ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ଶ୍ରମମୁକ୍ତ ଗ୍ରାମ ପଂଚାୟତ ଗଠନ ନିମନ୍ତେ ଚାଲିଥିବା ୪୪ ଦିନିଆ ବିଶେଷ ଅଭିଯାନ ଅନ୍ତର୍ଗତ ଭଦ୍ରକ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାତଟି ବ୍ଲକ – ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡି ଓ ବାସୁଦେବପୁରରୁ ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି, ଶିଶୁ ଅଧିକାର ସୁରକ୍ଷା ଏବଂ ଛାତ୍ରଛାତ୍ରୀମାନଙ୍କୁ ସକ୍ରିୟ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଚାରୋଟି ବର୍ଗରେ ଞ୍ଚପ୍ରବନ୍ଧ ଲେଖନ, ବିତର୍କ, ଚିତ୍ରାଙ୍କନ ଓ ରଙ୍ଗୋଲିଞ୍ଚ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ଶିଶୁ ଶ୍ରମ ଏକ ସାମାଜିକ ଅଭିଶାପ, ଶିକ୍ଷା ହିଁ ଶିଶୁର ଭବିଷ୍ୟତ ଏବଂ ଶିଶୁ ଶ୍ରମମୁକ୍ତ ସମାଜ ଗଠନରେ ସମସ୍ତଙ୍କ ଭୂମିକା ବିଷୟରେ ନିଜ ନିଜ ସୃଜନଶୀଳ ମତ ପ୍ରକାଶ କରିଥିଲେ। ରଙ୍ଗୋଲି ଓ ଚିତ୍ରାଙ୍କନ ମାଧ୍ୟମରେ ଶିଶୁ ଶ୍ରମ ବିରୋଧୀ ବାର୍ତା ପ୍ରଦାନ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶିବିର ପରିଚାଳନା କରିଥିବା ବେଳେ ବିଜେତା କୃତି ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ ସମାରୋହରେ ପୁରସ୍କୃତ ଓ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗ ଓ ଶିକ୍ଷା ବିଭାଗର ଅଧିକାରୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଶିଶୁ ଶ୍ରମମୁକ୍ତ ଗ୍ରାମ ପଂଚାୟତ ପାଇଁ ୪୪ ଦିନିଆ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା








