Home ଜିଲ୍ଲା ପରିକ୍ରମା ଯୁବ ସାମ୍ବାଦିକ ପ୍ରବୀରଙ୍କ ମୃତ୍ୟୁରେ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଯୁବ ସାମ୍ବାଦିକ ପ୍ରବୀରଙ୍କ ମୃତ୍ୟୁରେ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

48

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନ୍ୟୁଜ୍‌୧୮ର କାର୍ଯ୍ୟରତ ଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଶୋକପ୍ରକଟ କରାଯିବା ସହିତ ଭଦ୍ରକ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଆଜି ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ କ୍ୟାଣ୍ଡେଲ ଧରି ପ୍ରବୀର ପ୍ରଧାନ ଅମର ରହେ ସ୍ଳୋଗାନ ମାଧ୍ୟମରେ ସହର ପରିକ୍ରମା କରି ଟାଉନହଲ ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ନୟାଗଡ ଜିଲ୍ଲାରେ ଜନ୍ମିତ ପ୍ରବୀର ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ସାମ୍ବାଦିକତାରେ ଶିକ୍ଷାଲାଭ କରିବା ପରେ ଧରିତ୍ରୀ ଖବର କାଗଜରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ଇଟିଭି ଓଡିଆ, ଜି କଳିଙ୍ଗ ଓ ଶେଷରେ ନିଉଜ ୧୮ରେ କାର୍ଯ୍ୟରତ ଥିଲେ । ସେ ଜଣେ ନିର୍ଭୀକ, ସଚ୍ଚୋଟ ସାମ୍ବାଦିକ ଥିବା ବେଳେ ତାଙ୍କର ଅମାୟିକ ବ୍ୟବହାର ସମସ୍ତଙ୍କୁ ନିଜର କରି ନେଉଥିଲା । ସେ କରୋନା ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଭଦ୍ରକ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକ ଗଭୀର ଶୋକ ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.