Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଦୀତଟର ବାସ୍ତବ ଚିତ୍ର , ମାଫିଆମାନେ ଖୋଳିନେଉଛନ୍ତି ମାଟି ବାଲି, ଇଟାଭାଟି ଯୋଗୁଁ ପରିବେଶ...

ସାଳନ୍ଦୀ ନଦୀତଟର ବାସ୍ତବ ଚିତ୍ର , ମାଫିଆମାନେ ଖୋଳିନେଉଛନ୍ତି ମାଟି ବାଲି, ଇଟାଭାଟି ଯୋଗୁଁ ପରିବେଶ ପ୍ରଦୂଷଣ

36

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଦେଇ ସାଳନ୍ଦୀ ନଦୀ ପ୍ରବାହିତ । ଏହି ନଦୀ ପଡ଼ୋଶୀ କେନ୍ଦୁଝର ଜିଲ୍ଲାରୁ ବାହାରି ଭଦ୍ରକ ଜିଲ୍ଲା ମଧ୍ୟରେ ପ୍ରବାହିତ ହୋଇ ଆଖଣ୍ଡଳମଣି ତିନିତର ଘାଟଠାରେ ମିଶିଛି । ଏହି ନଦୀ ତୀରରେ ହାଟଡ଼ିହୀ ବ୍ଲକର ବାଲିବରେଇ, ନୂଆଗାଁ, ଦନେଇପୁର, ସୋସୋ, ନିୟୁଦାଣୀ, କାନପୁର । ବନ୍ତ ବ୍ଲକର ପାଟକନା, ରାଉତରାପୁର, ମହାନ୍ତିପଡ଼ା, ହଳଦିପହଣୀ, କାଣ୍ଡବା, ଶ୍ରୀରାମପୁର, ଗୋପିନାଥପୁର, ଚାରିଗାଁ, ଚକ୍ରାପାଢୀ, ଅଣିଜୋ, ବିରିଡ଼ି, ନରିପୁର । ଭଦ୍ରକ ବ୍ଲକର କାଉପୁର, ଶିରାପୁର, ନାଲଗରା, ଜିରାଗୁମୁରୀ ଆଦି ଗ୍ରାମ ଅବସ୍ଥିତ । ପୂର୍ବରୁ ବନ୍ୟାଜଳ ଆସିଲେ ଏହି ନଦୀକୂଳିଆ ଗ୍ରାମ ଗୁଡ଼ିକ ବନ୍ୟାପାଣିରେ ଉବୁଟୁବୁ ହୋଇ ଜନଜୀବନ ନଷ୍ଟ ହେଉଥିଲା । ମାତ୍ର ବନ୍ୟାଜଳରେ ଆସୁଥିବା ପଟୁମାଟି ନଦୀ ପଠାରେ ଜମା ହେବା ଦ୍ୱାରା ଅପର୍ଯ୍ୟାପ୍ତ ପନିପରିବା ଚାଷ ମଧ୍ୟ ସଂପୃକ୍ତ ଅଞ୍ଚଳ ଗୁଡ଼ିକରେ ହୋଇ ପାରୁଥିଲା । ତେବେ ମହାନ ଜନନାୟକ ଡ଼ଃ ହରେକୃଷ୍ଣ ମହତାବଙ୍କ ଦୂରଦୃଷ୍ଟି ଯୋଗୁଁ ହଦଗଡ଼ ନଦୀବନ୍ଧ ଯୋଜନା ବନ୍ୟା ଦାଉରୁ ରକ୍ଷା କରିବା ସହିତ ଭଦ୍ରକ ଜିଲ୍ଲାକୁ କରିଛି ଶସ୍ୟଶ୍ୟାମଳା । ହେଲେ ଚନ୍ଦ୍ରର କଳଙ୍କ ଭଳି ଅବସ୍ଥା ହୋଇଛି ନଦୀ ତଟବର୍ତ୍ତୀ ଅଞ୍ଚଳ । ବେ ଆଇନ ଭାବେ ଗଢି ଉଠିଛି ଶହଶହ ଇଟାଭାଟି । ସରକାରୀ ଜାଗାରୁ ଚୋରାରେ ବାଲିମାଟି ଉଠାଇ ବ୍ୟକ୍ତିଗତ ଜାଗାରେ ରଖି ତିଆରି ହେଉଛି ଇଟା । ଇଟାଧୂଆଁରେ ଅତିଷ୍ଠ ନଦୀ କୂଳିଆ ଗ୍ରାମବାସୀ । ଅନ୍ୟପକ୍ଷରେ ବାଲି ମାଫିଆ ସକ୍ରିୟ ହୋଇ ନଦୀ ପଠାକୁ ତାଡ଼ିନେଉଛନ୍ତି । ଯଦ୍ୱାରା ବିରାଟ ଗର୍ତ୍ତ ସୃଷ୍ଟି ହୋଇ ମଶିଷ ଓ ପଶୁ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ନଦୀ କୂଳିଆ ମନୋରମ ଦୃଶ୍ୟ ଦେଖିବାକୁ ଆଉ ମିଳୁ ନାହିଁ ।

ନଦୀ ପାଶ୍ୱର୍ସ୍ଥ ଗଛ ଯାହାକି କୂଳକୁ ସୁରକ୍ଷା ଦେଉଥିଲା ମୂଳରୁ ମାଟିତଡ଼ା ହୋଇ ଯିବାରୁ ସେମାନେ ଧରାଶାୟୀ । ଏ ସମସ୍ତ ପରେ ବି ପ୍ରଶାସନ ସାଜିଛି ନିଦା ବିଷ୍ଣୁ, ସବୁ ଦେଖି ଅଦେଖା । ବନ୍ୟା ନ ଆସିବାରୁ ନଦୀରେ ଆସୁନାହିଁ ପଟୁମାଟି ତଥା ବାଲି । ଯାହିବି କିଛି ବାଲି ଆସୁଛି ତାକୁ ଅର୍ଥଲୋଭରେ ମାଫିଆମାନେ ଚୋରାରେ ଚାଲାଣ କରି ହେଉଛନ୍ତି ମାଲେମାଲ । ଏହାକୁ ଦୃଷ୍ଟିରେ ରଖି ସରକାର ବାଲିଘାଟ ନିଲାମ ଦେଇ ରାଜସ୍ୱ ବୃଦ୍ଧିର ଲକ୍ଷ୍ୟ ରଖିଛନ୍ତି । ବନ୍ତ ବ୍ଲକରେ ୮ ଗୋଟି ଘାଟ କରାଯାଇଛି ନିଲାମ । ସରକାରୀ ଜାଗା ବ୍ୟତୀତ ବ୍ୟକ୍ତିଗତ ଜାଗାରୁ ଉଠା ଯାଉଛି ବାଲି ମାଟି । ନଦୀ କୂଳିଆ ଘାଟ ଗୁଡ଼ିକ ନିଲାମ କରାଯାଇ ଚାଲିଛି ରାଜସ୍ୱ ଆଦାୟ । ମାତ୍ର ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡ଼ୁଛନ୍ତି ନଦୀକୂଳିଆ ଗ୍ରାମବାସୀ । କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଯୋଗୁଁ ସାଳନ୍ଦୀରେ ଲୀନ ହେବାକୁ ବସିଛି ଅନେକ ନଦୀ କୂଳିଆ ଗ୍ରାମ । ସରକାରୀ ଲାଇସେନ୍ସରେ ଚାଲିଛି ନଦୀର ଧ୍ୱସଂ ଲୀଳା । ସରକାରୀ ଯୋଜନାରେ କୋଠାବାଡ଼ି କାର୍ଯ୍ୟ ଚାଲୁଛି । ଆବଶ୍ୟକ ହେଉଛି ଇଟା ଓ ବାଲି । ମାତ୍ର ବିକଳ୍ପ ନଖୋଜି ପ୍ରକୃତି ଦତ୍ତ ଜିନିଷକୁ ମଣିଷ ଧ୍ୱଂସ କରୁଛି । ପ୍ରକୃତିରେ ଭାରସାମ୍ୟ ନ ରହିବାରୁ ଆସୁଛି ପ୍ରାକୃତିକ ବିପଦ । ପରିବେଷ ପ୍ରଦୁଷଣ ଯୋଗୁଁ ଅଣନିଶ୍ୱାସୀ ଜନଜୀବନ । ସାଳନ୍ଦୀ ନଦୀର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହା କ୍ରମଶଃ ଦୂଷିତ ହେବାରେ ଲାଗିଛି । ଏହି ନଦୀକୁ ପରିଷ୍କାର ପରିଛନ୍ନ ରଖିବା ଆବଶ୍ୟକ ହୋଇ ପଡ଼ିଛି । ତେବେ ସାଳନ୍ଦୀ ନଦୀର ସୁରକ୍ଷା ନେଇ ଆନ୍ଦୋଳନକୁ ଉହ୍ଲାଇଛି ଭଦ୍ରକର ସାଳନ୍ଦୀ ବିକାଶମଞ୍ଚ । ସାଳନ୍ଦୀ ନଦୀ କିପରି ଚିରସ୍ରୋତା ହୋଇ ରହିବ ଓ ଏହାର ସୁରକ୍ଷା ପ୍ରଥମ କର୍ତ୍ତବ୍ୟ ହେବ ବୋଲି ପ୍ରକାଶ କରିଛନ୍ତି ବିକାଶମଞ୍ଚର ଆବାହକ ପ୍ରତାପ ପାଢୀ, ସଞ୍ଜିବି ମହାନ୍ତି, ଅମ୍ବିକା ଦାସ ପ୍ରମୁଖ ।

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.