Home Top News ବିଜେଡ଼ି ପାଇଁ ଅକ୍ସିଜେନ ସାବ୍ୟସ୍ତ ହେଉଛି କଂଗ୍ରେସ

ବିଜେଡ଼ି ପାଇଁ ଅକ୍ସିଜେନ ସାବ୍ୟସ୍ତ ହେଉଛି କଂଗ୍ରେସ

34

ନିର୍ବାଚନ ଆସି ମୁଣ୍ଡ ଉପରେ ହେଲାଣି। ଓଡ଼ିଶାରେ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, ଓ କଂଗ୍ରେସର ଦଳ ଡ଼ିଆଁ ପର୍ବ ସରିନି। ସବୁ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନ ଅତ୍ୟନ୍ତ ରୋଚକ ସ୍ଥିତିରେ ଆସି ପହଞ୍ଚିଛି। ପୂର୍ବ ନିର୍ବାଚନ ଗୁଡ଼ିକରେ ଶାସକ ବିଜେଡ଼ିର ଦବଦବା ରହୁଥିଲା। ବିଜେପି ଓ କଂଗ୍ରେସ କ୍ୟାମ୍ପରୁ ନେତାମାନେ ବିଜେଡ଼ିକୁ ଜମ୍ପ ମାରୁଥିଲେ। ଏଥର ପରିସ୍ଥିତି ବଦଳିଛି। ବିଜେପି କ୍ୟାମ୍ପର ପଲ୍ଲା ଭାରି ଅଛି। ଅସନ୍ତୁଷ୍ଟ ବିଜେଡ଼ି ନେତାମାନେ କ୍ରମାଗତ ଭାବରେ ଆସି ବିଜେପିରେ ଯୋଗ ଦେଉଛନ୍ତି। ଏପରିକି ବିଜେଡ଼ି ସାଂସଦ ଓ ବିଧାୟକମାନେ ବିଜେପିକୁ ଆସିବାରେ ଲାଘିଛନ୍ତି। ଭର୍ତ୍ତୃହରି, ଅନୁଭବ, ପ୍ରଶାନ୍ତ ଜଗଦେବ, ଅରବିନ୍ଦ ଢାଳି ଏପରି ଅନେକ ସାଂସଦ ଓ ବିଧାୟକ। ଯାହା ବିଜେଡ଼ି ଶିବିରରେ ଚିନ୍ତାର ବିଷୟ ପାଲଟିଛି। ଆଗକୁ ଆହୁରି ବିଜେଡ଼ି ନେତା ଦଳ ଡେଇଁ ବିଜେପି ପୋଖରୀରେ ବୁଡ଼ ପକେଇବେ ବୋଲି ସୂତ୍ର କହୁଛି।

ଏପରି କ୍ଷେତ୍ରରେ ବିଜେଡ଼ିର ଏକମାତ୍ର ଭରସା ହେଉଛି ରାଜ୍ୟ କଂଗ୍ରେସ। ଗଣେଶ୍ୱର ବେହେରା, ସୁରେନ୍ଦ୍ର ସିଂ ଭୋଇ, ଚିରଞ୍ଜୀବ ବିଶ୍ୱାଳ, ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଦି ଅନେକ କଂଗ୍ରେସ ନେତା ବିଜେଡ଼ିରେ ଯୋଗ ଦେଇ ସାରିଲେଣି। ପୂର୍ବରୁ କଂଗ୍ରେସର ହେବିୱେଟ ନେତାସବୁ ବିଜେଡ଼ି ଆସୁଥିଲେ। ଏବେ ବିଜେଡ଼ି ଯେଉଁ କଂଗ୍ରେସ ନେତାଙ୍କୁ ଆମଦାନୀ କରୁଛି ସେମାନେ ମଲା କଙ୍କଡା ବୋଲି ଜନସାଧାରଣରେ ଚର୍ଚ୍ଚା। ଏହି ନେତାମାନେ ତିନି-ଚାରି ଥର ଲେଖାଏଁ ନିର୍ବାଚନ ହାରିସାରିଲେଣି। ଏମାନଙ୍କୁ ଧରି ନିର୍ବାଚନୀ ବୈତରଣୀ ପାର ହେବା ବିଜେଡ଼ି ପାଇଁ ମୁସ୍କିଲ ହବ ବୋଲି ରାଜନୈତିକ ଗଣିତ କହୁଛି। ବିଜେପି ରାଜ୍ୟରେ ଏବେ ମୁଖ୍ୟ ବିରୋଧୀ ଦଳ ଅଛି। ତେଣୁ ବିଜେପିରୁ ସାଂସଦ, ବିଧାୟକ ବିଜେଡ଼ିକୁ ବେଶୀ ମାତ୍ରାରେ ଡେଇଁ ଥିଲେ ଦଳ ଲାଭବାନ ହେଇଥାନ୍ତା। ଶାସକ ବିଜେଡ଼ି ଅନେକ ସଂସଦୀୟ ଓ ବିଧାୟକ କ୍ଷେତ୍ରରେ ବ୍ୟାକଫୁଟରେ ଚାଲିଛି। ଏପରି ଘଡ଼ିସନ୍ଧି ମୁହୁର୍ତରେ ବିଜେଡ଼ି ପାଇଁ ଏକମାତ୍ର ଭରସା କଂଗ୍ରେସ। କଂଗ୍ରେସ ନେତାଙ୍କୁ ଦଳକୁ ଆଣିବା ସହିତ କଂଗ୍ରେସ ଭୋଟକୁ ନିଜ ସପକ୍ଷରେ କରାଇବା ଲକ୍ଷରେ ଦଳ। ତେଣୁ କଂଗ୍ରେସ ବିଜେଡ଼ି ପାଇଁ ଏକ ପ୍ରକାର ସଂଜୀବନୀ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.