Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ବର୍ଷାର ପ୍ରଭାବ,ତିହିଡି ବ୍ଲକରେ ୫ଶହ ହେକ୍ଟର ଜମିରେ ଧାନତଳି ନଷ୍ଟ ଆଶଙ୍କା

ଲଘୁଚାପ ଜନିତ ବର୍ଷାର ପ୍ରଭାବ,ତିହିଡି ବ୍ଲକରେ ୫ଶହ ହେକ୍ଟର ଜମିରେ ଧାନତଳି ନଷ୍ଟ ଆଶଙ୍କା

1

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ୪ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି।ଏପରି ଅତ୍ୟଧିକ ବର୍ଷା ପାଇଁ ବ୍ଲକର ୩୧ ପଂଚାୟତରେ ୫ ଶହ ହେକ୍ଟର ଜମିରେ ଧାନତଳି ନଷ୍ଟ ହେବାର ଆଶଙ୍କା ଉପୁଜିଛି। ଏବେ ଧାନ ତଳି ଜମିରେ ବର୍ଷା ପାଣିରେ ଉବୁଟୁବୁ ହେଉଛି। ଖରିଫ ଧାନଚାଷ ପାଇଁ ତଳି ନଷ୍ଟ ହେବା ଆଶଙ୍କା ଉପୁଜିଥିବାରୁ ଚାଷୀମାନଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି ହୋଇଛି । ରଜ ସଂକ୍ରାନ୍ତି ପରେପରେ ପାଗ ଅନୁକୂଳ ନହେବାରୁ ଚାଷୀମାନଙ୍କ ବତୁରୀ ତଳି ପକାଇବା ସମ୍ଭବ ହୋଇନଥିଲା । ଚାଷୀମାନେ ସଂକ୍ରାନ୍ତି ପରେ ଅନୁକୂଳ ପାଗ ଦେଖି ଧାନ ବିହନ ଗଜାକରି ଆତରା ତଳି ପକାଇଥିଲେ । ମାତ୍ର ଲଗାଣ ବର୍ଷା ହେବା ଯୋଗୁଁ ଏହି ତଳି ଜମିରେ ବର୍ଷା ପାଣି ବୁଡିରହିଛି । ବ୍ଲକରେ ମୋଟ ୧୯ହଜାର ୧୫ହେକ୍ଟର ଜମି ମଧ୍ୟରୁ ଚଳିତ ବର୍ଷ ୧୮ହଜାର ୮୯୧ହେକ୍ଟର ଜମିରେ ଧାନଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଜମି ମଧ୍ୟରୁ ୪ହଜାର ହେକ୍ଟର ଜମିରେ ବୁଣାଧାନ ଓ ଅବଶିଷ୍ଟ ଜମିରେ ରୁଆ ଧାନ ହେବ । ତେବେ ରୁଆ ଧାନ ପାଇଁ ମୋଟ ୧ହଜାର ୫ଶହ ହେକ୍ଟର ଜମିରେ ଧାନ ତଳିର ଆବଶ୍ୟକତା ରହିଛି । ତେବେ ଇତ୍ୟବସରରେ ୧ହଜାର ହେକ୍ଟର ଜମିରେ ତଳି ପଡ଼ି ସାରିଥିବା ବେଳେ ତନ୍ମଧ୍ୟରୁ ୫ଶହ ହେକ୍ଟର ଜମିରେ ତଳି ନଷ୍ଟ ହେବା ଆଶଙ୍କା ରହିଛି । କମ ଜମିରୁ ଅଧିକ ଅମଳ କରିବାକୁ ଏବେ ଚାଷୀମାନେ ଉନ୍ନତ କିସମର ବିହନ ଚାଷ କରିବାକୁ ପସନ୍ଦ କରୁଛନ୍ତି । ଏହି ବିହନର ମୂଲ୍ୟ ଯଥେଷ୍ଟ ଅଧିକ ଅଟେ । ବିହନର ସର୍ବନିମ୍ନ ମୂଲ୍ୟ କୁଇଂଟାଲ ପ୍ରତି ୧୦ହଜାର ଟଙ୍କା ହୋଇଥିବା ବେଳେ କୁଇଂଟାଲ ପ୍ରତି ୧୫ରୁ ୨୦ହଜାର ଟଙ୍କାର ବିହନ ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ତେବେ ତଳି ପଡ଼ିଥିବା ଏହି ମୂଲ୍ୟବାନ ବିହନ ନଷ୍ଟହୋଇଯିବା ଆଶଙ୍କାରେ ଏବେ ଚାଷୀମାନଙ୍କ ମନରେ ହତାଶ ଭାବ ସୃଷ୍ଟି ହୋଇଛି।ପୁଣିଥରେ ଧାନ ଗଜା କରି ତଳି ପକାଇବା ସମୟ ସାପେକ୍ଷ ହୋଇଥିବାରୁ ଖରିଫ ଧାନ ଚାଷ ବାଧାପ୍ରାପ୍ତ ହେବା ସମ୍ଭାବନା ଉପୁଜିଛି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କୁ ପଚାରିବାରୁ ସେ କହନ୍ତି ଯେ,ଲଗାଣ ବର୍ଷା ଯୋଗୁଁ ଧାନତଳି ନଷ୍ଟ ହେବା ଆଶଙ୍କା ରହିଛି। ଆଗକୁ ପାଗ ଅନୁକୂଳ ରହିଲେ ଖରିଫ ଧାନଚାଷ ସୁବିଧାରେ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.