Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ୫ମ ସନ୍ଧ୍ୟା, ‘ଅସ୍ତିତ୍ୱରେ ସଂକଟ ଓ ମୂଲ୍ୟବୋଧରେ ବିପର୍ଯ୍ୟୟ’ ଶୀର୍ଷକ...

ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ୫ମ ସନ୍ଧ୍ୟା, ‘ଅସ୍ତିତ୍ୱରେ ସଂକଟ ଓ ମୂଲ୍ୟବୋଧରେ ବିପର୍ଯ୍ୟୟ’ ଶୀର୍ଷକ ଆଲୋଚନା ଚକ୍ର

18

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସ୍ତିତ୍ୱରେ ସଂକଟ ଅଧୁନା ମାନବ ଜୀବନର ଏକ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ହୋଇ ଦେଖାଦେଉଛି । ବ୍ୟକ୍ତିର ପରିଚୟ ଆର୍ଥିକ ସ୍ଥିତି ଓ ଜୀବନର ଉଦ୍ଦେଶ୍ୟ ବିଷୟରେ ଆଧୁନିକ ମଣିଷ ଅଧିକରୁ ଅଧିକ ସନ୍ଦିହାନ ହେବାରେ ଲାଗିଛି ଓ ଅନେକ ପରିମାଣରେ ଏଥିଯୋଗୁଁ ସେ ବିବ୍ରତ ଅବସ୍ଥାରେ ସମ୍ମୁଖୀନ ହେଉଛି । ମଣିଷର ଏ ବିଦ୍ୟମାନ ବିବାଦ ଯଦି ଆଧ୍ୟାତ୍ମିକ ମୂଲ୍ୟବୋଧ ସହିତ ସଂପୃକ୍ତ ହୋଇପାରନ୍ତା । ତେବେ ହୁଏତ ଅନେକଟା ସମାଧାନ ମିଳିପାରନ୍ତା ବୋଲି ଭଦ୍ରକ ନେହେରୁ ଷ୍ଟାଡିୟମ୍‌ରେ ଚାଲିଥିବା ତ୍ୟାଗଭୂମି ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ତ୍ୟାଗଭୂମିର ଶୁଭେଚ୍ଛୁ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଜିର ‘କାନ୍ତକବି ମଂଚ’ ରେ ‘ଅସ୍ତିତ୍ୱରେ ସଂକଟ ଓ ମୂଲ୍ୟବୋଧରେ ବିପର୍ଯ୍ୟୟ’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ସାମଲ ଯୋଗଦେଇ ସଂପ୍ରତି ଜୀବନଚର୍ଯ୍ୟାର ପରିବର୍ତ୍ତନ ଯୋଗୁଁ ମଣିଷ ଅସ୍ତିତ୍ୱ ସଂକଟର ଶୀକାର ହେଉଛି । ନାନା ଜଟିଳ ଅବଧି ଆମ ପାରମ୍ପରିକ ମୂଲ୍ୟବୋଧ ଉପରେ ତୀବ୍ର କୁଠାରଘାତ କରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ । ବରେଣ୍ୟ ଅତିଥି ଭାବେ ଯାଜପୁର ଯୁଣଭଦ୍ରା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଦାମୋଦର ବେହେରା ଯୋଗଦେଇ ନିରାଶା ଓ ଅର୍ଥହୀନ ଜୀବନର ଅନୁଭବ ସଂପ୍ରତି ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ ଅଭିଜାତବର୍ଗଙ୍କ ଭିତରେ ଏଥିଯୋଗୁଁ ଆତ୍ମହତ୍ୟା ପ୍ରବଣତା ସୃଷ୍ଟି ହେଉଛି ବୋଲି ସେ କହିଥିଲେ ।

ମୁଖ୍ୟବକ୍ତା ଭାବେ ନୀଳଗିରି କଲେଜ ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଯୋଗଦେଇ ଅସହାୟତା, ମୃତ୍ୟୁ ଚିନ୍ତା, ଭୟ, ପାପବୋଧ ଓ ଏକାକୀତ୍ୱ ଭଳି ଭାବନା ସ୍ଥିତିସଂକଟର ପ୍ରମୁଖ କାରଣ । ଉଦାସୀନତା ମାନସିକ ବିକୃତିର ସଂସ୍କରଣ ରୂପ । ଏଥିଯୋଗୁଁ ଜୀବନରେ କାର୍ଯ୍ୟ କରିବାକୁ ଅନିଚ୍ଛା ଭାବ ଆସେ । କିଶୋର ଅବସ୍ଥାରେ ସଂକଟ, ମଧ୍ୟମ ଜୀବନରେ ସଂକଟ ଓ ବୟସ୍କ ସଂକଟ ଭଳି ବ୍ୟକ୍ତିର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ କାରଣ ନେଇ ସଂକଟ ଉପୁଜୁଛି । ଆଶାଭଂଗ, ମୃତ୍ୟୁଚିନ୍ତା ଓ ପରିବର୍ତ୍ତିତ ଜୀବନ ପ୍ରବାହ ସହିତ ସ୍କିଜୋଫ୍ରେନିଆ ଭଳି ମାନସିକ ରୋଗୀଙ୍କୁ ବହୁଳ ମାତ୍ରାରେ ଏବେ ଦେଖିବାକୁ ମିଳୁଛି ବୋଲି ସେ ମତବ୍ୟକ୍ତ କରିଥିଲେ । ତ୍ୟାଗଭୂମିର ସଦସ୍ୟ କବି ଚର୍ଚ୍ଚିକା ମହାପାତ୍ର ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବାବେଳେ ସଂପାଦକ ଅଧିବକ୍ତା ଗଦାଧର ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଦସ୍ୟ ଅମରେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଢେଙ୍କାନାଳରୁ ଆସିଥିବା ନୃତ୍ୟ ଗ୍ରୁପ୍ ଦ୍ୱାରା ପାଇକ ଆଖଡା ଓ ମଲ୍ଲୋ ଲୁହାକବାଟ ନୃତ୍ୟ ଓ ଓଲଙ୍ଗ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ତ୍ୟାଗଭୂମି ସଭାପତି ଅଜୟ ନାୟକ, ସଂପାଦକ ଅଧିବକ୍ତା ଗଦାଧର ବଳ, ସାଂସ୍କୃତିକ ସଂପାଦକ ବସନ୍ତ ମହାନ୍ତି, ସଂଗଠନ ସଂପାଦକ ସୁଧାକର ରାଉତ, ସହ ସଂପାଦକ ଗୌରାଙ୍ଗ ବାରିକ, ପତ୍ରିକା ସଂପାଦକ ଅଧ୍ୟାପକ ବିଶ୍ୱରଂଜନ ଦାସ, ଡକ୍ଟର ଅଭୟ କୁମାର ଦାସ, ଅମରେନ୍ଦ୍ର ବିଶ୍ୱାଳ, ଅମ୍ବିକାବଲ୍ଲଭ ସ୍ୱାଇଁ, ବ୍ୟୋମକେଶ ସେନାପତି, ରୂପକ ବିହାରୀ ରାୟ, ଅଶୋକ ଦ୍ୱିବେଦୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.