Home ଓଡ଼ିଶା ମହାନଦୀ ଗର୍ଭରୁ ମନ୍ଦିର ଚୂଡ଼ ଆବିର୍ଭାବ ପରେ ଏବେ ପଦ୍ମାବତୀ ଗ୍ରାମକୁ ନେଇ ଅନେକ ରୋଚକ...

ମହାନଦୀ ଗର୍ଭରୁ ମନ୍ଦିର ଚୂଡ଼ ଆବିର୍ଭାବ ପରେ ଏବେ ପଦ୍ମାବତୀ ଗ୍ରାମକୁ ନେଇ ଅନେକ ରୋଚକ ତଥ୍ୟ

581

ନୟାଗଡ଼, ୨୨ା୬ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାର କଂଟିଲୋ ନିକଟ ମହାନଦୀ କୂଳରେ ଅବସ୍ଥିତ ପଦ୍ମାବତୀ ଗ୍ରାମ। ପଦ୍ମାବତୀ ଗ୍ରାମ ପାଦଦେଶରେ ବହିଯାଉଥିବା ମହାନଦୀ ଗର୍ଭରୁ ୫ଶହ ବର୍ଷ ତଳର ଏକ ମନ୍ଦିର ଆବିଷ୍କୃତ ହେବା ପରେ ପଦ୍ମାବତୀ ଗ୍ରାମର ଅନେକ କିମ୍ବଦନ୍ତୀମୂଳକ ତଥ୍ୟ ପଦାକୁ ଆସିଛି। ମହାନଦୀ ଗର୍ଭରେ ବୁଡ଼ି ରହିଥିବା ମନ୍ଦିର ର ଦଧିନଉତି ଉପରକୁ ଦେଖାଯାଉଥିବାବେଳେ ମନ୍ଦିରର ଆବିର୍ଭାବକୁ ନେଇ ଏବେ ଜିଲାରେ, ରାଜ୍ୟରେ ତଥା ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ୨ଜଣ ପ୍ରତ୍ନତତ୍ତ୍ୱବିତ ଓ ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ସ୍କୃବା ଡାଇଭର ସବିର ବକ୍ସ ଏଠାକୁ ଆସି ଏହାର କିମ୍ବଦନ୍ତୀ ମୂଳକ ତଥା ଏøତିହାସିକ ତଥ୍ୟ ଖୋଜିବା ସହିତ ଏହାର ପୁନରୁଦ୍ଧାର ପାଇଁ ମନୋନିବେଶ କରିଛନ୍ତି। ପ୍ରକୃତ ପଦ୍ମାବତୀ ଗ୍ରାମ ମହାନଦୀ ଗର୍ଭରେ ବିଲୀନ ହୋଇଥିବାବେଳେ ଏବେ ଯେଉଁ ପଦ୍ମାବତୀ ଗ୍ରାମ ରହିଛି ତାହା ଏଠାରେ ନୂଆ ଜନବସତି କରି ଗଢି ଉଠିଥିବା ନୂଆ ପଦ୍ମାବତୀ ଗ୍ରାମ ବୋଲି କୁହାଯାଉଛି। ପଦ୍ମାବତୀ ଗ୍ରାମର ଅନେକ କିମ୍ବଦନ୍ତୀମୂଳକ ରୋଚକ ତଥ୍ୟ ମଧ୍ୟ ଜଣାପଡ଼ିଛି। ପଦ୍ମାବତୀ ଗ୍ରାମ ମହାନଦୀର ପାଦ ଦେଶରେ ରହିଛି ଗୋସିଂହ ପର୍ବତ। ୧୯୫୨ ମସିହାରେ ପର୍ବତର ପାଦଦେଶରେ ମହାନଦୀ ପଠାରୁ ଏକ ସମାଧି ମିଳିଥିଲା। ଏହି ସମାଧି ଭିତରେ ଥିଲା ୭୫ ଫୁଟ ବା ୫୦ହାତର ଏକ ବିଶାଳ ନରକଙ୍କାଳ। ଭାରତର ମରୁଭୂମିରୁ ଏକ ବିରାଟକାୟ ନରକଙ୍କାଳ ମିଳିଥିବା କଥା କିଛିବର୍ଷ ତଳେ ଇଂଟରନେଟ୍‌ରେ ପ୍ରସାରିତ ହୋଇଥିଲା। ଯାହାକି ଏହି ନରକଙ୍କାଳ ମହାଭାରତ ଯୁଗର ଘଟୋତ୍କଚ ବୋଲି ପ୍ରଥମେ ଅନୁମାନ କରାଯାଉଥିଲା। ୨୦୦୪ରେ ବାଂଲାଦେଶ ସମେତ ଅନ୍ୟ କେତେକ ରାଷ୍ଟ୍ରର ସମ୍ବାଦପତ୍ରରେ ମଧ୍ୟ ଏଭଳି ଏକ ନରକଙ୍କାଳ ସାଉଦିଆରବର ମରୁଭୂମିରୁ ମିଳିଥିବା ଖବର ପ୍ରକାଶ ପାଇଥିଲା ଏବଂ ତାହା ମୁସଲମାନ ଜନଜାତି ‘ଆଦ୍‌’ ସଂପ୍ରଦାୟର ବୋଲି କୁହାଯାଇଥିଲା। ପଳତଃ କଙ୍କାଳର ଆବିଷ୍କାରକୁ ନେଇ ବିଭିନ୍ନ ମହଲରେ ସେତେବେଳେ ବିବାଦର ସୂତ୍ରପାତ ହୋଇଥିଲା। କନ୍ତୁ ଏଭଳି ଏକ ନରକଙ୍କାଳ ୧୯୫୨ରେ ପଦ୍ମାବତୀ ଗ୍ରାମ ମହାନଦୀ ବାଲିରୁ ମିଳିଥିବା କଥା ମଧ୍ୟ ଜଣାପଡ଼ିଥିଲା। ମାତ୍ର ଏହା ଗୋସିଂହ ଦୈତ୍ୟର କଙ୍କାଳ ବୋଲି ସେତେବେଳେ ଜନରବ ବ୍ୟାପି ଯାଇଥିଲା। ତେବେ ମରୁଭୂମିରୁ ଆବିଷ୍କୃତ ଘଟୋତ୍କଚର କଙ୍କାଳ ଠାରୁ ଗୋସିଂହ ଦୈତ୍ୟର କଙ୍କାଳ ଢେର ବଡ଼ ଥିଲା ବୋଲି ଅନୁମାନ କରାଯାଇଥିଲା। କଙ୍କାଳର ହାତ ଗୋଡ଼ର ଗୋଲେଇଥିଲା ଅଢେଇ ଫୁଟ। ତଥ୍ୟ ସଂଗ୍ରହରୁ ଯାହା ଜଣାପଡ଼େ ତତ୍କାଳୀନ ନବକୃଷ୍ଣ ଚୌଧୁରୀ ସରକାର ଅନୁଗୁଳର ରନ୍ତଲେଇ ନେପାଳୀ ବାବା ଘଟଣାର ପୁନରାବୃତ୍ତି ହୋଇ କୌଣସି ସମସ୍ୟା ଉପୁଜିବା ଆଶଙ୍କାରେ କଙ୍କାଳକୁ ସେଠାରୁ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ। ତତ୍କାଳୀନ ମନ୍ତ୍ରୀ ଶାନ୍ତନୁ କୁମାର ଦାସ ସ୍ଥାନୀୟ ଡେପୁଟି କଲେକ୍ଟରଙ୍କ ସହାୟତାରେ କଙ୍କାଳ ଜବତ କରି ମ୍ୟୁଜିୟମକୁ ନେଇଗଲେ ଏବଂ ଏହାକୁ ବିବାଦୀୟ ହେବା ଆଶଙ୍କା କରି ଏହା ଏକ ହାତୀର କଙ୍କାଳ ବୋଲି ଘୋଷଣା କରି ଘଟଣାକୁ ସେଇଠି ଶେଷ କରିଦେଲେ ବୋଲି ପଦ୍ମାବତୀ ଅଂଳଳର ଜନସାଧାରଣଙ୍କ ଠାରୁ ଶୁଣାଯାଏ। ତେବେ ପଦ୍ମାବତୀ ଗ୍ରାମବାସୀଙ୍କ କହିବାନୁଯାୟୀ ପଦ୍ମାବତୀ ଗ୍ରାମ ନିକଟରେ ମହାନଦୀ ପାଦଦେଶରେ ଗୋସିଂହ ପର୍ବତ ଅବସ୍ଥିତ। ଏହି ପାହାଡ଼ରେ ଗୋସିଂହ ଦୈତ୍ୟ ଅସୁର ରାଜା ପାଟରାଣୀ ପଦ୍ମାବତୀଙ୍କୁ ଧରି ବସବାସ କରୁଥିବାରୁ ପାହାଡ଼ ନାମ ଗୋସିଂହ ପାହାଡ଼ ଏବଂ ପଦ୍ମାବତୀ ପାଟରାଣୀଙ୍କ ନାମାନୁସାରେ ଗ୍ରାମର ନାମ ପଦ୍ମାବତୀ ରଖାଯାଇଥିବା ଜନଶୃତିରୁ ଜଣାପଡ଼େ। ତେବେ ଅସଲ ପଦ୍ମାବତୀ ଗ୍ରାମ କାଳର କରାଳ ଗତିରେ ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବାବେଳେ ଏବେ ଯେଉଁ ପଦ୍ମାବତୀ ଗ୍ରାମ ରହିଛି ତାହା ପରବର୍ତ୍ତି ପଦ୍ମାବତୀ ଗ୍ରାମ ବୋଲି ବହୁ ପୁରୁଖା ବୟୋଜ୍ୟଷ୍ଠ ବ୍ୟକ୍ତିମାନେ ମତପ୍ରକାଶ କରନ୍ତି। ସ୍ଥାନୀୟ ଲୋକମାନେ କହନ୍ତି ୧୯୫୨ରୁ ୧୯୫୫ ମସିହା ଭିତରେ ଗୋସିଂହ ପାହାଡ଼ ପାଦଦେଶରୁ ଏକ ବିରାଟ ଅସୁରର କଙ୍କାଳ ମାଟି ଖୋଳୁ ଖୋଳୁ ୧୫ଫୁଟ ମାଟି ତଳୁ ବାହାରିଥିଲା। ଏହି କଙ୍କାଳକୁ ଦୁଇଗୋଟି ବଡ଼ ଟ୍ରକରେ ଦିଲ୍ଲୀ ମ୍ୟୁଜିୟମକୁ ନିଆଯାଇଥିଲା। କଙ୍କାଳର ଗୋଟିଏ ଦାନ୍ତର ଓଜନ ଦେଢ କେଜିରୁ ଦୁଇ କେଜି ପାଖା ପାଖି ଥିଲା। ଗୋସିଂହ ଦୈତ୍ୟର ଆରାଧ୍ୟ ଦେବୀ ଥିଲେ ମା ନାରାୟଣୀ ଠାକୁରାଣୀ। ମା ନାରାୟଣୀ ଠାକୁରାଣୀଙ୍କ ପୀଠଟି ମହାନଦୀ କୂଳରେ ଦକ୍ଷୀଣରେ କଂଟିଲୋ ନିକଟସ୍ଥ ପଥରଚକଡ଼ା ଗ୍ରାମ ଉପକଣ୍ଠରେ ଅବସ୍ଥିତ। ଏହି ପୀଠରେ ପଶ୍ଚିମ ମୁଖା ମହାଦେବ ମଧ୍ୟ ବିଦ୍ୟମାନ। ମନ୍ଦିର ସମ୍ମୁଖରେ ଗୋଟିଏ ବଡ଼ ପୋଖରୀ ଅଛି। ପୋଖରୀ ପାଣିରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା ଓ ଦୈନନ୍ଦିନ କାର୍ଯ୍ୟ ହୋଇଥାଏ। ଜୀବଜନ୍ତୁମାନେ ଏହି ପୋଖରୀର ଚାରିପାଖରେ ବୁଲୁଥିଲେ ମଧ୍ୟ ପୋଖରୀ ପାଣିକୁ ସ୍ପର୍ଶ ନକରିବା ଏକ ବିରଳ ଘଟଣା। ଗ୍ରୀଷ୍ମବକାଶରେ ଗାଈ, ଗୋରୁମାନେ ତୃଷାର୍ତ୍ତ ଥିଲେ ମଧ୍ୟ ପୋଖରୀ ପାଣିକୁ ପାନୀୟ ଭାବେ ବ୍ୟବହାର କରିବାରେ ବାରଣରେ ଥାଆନ୍ତି। ପୁରୁଖା ଲୋକମାନେ କହନ୍ତି ଏହି ପୋଖରୀ ଥିଲା ଗୋସିଂହ ଦୈତ୍ୟର ଏକ ବିରାଟକାୟ ଯଜ୍ଞକୁଣ୍ଡ। ଏଠାରେ ଗୋସିଂହ ଦୈତ୍ୟ ଗୋମେଧ ଯଜ୍ଞ କରୁଥିଲା। ସେଥିପାଇଁ ଗାଈ, ଗୋରୁମାନେ ଏହି ପାଣିକୁ ଛୁଅନ୍ତି ନାହିଁ। ପ୍ରଶାସନ ତରଫରୁ ପୋଖରୀ ଖୋଳାଯିବାରେ ଏହି ଯଜ୍ଞକୁଣ୍ଡଟି ଆବିଷ୍କୃତ ହୋଇଥିଲା। ଏବେ ଏହି ଯଜ୍ଞକୁଣ୍ଡଟି ପୋଖରୀର ପାଣି ଭିତରେ ବୁଡ଼ି ରହିଛି। ଏହି ମନ୍ଦିରରେ ଏକ ବିରଳ ପ୍ରଜାତିର ଝିଟିପିଟି ରହିଛି। କେହି କେହି ଏହାକୁ କାଳକୁଟ ବୋଲି କହନ୍ତି। ଏହି ଝିଟିପିଟି ବୋବାଇଲେ ଧରାପୃଷ୍ଠରେ କିଛି ଅଘଟଣ ଘଟିବ ବୋଲି ପ୍ରବାଦ ରହିଛି। ୧୯୯୯ ମସିହାରେ ଓଡ଼ିଶାରେ ଯେଉଁ ମହାବାତ୍ୟାର ତାଣ୍ଡବଲୀଳା ହୋଇଥିଲା ସେହି ସମୟରେ ଏହି ଝିଟିପିଟି ବା କାଳକୁଟ ବୋବାଇଥିଲା ବୋଲି କେହି କେହି ମତ ଦିଅନ୍ତି। ତେବେ ଏମିତି ପଦ୍ମାବତୀ ଗ୍ରାମର କିମ୍ବଦନ୍ତୀମୂଳକ ତଥା ଏୈତିହାସିକ ରୋଚକ ତଥ୍ୟକୁ ନେଇ ଅନେକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ମହାନଦୀରେ ବୁଡ଼ି ରହିଥିବା ମନ୍ଦିରକୁ ପୁନରୁଦ୍ଧାର କରି ପଦ୍ମାବତୀକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.