Home ଜିଲ୍ଲା ପରିକ୍ରମା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୯୪୫୫ ପ୍ରିଜାଇଡ଼ିଂ ଓ ପୋଲିଂ ଅଧିକାରୀଙ୍କୁ...

ସାଧାରଣ ନିର୍ବାଚନ ୨୦୨୪ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୯୪୫୫ ପ୍ରିଜାଇଡ଼ିଂ ଓ ପୋଲିଂ ଅଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟ ତାଲିମ ଆରମ୍ଭ

10

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରିଜାଇଡ଼ିଂ ଓ ପୋଲିଂ ଅଧିକାରୀ ମାନଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ନିର୍ଦ୍ଧାରିତ କେନ୍ଦ୍ର ମାନଙ୍କରେ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ସୂଚନା ଯୋଗ୍ୟକି ଜିଲ୍ଲାର ସମସ୍ତ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ତଥା ପୌରାଞ୍ଚଳ କୁ ମିଶାଇ ସମୁଦାୟ ୯୪୫୫ ଜଣ ପ୍ରିଜାଇଡ଼ିଂ ଏବଂ ପୋଲିଂ ଅଧିକାରୀ ପ୍ରଶିକ୍ଷଣ ନେବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରେ ୧୫୭୭ ଜଣ ପ୍ରିଜାଇଡ଼ିଂ ଅଧିକାରୀ, ୧୫୭୩ ଜଣ ପ୍ରଥମ ପୋଲିଂ, ୧୫୭୬ ଜଣ ୨ୟ ପୋଲିଂ, ୧୫୭୭ ୩ୟ ପୋଲିଂ, ୧୫୭୬ ଜଣ ୪ର୍ଥ ଓ ୧୫୭୬ ଜଣ ୫ମ ପୋଲିଂ ଅଧିକାରୀ ଅଛନ୍ତି । ପୋଲିସ୍ କର୍ମଚାରୀ ବ୍ୟତୀତ ପ୍ରତିମବୁଥ ପାଇଁ ପୋଲିଂ ଟିମ୍‌ରେ ୬ ଜଣ ଅଧିକାରୀ ରହିବେ । ଜିଲ୍ଲାର ସମୁଦାୟ ୧୩୦୯ ବୁଥ ପାଇଁ ଆବଶ୍ୟକ ସଂଖ୍ୟା ତଥା ସଂରକ୍ଷିତ ରଖାଯାଉଥିବା ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ।

ଏହି ଟ୍ରେନିଂ କାର୍ଯ୍ୟକ୍ରମ ପାଇଁ ସୁପରଭାଇଜିଂ ଅଧିକାରୀ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶାସନିକ ଅଧିକାରୀ ରାମଦାସ ଟୁଡ଼ୁ ବନ୍ତ ବ୍ଲକ୍‌ରେ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକ ଭଣ୍ଡାରିପୋଖରୀ ବ୍ଲକ୍‌ରେ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ବାସୁଦେବପୁରରେ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ଚାନ୍ଦବାଲି ବ୍ଲକ୍‌ରେ, ଉପଜିଲ୍ଲାପାଳ ମନୋଜ ପାତ୍ର ଭଦ୍ରକ ବ୍ଲକ୍‌ରେ, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ ତିହିଡ଼ି ବ୍ଲକ୍‌ରେ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ଧାମନଗର ବ୍ଲକ୍‌ରେ ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟସୂଚୀ ର ସମସ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ବନ୍ତ ବ୍ଲକ୍‌ରେ କେ.ସି.ଭି.ଏମ୍‌. ବନ୍ତ ଏବଂ ବାଳିକା ହାଇସ୍କୁଲ ଆଗରପଡ଼ା, ଭଣ୍ଡାରିପୋଖରୀ ବ୍ଲକ୍‌ରେ ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଓ ହାରାମଣି ବାଳିକା ଉଚ୍ଚ ବିଦ୍ୟାଳୟ, ଭଦ୍ରକ ବ୍ଲକ୍‌ରେ ଡି଼.ଏ.ଭି., ଫେକର ଓ ବିନାୟକ ଆବାସିକ ମହାବିଦ୍ୟାଳୟ, ବାସୁଦେବପୁର ବ୍ଲକ୍‌ରେ ଏ.ବି. ହାଇସ୍କୁଲ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ବାସୁଦେବପୁର, ଚାନ୍ଦବାଲି ବ୍ଲକ୍‌ରେ ମତୋ ହାଇସ୍କୁଲ, ଶାରଳା ହାଇସ୍କୁଲ ଓ ବାଳିକା ହାଇସ୍କୁଲ, ଧାମନଗର ବ୍ଲକ୍‌ରେ ଧାମନଗର ହାଇସ୍କୁଲ, ସରକାର ବାଳିକା ଉଚ୍ଚ ୍‌ବିଦ୍ୟାଳୟ ଧାମନଗର, ତିହିଡ଼ି ବ୍ଲକ୍‌ରେ ସି.ଆର.ଏସ୍‌. ହାଇସ୍କୁଲ ଓ ସରକାରୀ ବାଳିକା ହାଇସ୍କୁଲରେ ଏହି ପ୍ରଶିକ୍ଷଣ କେନ୍ଦ୍ର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣ ପାଇଁ ପ୍ରତି ବ୍ୟାଚ୍‌ରେ ସର୍ବାଧିକ ୫୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସାମିଲ କରାଯାଇଛି । ମାର୍ଚ୍ଚ ୧୫ ରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଏବଂ କେବଳ ଗୋଟିଏ କେନ୍ଦ୍ରରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲୁ ରହିବା ନେଇ କାର୍ଯ୍ୟସୂଚୀରୁ ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମ ଆୟୋଜନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବୋନ୍ଦର ଡି.ଏ.ଭି. ଫେକର ରେ ଆୟୋଜିତ ପ୍ରଶିକ୍ଷଣ କେନ୍ଦ୍ର କୁ ପରିଦର୍ଶନ କରି ପ୍ରଶିକ୍ଷଣର ଗୁରୁତ୍ୱ ସମ୍ବନ୍ଧରେ ପ୍ରଶିକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହିତ ସାଧାରଣ ନିର୍ବାଚନ କାର୍ଯ୍ୟ ସମାପନରେ ପ୍ରିଜାଇଡ଼ିଂ ଓ ପୋଲିଂ ଅଧିକାରୀ ମାନଙ୍କ ଗୁରୁଦାୟିତ୍ୱ ସମ୍ବନ୍ଧରେ ମଧ୍ୟ ସେ ପ୍ରକାଶ କରିଥିଲେ ।

ପ୍ରତ୍ୟେକ ପ୍ରିଜାଇଡ଼ିଂ ଓ ପୋଲିଂ ଅଧିକାରୀ ନିଜ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ସମ୍ପାଦନ କଲେ ହିଁ ଗଣତନ୍ତ୍ରର ମତଦାନ ଭଳି ପବିତ୍ର କାର୍ଯ୍ୟ ସଫଳ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷଣରେ ଇ.ଭି.ଏମ୍‌.ର ଭି.ଭି. ପାର୍ଟ, ବି.ୟୁ, ସି.ୟୁ ର ସଂଯୋଗ ମକପୋଲ ପ୍ରଣାଳୀ, ଡିସ୍‌ବରସଲ କେନ୍ଦ୍ରରୁ ବୁଥ୍ ପର୍ଯ୍ୟନ୍ତ ପୁଲିଂ ଦଳର ଯାତ୍ରା, ମତଦାନ କେନ୍ଦ୍ର ପରିଚାଳନାରେ କେଉଁ ଅଧିକାରୀଙ୍କର କ’ଣ କାର୍ଯ୍ୟ, ସେକ୍ଟର ଅଫିସରଙ୍କ ସହିତ ଯୋଗାଯୋଗ ଓ ମତଦାନ ହାର ସମ୍ପର୍କରେ ସୂଚନା ପ୍ରଦାନ ଆଦି ସମ୍ପର୍କରେ ବିଶେଷ ଭାବେ ତାଲିମ୍ ଦିଆଯାଉଛି । ଜିଲ୍ଲା କାର୍ଯ୍ୟାଳୟରୁ ଡି.ଏଲ୍‌.ଓ କାର୍ତ୍ତିକନାଥ ମଣ୍ଡଳ, ଡେପୁଟୀ କଲେକ୍ଟର ତନ୍ମୟ ଜେନା, ତନ୍ମିତା କର, ପ୍ରମିଳା ମଲ୍ଲିକ, ପ୍ରଜ୍ଞା ହୋତା, ଆସିଷ୍ଟାଣ୍ଟ କଲେକ୍ଟର ଚିତ୍ତରଞ୍ଜନ ସେଠୀ, ଏ.ଏଲ୍‌.ଓ ସୁଧାଂଶୁ ମୋହନ ସ୍ୱାଇଁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟଟର ଜୟନ୍ତ ସୋରେନ୍ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବି.ଡ଼ି.ଓ. ତହସିଲଦାର, ଅତିରିକ୍ତ ତହସିଲଦାର ରେଭିନ୍ୟୁ ସୁପର ଭାଇଜର, ଆର.ଆଇ., ପୌରପାଳିକା ଭଦ୍ରକରେ ନିର୍ବାହୀ ଅଧିକାରୀ, କେତେଜଣ ବି.ଇ.ଓ., ପ୍ରଧାନ ଶିକ୍ଷକ, ସି.ଆର.ସି.ସି. ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଏ.ଏଫ୍‌.ଓ ଆଇ.ପି.ଓ. ଡ଼ି.ପି.ଏମ, ବି.ପି.ଏମ୍‌., ଡ଼ବ୍ଲ୍ୟୁ.ଇ.ଓ ଏ.ବି.ଇ.ଓ., ଏସ୍‌.ଏସ୍‌୍‌.ଏସ୍‌.ଓ, ବି.ଏ୍‌ସ.ଏସ୍‌.ଓ, ଏ.ଏଚ୍‌.ଓ., ବି.ପି.ସି. ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଟ୍ରେନିଂ ପ୍ରଦାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.