Home Coronavirus Outbreak ଯାଜପୁର ଜିଲ୍ଲାକୁ ବାହର ରାଜ୍ୟରୁ ଆସିବା ଲୋକମାନଙ୍କ ପାଇଁ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

ଯାଜପୁର ଜିଲ୍ଲାକୁ ବାହର ରାଜ୍ୟରୁ ଆସିବା ଲୋକମାନଙ୍କ ପାଇଁ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

447

ଯାଜପୁର୨୨ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ବାହାର ରାଜ୍ୟରେ ଆମ ଜିଲ୍ଲାର ହଜାର ହଜାର ଲୋକମାନେ ଅଟକି ରହିଛନ୍ତି। ଲକ୍‌ଡ଼ାଉନ ଯୋଗୁ ସେମାନେ ଆସିପାରୁ ନାହାଁନ୍ତି କିମ୍ବା ଆମ ଜିଲ୍ଲାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ସେମାନଙ୍କ ରାଜ୍ୟକୁ ଯାଇପାରୁ ନାହାଁନ୍ତି। ଲକ୍‌ଡ଼ାଉନ ଉଠିଯିବାପରେ ଏହି ଅଟକି ଥିବା ଲୋକମାନେ ନିଜ ଅଂଚଳକୁ ଫେରିବେ। ସେଥିପାଇଁ ଆମେ ପ୍ରତ୍ୟେକ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି। ଏହି ଅଟକିଥିବା ବ୍ୟକ୍ତିମାନଙ୍କ ସୁରକ୍ଷିତ ଫେରସ୍ତ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପର୍କରେ ଆଜିଏକ ଭିଡିଓ କନ୍‌ଫେରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସରଂପଚମାନଙ୍କ ସହ ଆଲୋଚନା କରିଥିଲେ। ଜନସାଧାରଣଙ୍କ ସହଯୋଗ ଯୋଗୁ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରାଯାଇପାରୁଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କରୋନା ପଜିଟିଭ ଚିହ୍ନଟ ହୋଇଥିବା କେତେକ ବ୍ଲକର ବିଡିଓଙ୍କ ସହ ଆଲୋଚନା କରିଥିଲେ। କନ୍‌ଫେରେନ୍ସର ନିର୍ଯ୍ୟାସ ଅନୁସାରେ ବାହାରେ ଥିବା କୌଣସି ବ୍ୟକ୍ତି ବିନା ପଞ୍ଜିକରଣରେ ଗାଁ ମଧ୍ୟକୁ ଆସିପାରିବେ ନାହିଁ। ପଞ୍ଜିକରଣ ବାଧ୍ୟତାମୂଳକ ଏଥିପାଇଁ ଏକ ପୋଟାଲ ଖୋଲାଯିବ ଓ ଏହା ଚଳିତ ମାସ ୨୪ ତାରିଖଠାରୁ କାର୍ଯ୍ୟକରିବ। ପଞ୍ଜିକରଣ ସଂପୃକ୍ତ ବ୍ୟକ୍ତି, ତାଙ୍କ ପରିବାରର ସଦସ୍ୟ ବା ସଂପୃକ୍ତ ପଂଚାୟତ ପକ୍ଷରୁ କରାଯାଇପାରିବ। ପଞ୍ଜିକୃତ ପ୍ରତ୍ୟେକ ବ୍ୟକ୍ତି ସରକାରୀ କ୍ୱାରେନଟାଇନରେ ରହିବେ ଓ ୧୪ଦିନ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ଛଡ଼ା ଯାଇପାରେ। କ୍ୱାରେନଟାଇନ ସମୟରେ ରହିବା, ଖାଇବା, ଶୌଚ ହେବା ଇତ୍ୟାଦି ସମସ୍ତ ବ୍ୟବସ୍ଥା ସରକାରୀ ଭାବେ କରାଯିବ। ସଫଳ କ୍ୱାରେନଟାଇନ ପାଇଁ ସରକାର ଘୋଷଣା କରିଥିବା ଦୁଇହଜାର ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ। ବର୍ତମାନ କ୍ୱାରେନଟାଇନ କେନ୍ଦ୍ରରେ ଅଧିକ ଲୋକ ରହିବା ବ୍ୟବସ୍ଥା, ଏହାକୁ ମନିଟରିଂ ପାଇଁ ଟିମ୍ ବ୍ୟବସ୍ଥା, ସଂପୃକ୍ତ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ରନ୍ଧାଖାଦ୍ୟ ବ୍ୟବସ୍ଥା ବିଶୋଧନ କରିବା ବ୍ୟବସ୍ଥା ଇତ୍ୟାଦି କରାଯିବ। ସେହିପରି ଏହି କାର୍ଯ୍ୟକୁ ସଫଳ ଭାବେ ପରିଚାଳନା କରିବା ପାଇଁ ପଂଚାୟତ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଟିମ୍ ମାନଙ୍କୁ ବାଛି ପ୍ରଶିକ୍ଷିତ କରାଯିବ। ପଞ୍ଜିକୃତ ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନ ଦିଆଯିବ ଯଦ୍ୱାରା ସେମାନେ ପଞ୍ଜିକୃତ ହୋଇଛନ୍ତି ବୋଲି ଜଣାଯିବ ବୋଲି ସ୍ଥିର କରାଯାଇଛି। ଏହାକୁ ସମସ୍ତ ସରପଂଚ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ଏହା ଏହା ବୃହତ କାର୍ଯ୍ୟ ଏଥିରେ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ। କେଉଁଠାରେ ସାମାନ୍ୟ ତୃଟି ହଜାର ହଜାର ଲୋକଙ୍କୁ ସଂକ୍ରମିତ କରିପାରେ। ତେଣୁ ଏହାକୁ ଅତ୍ୟନ୍ତ ନିଷ୍ଠା ଓ ଦାୟିତ୍ୱର ସହ ସଂପନ୍ନ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷରେ ଯେନତେନ ପ୍ରକାରେ ବାହାର ରାଜ୍ୟରୁ ବିଶେଷ କରି କୋଲକତାରୁ ଆସିଥିବା ବ୍ୟକ୍ତି ମାନେ ପଞ୍ଜିକୃତ ହୋଇ ନାହାଁନ୍ତି ତେବେ ଦୟାକରି ତୁରନ୍ତ ପଞ୍ଜିକରଣ କରାଇ ସରକାରୀ କ୍ୱାରେନଟାଇନରେ ରହିବାକୁ ସେ ପୁଣି ଅନୁରୋଧ କରିଛନ୍ତି। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ବ୍ଲକର ଭିଡିଓ କନ୍‌ଫେରେନ୍ସ ହଲରେ ବିଡିଓ ଓ ସରପଂଚ ମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.