା କେତେକ ନେତା ଆଜି ବି ସେହି “ବିଧାନସଭା ପାର୍ଥି” ପରି ଅବାସ୍ତବ ପଦବୀଟିକୁ ଜାବୁଡ଼ି ଧରି ବସିଛନ୍ତି। ଗୋଟେ ଖୁସି ଆଉ ..
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.