ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ଆଗରପଡା ବିଦ୍ୟୁତ ବିଭାଗ ଅଧିନ ମୁଣ୍ଡଳୀ ଫିଡରର ଓଲଡାଙ୍ଗ ଗ୍ରାମ ନିକଟରୁ ଗତକାଳି ବିଳମ୍ବିତ ରାତ୍ରରେ ଦୃବୁର୍ତ ମାନେ ୭ ସ୍ପାନ୍ ୧୨ ଶହ ମିଟର ସିଲଭର ତାରକୁ ଚୋରି କରି ନେଇଯାଇଛନ୍ତି । ଚୋରି ତାରର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ଏନେଇ ଆଗରପଡା ବିଦ୍ୟୁତ ବିଭାଗର ପରିଚାଳକ ରକ୍ଷାକର ଜେନାଙ୍କ ପକ୍ଷରୁ ଲାଇନ ମ୍ୟାନ୍ ଅଶୋକ କୁମାର ଶଙ୍ଖୁଆ ଆଗରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତକାଲି ଠାରୁ ଖବର ଲେଖା ହେବ ପର୍ଯ୍ୟନ୍ତ ସଂପୃକ୍ତ ଅଚଂଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ବେଳେ ପାଖାପାଖି ୩ ଶହ ଉପଭୋକ୍ତା ସମସ୍ୟା ଭୋଗିଛନ୍ତି । ଆଜି ବିଭାଗୀୟ ପରିଚାଳକ ରକ୍ଷାକର ଜେନା, ବରିଷ୍ଠ ଭାରପ୍ରାପ୍ତ ପରିଚାଳକ ମାନସ ବେହେରା, ଲାଇନ ମ୍ୟାନ୍ ଅଶୋକ କୁମାର ଶଙ୍ଖୁଆ, ଶଶିକାନ୍ତ ଜେନା, ସତ୍ୟରଞ୍ଜନ ଜେନା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ବିଦ୍ୟୁତ୍ ସରବରାହ କାର୍ଯ୍ୟକୁ ସ୍ୱାଭାବିକ ନେଇ କାର୍ଯ୍ୟ ଜାରି ରଖିଛନ୍ତି ।








