ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଝିଆଣିଆ ସତ୍ୱ ଉପରେ ଭଦ୍ରକର ଅତିରିକ୍ତ ବରିଷ୍ଠ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ସ୍ୱର୍ଗତଃ ଭାଗୀରଥି ସାହୁଙ୍କର କନ୍ୟା ସ୍ୱର୍ଗତଃ ବାସନ୍ତୀ ବେହେରାଙ୍କ ଝିଅ ନିଜର ଭାଗ ୧/୪ ଅଂଶ ନେବା ପାଇଁ ଏକ ବଂଟନ ମକଦ୍ଦମା (ନଂ ୧୭୧/୨୦୦୫) ଆଗତ କରିଥିଲେ। ମାତ୍ର ଏଥିପୂର୍ବରୁ ବାସନ୍ତୀ ବେହେରାଙ୍କ ଭାଇ ଡମ୍ବରୁଧର ସାହୁ, ଭଉଣୀ ଓ ନିଜର ଭାଗ ବିକ୍ରମବୀର ଖେମ୍କାଙ୍କୁ ତଂଚକତା ପୂର୍ବକ ବିକ୍ରୟ କରିଦେଇଥିଲେ। ଯାହାକୁ ଭଦ୍ରକର ଅତିରିକ୍ତ ବରିଷ୍ଠ ଅଦାଲତ ବିଚାର କରି ଉକ୍ତ ଦଲିଲ୍ରୁ ମୃତ ବାସନ୍ତୀଙ୍କ ନ୍ୟାର୍ଯ୍ୟଦାବୀ ଅର୍ଥାତ୍ ୧/୪ ଅଂଶ ତାଙ୍କର କନ୍ୟା ରଶ୍ମିତା ବେହେରା, ସସ୍ମିତା ବେହେରା ଓ ତାଙ୍କର ସ୍ୱାମୀ କାଳନ୍ଦୀ ବେହେରାଙ୍କୁ ଦେବାକୁ ଗତ ଜୁନମାସ ୨୪ ତାରିଖରେ ରାୟ ପ୍ରଦାନ କରିଥିଲେ। ଏହି ମୋକଦ୍ଦମା ଦୀର୍ଘ ୨୧ ବର୍ଷ ଧରି ଚାଲିଥିବାବେଳେ ଅଦାଲତ ଗତମାସ ଉକ୍ତ ରାୟ ପ୍ରକାଶ କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ମୃତ ବାସନ୍ତୀଙ୍କର କନ୍ୟା ଓ ସ୍ୱାମୀ ଅଦାଲତଙ୍କୁ ବଧେଇ ଜଣାଇଛନ୍ତି। ବାଦୀଙ୍କ ତରଫରୁ ଓକିଲ ଜଗତବନ୍ଧୁ ଅଗସ୍ତି, ବିଶ୍ୱଭୂଷଣ ଅଗସ୍ତି, ଶୁଭଲକ୍ଷ୍ମୀ ପୋଥାଳ ଓ ପୂଜା ପ୍ରିୟଦର୍ଶନୀ ଦାସ ମାମଲା ପରିଚାଳନା କରୁଥିଲେ।








