ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମନ୍ତ୍ରୀଙ୍କ ବାସଭବନରେ ପଦ୍ମ ଧରିଥିଲେ, ମାତ୍ର ସପ୍ତାହକ ନପୂରୁଣୁ ଶଙ୍ଖ ଶିବିରକୁ ଫେରିଲେ। ଧାମନଗର ରାଜନୀତିରେ ଏଭଳି ଦଳୀୟ ପଟ୍ଟ ପରିବର୍ତନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବୟାଙ୍ଗଡିହ ପଂଚାୟତର ଚକ୍ରଧର ବେହେରା, ସନ୍ତୋଷ କୁମାର ବଳ ଓ ସାଗର କୁମାର ରାଉତ ବିଜେପି ଛାଡ଼ି ପୁଣି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଶେଷକରି ମନ୍ତ୍ରୀଙ୍କ ବାସଭବନରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବାର ମାତ୍ର ସପ୍ତାହକ ମଧ୍ୟରେ ଦଳ ଛାଡ଼ିବା ଘଟଣା ଧାମନଗର ବିଜେପି ସଂଗଠନ ପାଇଁ ଏକ ରାଜନୈତିକ ଝଟକା ବୋଲି ଚର୍ଚ୍ଚା ହେଉଛି।ସୂଚନା ଅନୁଯାୟୀ, ବୟାଙ୍ଗଡିହ ପଂଚାୟତ ଛନ୍ଦାସାହି ଗ୍ରାମର ଚକ୍ରଧର ବେହେରା ଓ ସନ୍ତୋଷ କୁମାର ବଳ ଗତ ସପ୍ତାହରେ ଭୁବନେଶ୍ୱରସ୍ଥିତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଆମ୍ବିଳିଗାଁର ସାଗର କୁମାର ରାଉତ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରାଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକଙ୍କ ସମେତ ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି, ବ୍ଲକ ସମ୍ପାଦକ ସତ୍ୟପ୍ରକାଶ ନାୟକ, ପୂର୍ବତନ ନଗର ସଭାପତି ସୁଶାନ୍ତ ରାଉତ, ପଂଚାୟତ ସଭାପତି ନିରୋଦ ମହାପାତ୍ର, ଆଶୁତୋଷ ବାରିକ, ଦେବେନ୍ଦ୍ର ଜେନା ଓ ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ପଂଚାୟତର ଯୁବନେତା ତଥା ବ୍ଲକ ଛାତ୍ର ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ସଂଗଠିତ ହୋଇଥିଲା।
Home ଜିଲ୍ଲା ପରିକ୍ରମା ମନ୍ତ୍ରୀଙ୍କ ଘରେ ପଦ୍ମ ଧରିଲେ, ସପ୍ତାହକରେ ଶଙ୍ଖ ଶିବିରକୁ ଫେରିଲେ, ଧାମନଗର ବିଜେପିକୁ ଝଟ୍କା, ଦଳୀୟ...








