Home ଓଡ଼ିଶା ଯୋଡା-ବନ୍ଦ ଖଣିରୁ ଲୁଟ୍ ହେଉଛି ଗଚ୍ଛିତ ଲୁହାପଥର

ଯୋଡା-ବନ୍ଦ ଖଣିରୁ ଲୁଟ୍ ହେଉଛି ଗଚ୍ଛିତ ଲୁହାପଥର

63

ଯୋଡା, ୨୭/୦୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ହରଗୋବିନ୍ଦ ପାଣ୍ଡିଆଙ୍କ ଲୌହ ଓ ମାଙ୍ଗାନିଜ ଖଣି ଲୁହାପଥର ଲୁଟେରାଙ୍କ ପେଣ୍ଠସ୍ଥଳି ପାଲଟିଛି । ଦୈନିକ ରାଜ୍ୟ ବାହାରର ଟ୍ରକ ମାଧ୍ୟମରେ ଏଠାରୁ ବୋଝେଇ ହୋଇ ଲକ୍ଷ ଲକ୍ଷ ଟଙ୍କା ଉଚ୍ଚମାନର ଲୁହାପଥର ରାଜ୍ୟ ବାହାରକୁ ଚୋରା ରପ୍ତାନୀ କରାଯାଉଛି । ନିୟମିତ ବ୍ୟବଧାନରେ ଏହି ଲୁହାପଥର ଲୁଟ ହେଉଥିବା ବେଳେ ପ୍ରାୟ ୭ଦିନ ମଧ୍ୟରେ ୧୫ ଟ୍ରିପରୁ ଉର୍ଦ୍ଧ୍ୱ ଏହି ବନ୍ଦ ଖଣିରୁ ଗଚ୍ଛିତ ଲୁହାପଥର ଲୁଟ୍ ହେଉଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସୋମବାର ବିଳମ୍ବିତ ରାତ୍ରୀରେ ଏକ ନାଗାଲାଣ୍ଡ ନମ୍ବର ଥିବା ଟ୍ରକ (ଏନ୍‌ଏଲ୦୧ଏଚ୍‌ବି-୨୩୯୧)ରେ ଲୁହାପଥର ବୋଝେଇ ହେଉଥିବା ବେଳେ ଗ୍ରାମବାସୀମାନେ ଏହାକୁ ଧରି ପୁଲିସ ଜିମା ଦେଇଛନ୍ତି । ତେବେ ଅନ୍ଧାରର ସୁଯୋଗରେ ସମ୍ପୃକ୍ତ ଗାଡିର ଡ୍ରାଇଭର ଏବଂ ଚୋରା କାରବାରର ମୁଖ୍ୟ ଦଲାଲ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ବାରମ୍ବାର ଏହି ସ୍ଥାନରୁ  ଉଚ୍ଚମାନର ଲୁହାପଥର ଲୁଟ ହେଉଥିବା ବେଳେ ପୁଲିସ ଓ ଖଣି ବିଭାଗ ଏହାକୁ ରୋକିବାରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଗ୍ରାମବାସୀମାନେ ଏହି ଲୁହାପଥର ଅବୈଧ କାରବାରକୁ ବାରମ୍ବାର ରୋକିବାକୁ ଚେଷ୍ଟା କରୁଥିବା ବେଳେ ଚୋରି ହେଉଥିବା ଦିନ ବାମେବାରୀ ପୁଲିସ ଅଧିକାରୀଙ୍କ ଟେଲିଫୋନ ବନ୍ଦ ରହୁଥିବା ଯୋଗୁଁ ଏଥିରେ ପୁଲିସ ବିଭାଗର ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ବାରମ୍ବାର ଏହି ଚୋରା ଲୁହାପଥର ବୋଝେଇ ଗାଡିକୁ ଅଟକାଇ ପୁଲିସକୁ ଜିମା ଦେଉଥିବା ବେଳେ ପୁଲିସ ଏବଂ ଖଣି ବିଭାଗ କିଭଳି ଏହି ଚୋରା କାରବାରର ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରୁନାହାନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ, ହରଗୋବିନ୍ଦ ପାଣ୍ଡିଆଙ୍କ ଏହି ଖଣିଟି ଜୁନ୍ ୨୦୧୩ରେ ଲିଜ୍ ଅବଧି ଶେଷ ହୋଇଯାଇଥିବା ବେଳେ ଏହି ଖଣିଟିରେ ଗୋଟିଏ ଯାହାଜ ପରିମାଣରୁ ଉର୍ଦ୍ଧ୍ୱ ୫୦ ହଜାର ମେଟ୍ରିକ ଟନ୍ ଉଚ୍ଚମାନର ଲୁହାପଥର ଗଚ୍ଛିତ ରହିଛି । ତେବେ ଏହି ଖଣି କମ୍ପାନୀ ଏହି ଲିଜ୍‌ର ନବୀକରଣ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିବା ବେଳେ ଗତ ସେପ୍ଟେମ୍ବର ୨୦୧୮ ମସିହାରେ ଏହି ଆବେଦନକୁ ସରକାର ଖାରଜ କରିଦେଇଛନ୍ତି । ଫଳରେ ଏହି ଖଣିଟିକୁ ଗଚ୍ଛିତ ଲୁହାପଥର ସହିତ ସରକାର ତାଙ୍କ ଅଧିନକୁ ନେଇଯାଇଥିବା ଜଣାପଡିଛି । ତେଣୁ ଖଣି ମାଲିକ ଗଚ୍ଛିତ ଲୁହାପଥର ରକ୍ଷଣା ବେକ୍ଷଣ ତାଙ୍କର ଦାୟିତ୍ୱ ନୁହେଁ ବୋଲି କହୁଥିବା ବେଳେ ଖଣି ବିଭାଗ ମଧ୍ୟ ଏହି ଲୁହାପଥରକୁ ନିଜ ଅକ୍ତିଆରକୁ ନନେଇ ଲୁଟ୍ ହେବା ପାଇଁ ଖୋଲା ଖୋଲି ଭାବେ ଛାଡିଦେଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ବନ୍ଦ ଖଣିରୁ କୋଟି କୋଟି ଟଙ୍କାର ଲୁହାପଥର ଲୁଟ୍ ହେବା ସହ ସରକାର ବିପୁଳ ପରିମାଣରେ ରାଜସ୍ୱ ହରାଇବସୁଛନ୍ତି । ଏହି ଲୁଟ୍‌ରେ ଲଙ୍ଗାଲୋଟା ଅଞ୍ଚଳର ୨ଜଣ ଖଣି ମାଫିଆ  ସମ୍ପୃକ୍ତ ଥିବା ବେଳେ ସେମାନଙ୍କର ହାତ ଖଣି ବିଭାଗ ଓ ପୁଲିସ ବିଭାଗ ସହିତ ରହିଛି ବୋଲି ଅଭିଯୋଗ ହୋଇଛି । ତେଣୁ ସରକାର ତୁରନ୍ତ ଏହି ଗଚ୍ଛିତ ଲୁହାପଥର ନିଜ ଅକ୍ତିଆରକୁ ନେବାକୁ ଏବେ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.