Home ଜିଲ୍ଲା ପରିକ୍ରମା ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ବର୍ବର ଆକ୍ରମଣକୁ କଂଗ୍ରେସର ନିନ୍ଦା,ପ୍ରଧାନମନ୍ତ୍ରୀ, ଗୃହ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ...

ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ବର୍ବର ଆକ୍ରମଣକୁ କଂଗ୍ରେସର ନିନ୍ଦା,ପ୍ରଧାନମନ୍ତ୍ରୀ, ଗୃହ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

5

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆଦିଲ୍ଲୀ ଠାରେ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଦମନଲୀଳାର ପ୍ରତିବାଦରେ ଧାରଣା ଦେଇଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ, ବେଣୁ ଗୋପାଳ ଓ ଅନ୍ୟାନ୍ୟ ଦଳର ଶୀର୍ଷ ନେତୃତ୍ୱଙ୍କ ସମେତ ଓଡ଼ିଶା ଲୋକଭବନ ସମ୍ମୁଖରୁ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କୁ ପୁଲିସ ବଳପୂର୍ବକ ଉଠାଇନେବା ଘଟଣାର ତୀବ୍ର ନିନ୍ଦା କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ। ଏହାର ପ୍ରତିବାଦରେ ବୁଧବାର ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ବରିଷ୍ଠ ନେତୃତ୍ୱ ଜିଲ୍ଲା କାର୍ଯ୍ୟାଳୟରୁ ପ୍ରବଳ ବର୍ଷା ସତ୍ୱେ ଏକ ଶୋଭାଯାତ୍ରାରେ ବାହାରି ରାଜଘାଟ ଛକ ଠାରେ ପହଂଚିଥିଲେ। ସେଠାରେ ଏକ ପ୍ରତିବାଦ ଓ ବିକ୍ଷୋଭ ସଭାରେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି କେନ୍ଦ୍ରର ନେରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇ ସେମାନଙ୍କ ଇସ୍ତଫା ଦାବି କରିଥିଲେ। ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାରେ ଏକ ମାସ ଧରି ଛାତ୍ରମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ନଦେବାରୁ ଛାତ୍ରଛାତ୍ରୀମାନେ ଗତ ୨୦ ତାରିଖ ଯନ୍ତରମନ୍ତର ଠାରେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ କିନ୍ତୁ ସେମାନଙ୍କ ଦାବି ମାନିବା ପରିବର୍ତେ ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ବାହିନୀ ଯେପରି ଭାବେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲା ତାହା ଦୁର୍ଭାଗ୍ୟଜନକ ଓ ଭରତର ଗଣତାନ୍ତ୍ରୀକ ଇତିହାସରେ ଏକ କଳାଦାଗ ହୋଇ ରହିବ। ଏହି ଆକ୍ରମଣକୁ ବିରୋଧ କରି ସମବେଦନା ଜଣାଇବାକୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ବେଣୁ ଗୋପାଳଙ୍କ ସମେତ ବହୁ ବରିଷ୍ଠ କେନ୍ଦ୍ରୀୟ ନେତୃତ୍ୱ ଧାରଣା ଦେଇଥିବାବେଳେ ପୁଲିସ ସେମାନଙ୍କୁ ବଳପୂର୍ବକ ଉଠାଇନେବା ଘଟଣା ଦେଶବାସୀଙ୍କୁ ମର୍ମାହତ କରିଛି। ତେଣୁ ଯେପର୍ଯ୍ୟନ୍ତ ଛାତ୍ରମାନଙ୍କ ଦାବି ପୂରଣ ନହୋଇଛି କଂଗ୍ରେସ ପକ୍ଷରୁ ଏହାକୁ ପୂର୍ଣ୍ଣ ସମର୍ଥ ଜାରୀ ରହିବ ବୋଲି ସେ ଘୋଷଣା କରିଥିଲେ। ସଭା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ତୃଟିପୂର୍ଣ୍ଣ ପୁସ୍ତକ ଛାପି ଲକ୍ଷାଧିକ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଯେନା, ପ୍ରଦ୍ୟୁମ୍ନ କୁମାର ଦାସ, ପିତବାସ ଧଳ, ବଳରାମ ରାଉତ, ବିଜୟ ବାରିକ, ରାଜକିଶୋର ପଣ୍ଡା, ସୁବ୍ରତ ବେହୁରା, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ପ୍ରମିଳା ମାଝୀ, ପାରିଷଦ ରୁକସାନା ଖାତୁନ, ସେଖ ସାହିଲ କାଦ୍ରୀ, ଆଲୋକ ଦାସ, ପବିତ୍ର ପୃଷ୍ଟି, ସାଦ ସିଦ୍ଦିକ୍‌, ବିଦ୍ୟାଧର ଜେନା, ସଂଜୟ ମିଶ୍ର, ଇଲ୍ଲିୟାସ ଅଲ୍ଲୀ ଖାନ, ଏନାମୁଲ ହକ୍‌, ଗଣେଶ ପ୍ରସାଦ ମଲ୍ଲିକ, ଗୁଲାମ ମହିଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.