Home ଜିଲ୍ଲା ପରିକ୍ରମା ଭଦ୍ରକ ସହରାଞ୍ଚଳ ଥାନା ପକ୍ଷରୁ ଚଢାଉ, ବାଇକ୍ ଚୋରି ରାକେଟ୍ ଠାବ; ୧୨ ଟି ବାଇକ୍...

ଭଦ୍ରକ ସହରାଞ୍ଚଳ ଥାନା ପକ୍ଷରୁ ଚଢାଉ, ବାଇକ୍ ଚୋରି ରାକେଟ୍ ଠାବ; ୧୨ ଟି ବାଇକ୍ ଜବତ ସହ ୪ କୋର୍ଟ ଚାଲାଣ

33

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସହରାଞ୍ଚଳ ଥାନା ପୁଲିସ୍ ଏକ ବଡ ଧରଣର ବାଇକ୍ ଚୋରି ରାକେଟ୍‌କୁ ଠାବ କରି ୧୨ ଟି ଗାଡି ଜବତ ପୂର୍ବକ ୪ ଜଣଙ୍କୁ ଗିରଫ କରିଛନ୍ତି । ଏ ସଂପର୍କରେ ଆଜି ଏସ୍‌ଡିପିଓ ସାର୍ଥକ ରାୟ ସହରାଞ୍ଚଳ ଥାନାରେ ଗଣମାଧ୍ୟମକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ ଗତ କିଛିମାସ ଧରି ଭଦ୍ରକ ସହରରୁ ଅନେକ ମୋଟର ସାଇକେଲ୍ ଚୋରି ହୋଇଥିଲା । ତେବେ ଗତ ଜୁଲାଇ ୫ ତାରିଖ ଦିନ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନସ୍ଥ ନନ୍ଦିପଦା ଗ୍ରାମର ସ୍ୱର୍ଗତଃ କାର୍ତ୍ତିକେଶ୍ୱର ଦାସଙ୍କ ପୁତ୍ର ସତ୍ୟବ୍ରତ ବାଇପାସ୍ ସ୍ଥିତ ବିଶାଳ ମେଗାମାଟ୍‌ରେ ନିଜର ଓଡି-୨୨ଡି-୫୦୪୫ ନମ୍ବରର ଗ୍ଲେମର ଗାଡି ରଖି ମାର୍କେଟିଂ କରୁଥିବାବେଳେ ତାହା ଚୋରି ହୋଇଥିଲା । ଏହି ଘଟଣାରେ ସେ ୬ ତାରିଖ ଦିନ ସହରାଞ୍ଚଳ ଥାନାରେ ୨୭୨/୨୧ ମୂଳେ ଏକ ମାମଲା ରୁଜୁ କରିଥିଲେ । ଉକ୍ତ ଘଟଣାରେ ଏଏସ୍‌ଆଇ ଖଗେନ ମହାଳିକ ଓ ସୁବାଷ ଚନ୍ଦ୍ର ମଲ୍ଲିକ ତଦନ୍ତ କରିବାକୁ ଯାଇ ଚୋରି ରାକେଟ୍‌କୁ ଠାବ କରିଥିଲେ । ପରବର୍ତ୍ତୀ ସମୟରେ ଏଏସ୍‌ଆଇ ଦେବରାଜ ଜେନା, ପିକେ ନାୟକ, ହାବିଲଦାର ଅକ୍ଷୟ ମଲିକ, ଓଏପିଏଫ୍ ବରୁଣ ନାୟକ, ରତିକାନ୍ତ ନାୟକ, ଜଗବନ୍ଧୁ ମାଟିଆ ଏବଂ ପୁରୁଣାବଜାର ଥାନାର ଜେମା ବାଗେଙ୍କୁ ନେଇ ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ବାଇକ୍ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଧୀନସ୍ଥ ଦ୍ୱାରିକା ଗ୍ରାମର ସୁଦର୍ଶନ ପ୍ରଧାନଙ୍କ ପୁତ୍ର ଶଶିକାନ୍ତ ଓରଫ ଛୋଟା (୨୮) ଓ ସେହି ଗ୍ରାମର ନରେନ୍ଦ୍ର ମଲ୍ଲିକଙ୍କ ପୁତ୍ର ସୁଶାନ୍ତ ଓରଫ ପ୍ରଭାତ (୩୦) ସହ ଚୋରା ଗାଡି କିଣିଥିବା ସେହି ଅଂଚଳର କପିଳାସ ମଳିକ ଓରଫ କପିଳା ଓରଫ କାହ୍ନା ଓରଫ ବାବା ଏବଂ କଲ୍ୟାଣୀ ଗ୍ରାମର ସୁଧାକର ପାଢୀ ସରଫ ସୁଧାକୁ ଗିରଫ କରିଛନ୍ତି । ଏମାନଙ୍କ ନିକଟରୁ ୧୨ ଟି ବାଇକ୍ ସହ ଦୁଇଟି ମୋବାଇଲ୍ ଜବତ କରାଯାଇଛି । ଶ୍ରୀ ରାୟ ଦେଇଥିବା ସୂଚନା ଅନୁସାରେ ଅଭିଯୁକ୍ତମାନେ ଭଦ୍ରକ ସହରାଞ୍ଚଳ ଥାନା ଏରିଆରେ ଭଡାଘରେ ରହି କିଛିମାସ ହେବ ଜବତ ଗାଡି ଗୁଡିକ ଚୋରିକରି ବାଲେଶ୍ୱର ଜିଲାର ପୁରୁଣା ବାଲେଶ୍ୱର ଅଂଚଳର ଚୋରା ମଦ ମାଫିଆଙ୍କୁ ଅଧିକାଂଶ ବାଇକ୍ ବିକ୍ରି କରିଥାନ୍ତି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.