Home ଜିଲ୍ଲା ପରିକ୍ରମା ସରସ୍ୱତୀ ବୈଦିକ ବିଦ୍ୟାପୀଠମ୍ ଉଦ୍‌ଘାଟିତ

ସରସ୍ୱତୀ ବୈଦିକ ବିଦ୍ୟାପୀଠମ୍ ଉଦ୍‌ଘାଟିତ

56

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ବ୍ରାହ୍ମଣ ମହାସଂଘ ଆନୁକୂଲ୍ୟରେ ସରସ୍ୱତୀ ବିହାରଠାରେ ନବବର୍ଷ ଚୈତ୍ରଶୁକ୍ଳ ପ୍ରତିପଦା ତିଥିରେ ବୈଦିକ ବିଦ୍ୟାପୀଠମ୍ ଉଦ୍‌ଘାଟିତ ହୋଇଯାଇଛି । ସକାଳେ ଶ୍ରୀଜଗନ୍ନାଥତୃପ୍ତି ମହାଯଜ୍ଞର ଆୟୋଜନ କରାଯାଇ ପୂର୍ଣ୍ଣାହୂତି ପରେ ଜ୍ଞାନଦୀପ ଜାଳି ଭଦ୍ରକର ବିଶିଷ୍ଟ ଧର୍ମପ୍ରାଣ ସମାଜସେବୀ ଶେଖର କୁମାର ମହାପାତ୍ର ଏହି ବିଦ୍ୟାପୀଠମ୍‌କୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ମହୋତ୍ସବରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ୍ ପଣ୍ଡିତ ଭାଗୀରଥି ନନ୍ଦ ଶର୍ମା ସଭାପତିତ୍ୱ କରି କହିଲେ ଯେ ଅବକ୍ଷୟମୁଖୀ ସମାଜକୁ ରକ୍ଷା କରିବାକୁ ହେଲେ ବ୍ରାହ୍ମଣ ସଂସ୍କୃତିର ପୁନର୍ଜାଗରଣ ଆବଶ୍ୟକ । ପୂଜ୍ୟସ୍ୱାମୀ ମୁକୁନ୍ଦ ମହାରାଜ ମୁଖ୍ୟାତିଥିଭାବେ ଯୋଗଦେଇ କହିଲେ ଯେ, ବ୍ରାହ୍ମଣସମାଜ ଯଥାର୍ଥ ଭାବେ ସମାଜରେ ଧାର୍ମିକ ଓ ଆଧ୍ୟାତ୍ମିକ ନେତୃତ୍ୱ ନେଉ ନ ଥିବାରୁ ଅନେକ ବିଭ୍ରାନ୍ତି ଓ ଅପସଂସ୍କୃତି ପ୍ରବଳ ହେଉଛି । ଏହାକୁ ପ୍ରତିହତ ନ କଲେ ଆଧ୍ୟାତ୍ମିକ ମର୍ଯ୍ୟାଦା ରହିବ ନାହିଁ । ଉଦ୍‌ଘାଟକ ଶ୍ରୀ ମହାପାତ୍ର ମଧ୍ୟ ବ୍ରାହ୍ମଣମାନେ ଭାରତୀୟ ସଂସ୍କୃତି, ଧର୍ମ ଓ ପରମ୍ପରାର ପରିଚାୟକ ହୋଇଥିବାରୁ ଯଥାର୍ଥଭାବେ ଜ୍ଞାନ, ଆଚରଣ ଓ ସଂସ୍କାର ପ୍ରତି ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାପୀଠମ୍‌ର ସଭାପତି କାଶୀନାଥ ପଣ୍ଡା ସୂଚନା ଦେଇ କହିଲେ ଯେ ଏହି ଆବାସିକ ବିଦ୍ୟାପୀଠରେ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ୧୩/୧୪ ବର୍ଷ ବୟସ ବ୍ରାହ୍ମଣ ବାଳକମାନଙ୍କୁ ବେଦ, କର୍ମକାଣ୍ଡ ସହିତ ଆଧୁନିକ ପାଠ୍ୟକ୍ରମ ଓ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ ।

ବ୍ରାହ୍ମଣ ମହାସଂଘର କ୍ଷେତ୍ରୀୟ ଉପସଭାପତି ଅଗ୍ନିହୋତ୍ରୀ ରାଜେନ୍ଦ୍ର ନାରାୟଣ ତ୍ରିପାଠୀ ବିଦ୍ୟାପୀଠମ୍ ସୁପରିଚାଳନା ପାଇଁ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ସରସ୍ୱତୀ ବିହାରର ଅଧ୍ୟକ୍ଷ ଡ଼କ୍ଟର ସଦାନନ୍ଦ ଦୀକ୍ଷିତଃ ସମସ୍ତ ଅତିଥି ଓ ସମାଗତ ବ୍ରାହ୍ମଣ ବନ୍ଧୁମାନଙ୍କୁ ସ୍ୱାଗତ କରି ବିଦ୍ୟାପୀଠରେ ଭାରତସରକାରଙ୍କର ମହର୍ଷି ସାନ୍ଦୀପନି ବେଦବିଦ୍ୟା ପ୍ରତିଷ୍ଠାନ, ଉଜ୍ଜୟିନୀ ପକ୍ଷରୁ ୭ବର୍ଷୀୟ ପାଠ୍ୟକ୍ରମ ପ୍ରଚଳନ କରାଯିବ ବୋଲି ପ୍ରକାଶ କରିଥିଲେ । ସକାଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ରାଧାକାନ୍ତ ଦୀକ୍ଷିତ, ପଣ୍ଡିତ ବିଷ୍ଣୁମୋହନ ପାଣିଗ୍ରାହୀ ଓ ପଣ୍ଡିତ ବ୍ରହ୍ମାନନ୍ଦ ପାଣିଗ୍ରାହୀ ମହାଯଜ୍ଞରେ ପୁରୋହିତ ଭାବେ କର୍ମ ସଂପାଦନ କରିଥିଲେ । ଶେଷରେ ବ୍ରାହ୍ମଣ ସହାସଂଘର ରାଜ୍ୟସାଧାରଣ ସଂପାଦକ ଶ୍ରୀ ଗୋପବନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ବ୍ରାହ୍ମଣ ମହାସଂଘର ରାଜ୍ୟ ସଂପାଦକ ଶ୍ରୀ ବିଭୂତିନାରାୟଣ କର, କ୍ଷେତ୍ରୀୟ ସଂପାଦକ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ଓ ଭଦ୍ରକ ଜିଲ୍ଲାରୁ ବ୍ରାହ୍ମଣଗଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.