Home ଅନୁଗୁଳ ଶକ୍ତି ଶ୍ରୀକ୍ଷେତ୍ରରେ ପହଁଚିଲା ବଳଭଦ୍ରଙ୍କର ରଥଚକ

ଶକ୍ତି ଶ୍ରୀକ୍ଷେତ୍ରରେ ପହଁଚିଲା ବଳଭଦ୍ରଙ୍କର ରଥଚକ

40

ତାଳଚେର, ୨୮/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୂ ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥର ଏକ ଚକ ପହଁଚିଛି। ଆଜି ସକାଳ ୯ଟା ବେଳେ ପୁରୀ ଶ୍ରୀମନ୍ଦିରରୁ ଏହି ରଥ ଚକଟି ତାଳଚେରରେ ପହଁଚିଥିଲା। ସେଠାରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଉପସ୍ଥିତ ଶ୍ରଦ୍ଧାଳୁମାନେ ଧୂପ, ଦୀପ, ନୈବେଦ୍ୟ ଓ ପୁଷ୍ପ ଦେଇ ସ୍ୱାଗତ କରିଥିଲେ। ଏହାପରେ ଏକ ଭବ୍ୟ ଶୋଭାଯାତ୍ରାରେ ରଥଚକକୁ ସାଉଥବଲଣ୍ଡା ଅଣାଯାଇଥିଲା। ଏହି ଶୋଭାଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ସହ ବିଭିନ୍ନ ଗ୍ରାମର ନାମ ସଂକୀର୍ତନ ଦଳ ସାମିଲ ହୋଇଥିଲେ। ପୂର୍ବରୁ ଶକ୍ତି ଶ୍ରୀକ୍ଷେତ୍ରର ଦଇତାପତିମାନେ ପୁରୀ ଯାଇ ରଥଚକକୁ ଆଣିବାର ବ୍ୟବସ୍ଥା କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଏହି ରଥ ଚକକୁ ମନ୍ଦିର ପରିସରରେ ରଖାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ରଥଯାତ୍ରା ପରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ଚକଗୁଡିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ କରାଯାଇଥାଏ। ଶକ୍ତି ଶ୍ରୀକ୍ଷେତ୍ରକୁ ଆସିଥିବା ଏହି ପବିତ୍ର ରଥଚକଟି ୨୦୨୦ ମସିହା ରଥଯାତ୍ରା ସମୟରେ ତାଳଧ୍ୱଜ ରଥରେ ଲାଗିଥିଲା। ଅନୁରୂପ ଭାବରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କ ରଥଚକକୁ ମଧ୍ୟ ଶକ୍ତି ଶ୍ରୀକ୍ଷେତ୍ରକୁ ଅଣାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.