Home ଓଡ଼ିଶା ରୋଗୀ କଲ୍ୟାଣ ସମିତି ବୈଠକ : ଜଟିଳ ହେଉଛି ସ୍ୱାସ୍ଥ୍ୟସେବା, ଭଡ଼ାରେ ଆସିବେ ବିଶେଷଜ୍ଞ

ରୋଗୀ କଲ୍ୟାଣ ସମିତି ବୈଠକ : ଜଟିଳ ହେଉଛି ସ୍ୱାସ୍ଥ୍ୟସେବା, ଭଡ଼ାରେ ଆସିବେ ବିଶେଷଜ୍ଞ

164

ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲାରେ ଜଟଳ ହେଉଛି ସ୍ୱାସ୍ଥ୍ୟସେବା। ସରକାରୀ ଡ଼ାକ୍ତରକାନା ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଖାଲି ପଡ଼ିଥିବା ଡ଼ାକ୍ତର ଓ ବିଶେଷଜ୍ଞ ପଦବୀ ପୂରଣ କରାଯାଉ ନାହିଁ। ତେଣୁ ଅବସରପ୍ରାପ୍ତ୍ ବିଶେଷଜ୍ଞଙ୍କୁ ଭଡ଼ାରେ ଅଣାଯାଇ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ରୋଗୀ କଲ୍ୟାଣ ସମିତି ସ୍ଥିର କରିଛି। ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷତି ଗ୍ରହଣ କରାଯାଇଛି। ଲୋକସେବା ସଦସ୍ୟ ପିନାକୀ ମିଶ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏବଂ ଜିଲା ପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ ସେଥିରେ ଯୋଗ ଦେଇଥିଲେ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଖାଲିପଡ଼ିଥିବା ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକରେ ଅବସରପ୍ରାପ୍ତ ବିଶେଷଜ୍ଞଙ୍କୁ ଭଡ଼ାରେ ଅଣାଯାଇ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ବୈଠକରେ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କ ଆଦର୍ଶ ଡ଼ାକ୍ତରଖାନା ଯୋଜନାରୁ ଏବାବଦ ଖର୍ଚ୍ଚ ବହନ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ନୀଳକଣ୍ଠ ମିଶ୍ର ବୈଠକରେ ସୂଚନା ଦେଇଛନ୍ତି। ଏହାଛଡ଼ା ୩ଶହ ଶଯ୍ୟା ବିଶିଷ୍ଟ ୬ତାଲା ଡ଼ାକ୍ତରଖାନା ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ଟ୍ରମାକେୟାର କେନ୍ଦ୍ର ପ୍ରତିଷ୍ଠା ପାଇଁ ମିଳିଥିବା ୩୩କୋଟି ଟଙ୍କା ସେ ଦିଗରେ ବିନିଯୋଗ କରାଯିବ। ଆଉଟସୋର୍ସିଂ ସଂସ୍ଥା ପରିବର୍ତ୍ତେ ପୂର୍ବରୁ ଜିଲା ସ୍ୱାସ୍ଥ୍ୟ ସମିତି ଅଧିନରେ ପ୍ରାୟ ୧୦ରୁ ୧୫ ବର୍ଷ ଧରି କାର୍ଯ୍ୟ କରୁଥିବା ୪୫ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସେବାରେ ନିଯୋଜନ କରାଯିବାକୁ ସ୍ଥିର କରାଯାଇଛି। ଜିଲା ସଦର ହାସପାତାଳର ପ୍ରତ୍ୟେକ ୱାର୍ଡ଼, ବର୍ହିରୋଗ ବିଭାଗ, ପାଥୋଲୋଜି ବିଭାଗ, ରକ୍ତଭଣ୍ଡାର ଏବଂ ପ୍ରଶାସନିକ କାର୍ଯ୍ୟାଳୟରେ କ୍ଲୋଜସର୍କିଟ କ୍ୟାମେରା ଲଗାଇବାକୁ ନିଷ୍ପତି ଗ୍ରହଣ କରାଯାଇଛଛି। ଏହାଛଡ଼ା କର୍କଟ ରୋଗୀଙ୍କ ପାଇଁ କେମୋ ଥେରାପି ବ୍ୟବସ୍ଥା ପୁନଃପ୍ରଚଳନ କରାଯିବ। ଏଥିପାଇଁ ତାଲିମପ୍ରାପ୍ତ ଡ଼ାକ୍ତର ଓ ନର୍ସ ନିୟୋଜନ କରାଯିବ ଡ଼ାକ୍ତର ଓ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ, ଡ଼ାକ୍ତରଖାନାରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା ବ୍ୟବସ୍ଥା, ରୋଗୀଙ୍କ ପାଇଁ ପ୍ରତୀକ୍ଷା କକ୍ଷ ନିର୍ମାଣ, ପାନୀୟଜଳ ଯୋଗାଣ ବ୍ୟବସ୍ଥା, ଶବ ବ୍ୟବଚ୍ଛେଦ ଗୃହ ପୁନଃନିର୍ମାଣ, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଗୁଡ଼ିକର ଆବଶ୍ୟକୀୟ ମରାମତି, ମୋ ସରକାର ଯୋଜନାରେ ୪ଗୋଟି ପଞ୍ଜିକରଣ ଗୃହ ନିର୍ମାଣ ସମେତ ଆବଶ୍ୟୀୟ କର୍ମଚାରୀ ନିଯୁକ୍ତି, ନୂଆ ଏକ୍ସରେ, ସିଟିସ୍କାନ, ଏମଆରଆଇ ଯନ୍ତ୍ର କିଣାଯିବାକୁ ବୈଠକରେ ସ୍ଥିର କରାଯାଇଛି। ଜିଲା ସଦର ହାସପାତାଳରେ ୨୪x୭ରକ୍ତ, ମୂଳ, ମୁତ୍ର, ପରୀକ୍ଷା ଏବଂ ରୋଷଘର ପୁନଃନିର୍ମାଣ ପାଇଁ ସ୍ଥିର କରାଯାଇଛି। ଅବସରପ୍ରାପ୍ତ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ତ୍ରିଲୋଚନ ବରାଳ, ସମାଜସେବୀ ପ୍ରତିମା ମିଶ୍ର, ପୁର୍ବତନ ପୌର ସଦସ୍ୟ ଘନଶ୍ୟାମ ମର୍ଦରାଜ, ବେସରକାରୀ ସଭ୍ୟ ରୁଦ୍ରପ୍ରସାଦ ସିଂହ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.