Home ଜିଲ୍ଲା ପରିକ୍ରମା ଖରାର ତାତି ମାରୁଛି କାତି, ଧାମନଗରରେ ଅନେକ ନଳକୂପ ଅଚଳ, ପାନୀୟଜଳ ପାଇଁ ଲୋକେ ହନ୍ତସନ୍ତ

ଖରାର ତାତି ମାରୁଛି କାତି, ଧାମନଗରରେ ଅନେକ ନଳକୂପ ଅଚଳ, ପାନୀୟଜଳ ପାଇଁ ଲୋକେ ହନ୍ତସନ୍ତ

11

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ଗ୍ରୀଷ୍ମପ୍ରବାହ ଧୀରେ ଧୀରେ ତାର କାୟା ବିସ୍ତାର କରିଚାଲିଛି । ପୂର୍ବାହ୍ନ ୧୦ ଟା ପରେ ଲୋକେ ଘର ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଆଗକୁ ଏହାର ପରିଣାମ ଆହୁରି ବିଷମ ହେବ ବୋଲି ପରିବେଶବିତ୍ ମାନେ ଏବେଠୁ ଚେତାବନୀ ଦେଲେଣି । କିନ୍ତୁ ଏହି ଜିଲାର ଧାମନଗର ବ୍ଲକ୍‌ର ଶତାଧିକ ଗ୍ରାମରେ ଏବେ ପାନୀୟ ଜଳର ସଂକଟ ଉତ୍କଟ ରୂପ ଧାରଣ କରିଥିବାବେଳେ ଏହାର ନିରାକରଣ ଦିଗରେ ସରକାରୀ ତତ୍ପରତା ପ୍ରକାଶ ପାଉନାହିଁ । ଏଭଳି ଏକ ସମସ୍ୟାର ସମାଧାନ ପାଇଁ ଲୋକେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ନୟାନ୍ତ ହେଲାପରେ ମଧ୍ୟ ଅଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଭଳି ମନେ ହେଉଛି । ଏହି ବ୍ଲକ୍‌ର ଧାମନଗର, ଦୋବଲ, ଧୁଷୁରୀ ଓ ଅସୁରାଳି ଜୋନର ବହୁ ନଳକୂପ ଏବେ ଅଚଳ ହୋଇଛି । ଫଳରେ ଶତାଧିକ ଗ୍ରାମରେ ଜଳକଷ୍ଟ ପରିଲକ୍ଷିତ ହୋଇଥିବାବେଳେ ପୂର୍ବରୁ ବସାଯାଇଥିବା ନଳକୂପଗୁଡିକ ଅଚଳ ହୋଇପଡିଛି । କେବଳ ନଳକୂପ ନୁହେଁ ଏ ସମସ୍ତ ଅଂଚଳରେ ରହିଥିବା ବସୁଧା ଓ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଗୁଡିକର ଅବସ୍ଥା ମଧ୍ୟ ତଦୃପ । ଫଳରେ ପିଇବା ପାଣି ପାଇଁ ପ୍ରଚଣ୍ଡ ଖରାରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କ ମେଗା ଯୋଜନାରେ ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣର କାର୍ଯ୍ୟ କେବଳ ହୋଡିଂ ଓ କାଗଜ କଲମରେ ଚାଲିଥିବାରୁ ତାହା ବାସ୍ତବରେ ଲୋକ ହିତରେ ଆସୁନାହିଁ । ଏହି ଯୋଜନାରେ ପଧାନୀ, ଦୋବଲ, ମୁସ୍ତାଫାପୁର, ଭଟସାହି, ନଦୀଗାଁ, ନୂଆପଡା, ଖଡିପଦା ସମେତ ବିଭିନ୍ନ ଅଂଚଳରେ ଏବେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ନେଇଛି । ଏହି ବ୍ଲକ୍‌ର ୧୫ ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ଏବେ ଜଳସଂକଟ ଉଗ୍ରରୂପ ନେଲାଣି ।

ପ୍ରତ୍ୟେକ ଗ୍ରୀଷ୍ମଋତୁ ସମୟରେ ଅବଶ୍ୟ ପରିସ୍ଥିତି ଜଟିଳ ହୋଇଥାଏ । କିନ୍ତୁ ଜିଲା ପ୍ରଶାସନ ସେ ଦିଗରେ ଆଗୁଆ ପଦକ୍ଷେପ ନେଇଥାନ୍ତି । କିନ୍ତୁ ଏଠାରେ ନଳକୂପ ଅଚଳ ଓ ପାନୀୟ ଜଳ ସମସ୍ୟା ନେଇ ଜିଲା ପ୍ରଶାସନ ପାଖରେ ତଥ୍ୟ ମହଜୁଦ ରହିଥିଲେ ମଧ୍ୟ ତାର ଆଧାରରେ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଅଚଳ ନଳକୂପ ଗୁଡିକୁ ମରାମତି କରାଯାଇଥାଏ । କିନ୍ତୁ ଚଳିତବର୍ଷ ତାହା ଠପ୍ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଥିବାର କୁହାଯାଉଥିବାବେଳେ ଧାମନଗର ବ୍ଲକ୍‌ର ଉପରୋକ୍ତ ଜଳକିଷ୍ଟ ଅଂଚଳରେ ତାର ବିପରୀତ ବ୍ୟବସ୍ଥା ବୁଦ୍ଧିଜୀବୀଙ୍କୁ ଚକିତ କରିଛି । ଏଠାରେ ସୂଚନାଥାଉକି ମୁସ୍ତାଫାପୁର ପଂଚାୟତ ଅଫିସ୍ ନିକଟରେ ଥିବା ନଳକୂପଟି ଦୀର୍ଘଦିନ ହେବ ଅଚଳ ଥିବାବେଳେ ତାହା ମରାମତି ହେଉନାହିଁ । ଏହି ଘଟଣାରୁ ଅନ୍ୟ ଗ୍ରାମମାନଙ୍କରେ ନଳକୂପ ଗୁଡିକର ଅବସ୍ଥା କିଭଳି ଥିବ, ତାହା ସହଜରେ ଅନୁମେୟ କରାଯାଇପାରେ । ତେବେ ଏ ସଂପର୍କରେ ବ୍ଲକ୍‌ର ବିଡିଓ ବନବିହାରୀ ଦିନ୍ଦାଙ୍କ ସହ ଏ ପ୍ରତିନିଧି ଯୋଗାଯୋଗ କରିବାରେ ପାନୀୟ ଜଳ ସମସ୍ୟାର ଅଭିଯୋଗ ଆସିନାହିଁ, ତଥାପି ଏ ଦିଗରେ ନଜର ଦିଆଯିବ ବୋଲି ସେ କହିବା ଆଶ୍ଚର୍ଯ୍ୟଜନକ ମନେହୁଏ । ଏଣୁ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ପ୍ରଶାସନ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.