Home ଜିଲ୍ଲା ପରିକ୍ରମା ଶାସକ ଦଳ ସରପଞ୍ଚ ଭାଇଙ୍କ ଦବଙ୍ଗଗିରି ମହଙ୍ଗା ପଡିଲା, ତଦନ୍ତକାରୀ ପୁଲିସ୍‌ଙ୍କୁ ମରଣାନ୍ତକ ଆକ୍ରମଣ କରି...

ଶାସକ ଦଳ ସରପଞ୍ଚ ଭାଇଙ୍କ ଦବଙ୍ଗଗିରି ମହଙ୍ଗା ପଡିଲା, ତଦନ୍ତକାରୀ ପୁଲିସ୍‌ଙ୍କୁ ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତ ଓ ୫ ମହିଳା ଗିରଫ

106

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାବରଙ୍ଗ ଥାନା ଅଧୀନସ୍ଥ ଗୋରାମାଟି ପଂଚାୟତର ତୋରଣପଦା ଗ୍ରାମରେ ଜମିଜମା ବିବାଦ ଜନିତ ପୂର୍ବ ଶତ୍ରୁତାକୁ ନେଇ ସ୍ଥାନୀୟ ଶାସକ ଦଳ ସରପଞ୍ଚଙ୍କ ଭାଇ କରୁଣାକର ମଳିକଙ୍କ ସହ ବାରିକଛକ ନିବାସୀ ଆରତୀଲତା ତ୍ରିପାଠୀଙ୍କ ପୁତ୍ର ଦିବ୍ୟପ୍ରସନ୍ନଙ୍କର ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଗତ ୫ ତାରିଖ ରାତିରେ କରୁଣାକର ଓ ତାଙ୍କର କିଛି ସହଯୋଗୀ ସଂଘବଦ୍ଧ ଭାବେ ତାରିଣୀ ଛକ ସ୍ଥିତ ଆଶା ଫ୍ଲାଏ ଆସ୍ ବିକ୍ରସ୍ ମାଲିକ ତଥା ଆରତୀଙ୍କ ପୁତ୍ର ଦିବ୍ୟପ୍ରସନଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଥିଲେ । ସେ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ମା’ ଆରତୀ ଦେବୀ ଅଭିଯୁକ୍ତମାନଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ ପତ୍ର ଦାଖଲ ସହ ଆକ୍ରମଣ ସମୟର ସିସିଟିଭି ଫୁଟେଜ୍ ଦାଖଲ କରିଥିଲେ । ଏହି ଘଟଣାରେ ଆଜି ଥାନା ପକ୍ଷରୁ ଏକ ୪ ଜଣିଆ ପୁଲିସ୍ ଟିମ୍ ନିତାଇ ମହାନ୍ତିଙ୍କ ନେତୃତ୍ୱରେ ସକାଳ ୧୦.୩୦ ସମୟରେ ଅଭିଯୁକ୍ତଙ୍କ ଘରକୁ ତଦନ୍ତ ପାଇଁ ଯାଇଥିବାବେଳେ ପୂର୍ବ ପ୍ରସ୍ତୁତ ଥିବା ଅଭିଯୁକ୍ତ କରୁଣାକରଙ୍କ ସହ ତାଙ୍କର କିଛି ପଡୋଶୀ ମହିଳା ଓ ପୁରୁଷ ପୁଲିସ୍ ଉପରେ ପନିକି, କଟୁରୀ ଓ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ କନେଷ୍ଟବଳ ଇସାକ ଖାନ୍‌, ବ୍ରଜମୋହନ ସିଂହ ଆହତ ହୋଇଥିବାବେଳେ ସ୍ମୃତିରେଖା ବଳ ଓ ପ୍ରଭୁରଂଜନ ନାୟକ ନାମକ ଦୁଇଜଣ କନେଷ୍ଟବଳ ଗୁରୁତର ହୋଇ ପ୍ରଥମେ ସାବରଙ୍ଗ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ପରବର୍ତ୍ତୀ ସମୟରେ ଏସ୍‌ଡିପିଓ ସାର୍ଥକ ରାୟଙ୍କ ନେତୃତ୍ୱରେ ସାବରଙ୍ଗ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍‌ଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ସହ ମୁଖ୍ୟ ଅଭିଯୁକ୍ତ ତଥା ଶିକ୍ଷକ କରୁଣାକର ମଳିକ, ରୋହିଣୀ ଓରଫ ରୁକ୍ମଣୀ ମଳିକ, ଅନିମା ମଳିକ, କ୍ଷୀରମଣି ମଳିକ, ସୁଷମା ମଳିକ, ଅବନ୍ତି ମଳିକଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ରାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.