Home ଜିଲ୍ଲା ପରିକ୍ରମା ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ, ସାଂସଦ ଜିଲା ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ...

ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ, ସାଂସଦ ଜିଲା ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜନ ପ୍ରତିନିଧିଙ୍କ ଗହଣରେ କ୍ଷେତ୍ରୀୟ ପରିଦର୍ଶନ କଲେ

20

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପରିକ୍ରମା କରିଥିବା ଆଖୁଆପଦା ଠାରୁ ରାଣୀତାଲ ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥରେ ୬ ଲାଇନ୍ ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିବା ନେଇ ସାଂସଦ ମଂଜୁଲତା ମଣ୍ଡଳ ଉଦ୍‌ବେଗ ପ୍ରକାଶ କରିଛନ୍ତି । ନିର୍ମାଣ କାର୍ଯ୍ୟ ଚାଲୁଥିବା ସଂପୃକ୍ତ ଅଂଚଳବାସୀଙ୍କ ତରଫରୁ ଜାତୀୟ ରାଜପଥରେ ଦୁର୍ଘଟଣା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ନେଇ ଅଭିଯୋଗ ପାଇବା ପରେ ସାଂସଦ ଶ୍ରୀମତୀ ମଣ୍ଡଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଜିଲା ପ୍ରଶାସନ ଗହଣରେ ବିଭିନ୍ନ ସ୍ଥାନରେ ହେଉଥିବା ସଂପ୍ରସାରଣ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି କ୍ଷେତ୍ର ପରିଦର୍ଶନ ସମୟରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହ ରାଜପଥ ଓଡ଼ିଶା ଶାଖାର ମୁଖ୍ୟ ରାମପ୍ରସାଦ ପଣ୍ଡା ଓ ବାଲେଶ୍ୱର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ପ୍ରମୁଖ କ୍ଷେତ୍ରୀୟ ତଦନ୍ତ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ସଂପ୍ରସାରଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଛୋଟବଡ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି । ସଂପ୍ରସାରଣ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାର ଉଭୟ ପାଶ୍ୱର୍ରେ ଖୋଳାଯାଇଥିବା ନିର୍ମାଣ କାର୍ଯ୍ୟ ଚାଲିଛି । ଯେଉଁଥିପାଇଁ ଅନେକ ଜାଗାରେ ରାଜପଥକୁ ଏକକ ରାସ୍ତା ବା ସିଙ୍ଗଲ ୱେରେ ପରିଣତ କରାଯାଇଛି ।

ଫଳରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏକକ ରାସ୍ତାରେ ପାସ୍ କରିବାକୁ ଯାଇ ଯାନବାହନ ଗୁଡିକୁ ରାସ୍ତାର ଉଭୟପାଶ୍ୱର୍ରେ ୨-୩ କିମି ପର୍ଯ୍ୟନ୍ତ ଲମ୍ବା ଧାଡି ଲାଗି ରହୁଛି । ବିଶେଷକରି ଆମ୍ବୁଲାନ୍ସ, ବସ୍ ସେବା ଭଳି ଜରୁରୀ ସେବା ବାଧାପ୍ରାପ୍ତ ଘଟିଛି । ଦୀର୍ଘସମୟ ଧରି ପଡିରହୁଥିବାରୁ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡୁଛି । ରାଜପଥ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳାକୁ ନେଇ ସାସଂଦ ଶ୍ରୀମତୀ ମଣ୍ଡଳ, ଭଣ୍ଡାରିପୋଖରୀ ଓ ଭଦ୍ରକ ବିଧାୟକଙ୍କ ସହ ଜନସାଧାରଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିର ସମାଧାନ ପାଇଁ ସାଂସଦଙ୍କ ଡାକରାରେ ଆଜି ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ନିର୍ମାଣ ସ୍ଥଳକୁ ଏହି ପ୍ରତିନିଧି ଦଳ ଆଖୁଆପଦା ଠାରୁ ଆରମ୍ଭ କରି ରାଣୀତାଲ ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ଦଳ ପାହିମହୁରା ସିଟି ସ୍କୁଲ ଛକ, ଦକ୍ଷିଣବାଡ ଛକ, ଭଣ୍ଡାରିପୋଖରୀ, ବାରିକପୁର, ଜିଲା ଜଜ୍ କୋର୍ଟ, ଗେଲପୁର, ବନ୍ତଛକ, ନୂଆ ବସ୍‌ଷ୍ଟାଣ୍ଡ, ମୋଟେଲ ଛକର ଉଭୟପାଶ୍ୱର୍, ଚରମ୍ପା କଲେଜ, ତ୍ରିଶଳପୁର ରାସ୍ତାର ଉଭୟପାଶ୍ୱର୍ ଓ ଚରମ୍ପା ଷ୍ଟେସନ ସ୍କୋୟାର ନିର୍ମାଣ ସ୍ଥଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ । କାର୍ଯ୍ୟରେ ବିଳମ୍ବ ଘଟୁଥିବା ନେଇ ସାଂସଦ ଓ ଜନପ୍ରତିନିଧିମାନେ ଜିଲାପାଳଙ୍କ ଉପସ୍ଥିତିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏବଂ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ପାହିମହୁରା ଛକରେ ବାଇପାସ୍ କରିବା ପାଇଁ, ଚରମ୍ପା ଆଇଟିଆଇ କଲେଜ ଛକ ଓ ଚରମ୍ପା କଲେଜ ଛକ ଓ ତ୍ରିଶଳପୁର ଛକରେ ଜଳ ନିଷ୍କାସନ ଓ ପବ୍ଲିକ୍ ଅଣ୍ଡର ପାସ୍ ନିର୍ମାଣ କରାଯିବାକୁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ତେବେ ଆସନ୍ତା ଜୁନ୍ ମାସ ସୁଦ୍ଧା ଏହି ସଂପ୍ରସାରଣ କାର୍ଯ୍ୟ ଶେଷ ହେବ ବୋଲି ରାଜପଥ କର୍ତ୍ତୃପକ୍ଷ ସାଂସଦ, ପ୍ରତିନିଧି ଦଳ ଓ ଜିଲା ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.