Home ଜିଲ୍ଲା ପରିକ୍ରମା ସାଧାରଣ ନିର୍ବାଚନ – ୨୦୨୪, ଜିଲ୍ଲାସ୍ତରୀୟ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ବୈଠକ

ସାଧାରଣ ନିର୍ବାଚନ – ୨୦୨୪, ଜିଲ୍ଲାସ୍ତରୀୟ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ବୈଠକ

9

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ମିଡ଼ିଆ ସାର୍ଟିଫିକେଶନ୍ ଏବଂ ମନିଟରିଂ କମିଟି ବା ଏମ୍‌.ସି.ଏମ୍‌.ସି. ଗଠନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଏମ୍‌.ସି.ଏମ୍‌.ସି. ର ଅଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶ କ୍ରମେ ଏହି ସେଲ ଜିଲ୍ଲା କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର କକ୍ଷରେ ଖୋଲାଯାଇଛି । ରାଜନୈତିକ ବିଜ୍ଞାପନର ପ୍ରାକ୍ ପ୍ରମାଣନ୍‌, ପେଡ଼୍ ନ୍ୟୁଜ୍ ତଦାରଖ ଓ ଆଇନ୍ ଉଲ୍ଲଙ୍ଘନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ୍ କରିବା ଆଭିମୁଖ୍ୟରେ କାର୍ଯ୍ୟରତ ଏହି ସେଲ ଜରିଆରେ ଯେକୌଣସି ପଞ୍ଜୀକୃତ ରାଜନୈତିକ ଦଳ / ଗୋଷ୍ଠୀ / ସଂଗଠନ / ପ୍ରାର୍ଥୀ / ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବୈଦ୍ୟୁତିକ, ସାମାଜିକ ଗଣମାଧ୍ୟମ, ରେଡ଼ିଓ, କେବୁଲ ନେଟ୍‌ୱାର୍କ ଆଦି ମାଧ୍ୟମରେ ବିଜ୍ଞାପନ କୁ ପ୍ରସାରଣ କରିବା ପୂର୍ବରୁ ପ୍ରମାଣପତ୍ର ପାଇଁ ନିର୍ଦ୍ଧାରିତ ଫର୍ମରେ ଏମ୍‌.ସି.ଏମ୍‌.ସି କୁ ଆବେଦନ କରି ପ୍ରମାଣ ପତ୍ର ସଂଗ୍ରହ କରିବେ । ପ୍ରତ୍ୟେକ ପଞ୍ଜିକୃତ ଦଳ କିମ୍ବା ପ୍ରାର୍ଥୀ ବିଜ୍ଞାପନ ପ୍ରସାରଣ ପାଇଁ ନିର୍ଦ୍ଧାରିତ ୩ ଦିନରୁ ଅଧିକ ଏବଂ ଅଣପଞ୍ଜୀକୃତ ମାନଙ୍କ ପାଇଁ ୭ ଦିନରୁ ଅଧିକ ସମୟ ପୂର୍ବରୁ ଆବେଦନ କରିବା ଆବଶ୍ୟକ । ଉକ୍ତ ବାବଦରେ ସମସ୍ତ ଦେୟ ସଂପୃକ୍ତ ଅନୁଷ୍ଠାନକୁ ଚେକ୍ କିମ୍ବା ଡ଼୍ରାଫଟ୍ ମାଧ୍ୟମରେ ପଇଠ କରିବେ ବୋଲି ଏକ ବିବୃତି ବା ଘୋଷଣା ନାମା ଦେବେ । ବିଜ୍ଞାପନର ପ୍ରାକ୍ ପ୍ରମାଣନ ପାଇଁ ୨ଟି ନକଲ ବୈଦ୍ୟୁତିକ ଆକାରରେ, ସଠିକ୍ ଆଟେଷ୍ଟେଡ଼୍ ଟ୍ରାନ୍‌ସକ୍ରିପଟ୍‌୍‌, ଉତ୍ପାଦନ ଖର୍ଚ୍ଚ, ଟିଭି କିମ୍ବା କେବୁଲ ନେଟ୍‌ୱାର୍କରେ ପ୍ରସାରଣର ଆନୁମାନିକ ମୂଲ୍ୟ ଏବଂ କେତେଥର ପ୍ରସାରଣ ହେବ ତାହାର ତାଲିକା ଦେବାକୁ ପଡ଼ିବ । ଏହି ଏମ୍‌.ସି.ଏମ୍‌.ସି. ର କାର୍ଯ୍ୟକାରୀତା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ସମ୍ବିତ କୁମାର ଗଡ଼ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଡ଼ି.ଆଇ. ଓ. ଏନ୍‌.ଆଇ.ସି., ଏନ୍‌. ମୁକେଶ ମଣ୍ଡଳ, ଡ଼େପୁଟି କଲେକ୍ଟର ନିର୍ବାଚନ ସାଗରିକା ସାହୁ ଏବଂ କମିଟିର ନୋଡ଼ାଲ ଅଧିକାରୀ ଡ଼େପୁଟି କଲେକ୍ଟର ପ୍ରମିଳା ମଲ୍ଲିକ, ବରିଷ୍ଠ ନାଗରିକ ପଦ୍ମନ କୁମାର ରାୟ, ଦୂରଦର୍ଶନ ର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ଅଶୋକ କୁମାର ନାୟକ ଏବଂ କମିଟିର ଆବାହକ ସଦସ୍ୟ ଜିଲ୍ଲା ସୂଚନା ଓ ଲୋକ ସମ୍ପକ୍‌ର୍ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.